କେନ୍ଦୁଝର: ଜରାଜୀର୍ଣ୍ଣ ହେବାକୁ ବସିଲାଣି ଭଗାମୁଣ୍ଡା କୃଷି ଫାର୍ମ । କୃଷି କ୍ଷେତ୍ର ପାଇଁ ସରକାର ପ୍ରଣୟନ କରୁଥିବା ଯୋଜନା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ନୂତନ ପ୍ରଣାଳୀରେ କୃଷି ସହ ଉନ୍ନତ ମାନର ବିହନ ଉତ୍ପାଦନ ପାଇଁ ସରକାର ବିଭିନ୍ନ ସ୍ଥାନରେ ଏକର ଏକର ଜମିରେ କୃଷି ଫାର୍ମ ନିର୍ମାଣ କରିଛନ୍ତି । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏଗୁଡ଼ିକ ଜରାଜୀର୍ଣ୍ଣ ହେବାକୁ ବସିଲାଣି। ଯାହାର ଉଦାହରଣ ହେଉଛି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା କୃଷି ଫାର୍ମ । ରକ୍ଷଣାବେକ୍ଷଣ ଅଭାବରୁ ଏହି ଫାର୍ମର ଅବସ୍ଥା ବେହାଲ ହୋଇପଡ଼ିଛି ।
ସୂଚନା ଅନୁସାରେ, ଶହେ ଏକର ଜମିରେ ଆଦିବାସୀ ଅଧ୍ୟୁଷିତ ଜୁଙ୍ଗା ପଞ୍ଚାୟତଠାରେ ଏହି ଫାର୍ମର ନିର୍ମାଣ କରାଯାଇଥିଲା । ନୂତନ ଧାନ ସହ ସୋରିଷ, ରାଶି ଆଦି ବିହନ ଉତ୍ପାଦନ ପାଇଁ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ଏହାସହ ଏଠାରେ ଆମ୍ବ ଚାଷ କରାଯାଇଛି । କିନ୍ତୁ କୃଷି ବିଭାଗର ଉଦାସୀନ ମନୋଭାବ ଯୋଗୁଁ ଏହି କୃଷି କେନ୍ଦ୍ରଟି ଜରାଜୀର୍ଣ୍ଣ ହୋଇପଡିଥିବା କୁହାଯାଉଛି । ପୂର୍ବରୁ ଏଠାରେ ଧାନ ଫସଲ ହେଉଥିବାବେଳେ ଏବେ ଆଉ ଚାଷ ହେଉନାହିଁ। ଫଳରେ ଏଠାରେ ଥିବା କୋଟି କୋଟି ଟଙ୍କାର ଧାନ ବିହନ ଅମଳ ଯନ୍ତ୍ରପାତି ସହ ଗୋଦାମ ଗୃହ ନଷ୍ଟ ହେବାକୁ ବସିଲାଣି । କର୍ମଚାରୀ ଅଭାବରୁ ଅନ୍ୟାନ୍ୟ ଅମଳ ମଧ୍ୟ ବନ୍ଦ ହେବାକୁ ବସିଛି।
ଏହା ମଧ୍ୟ ପଢନ୍ତୁ...ଚାଷୀଙ୍କୁ ମୁଗ ବିହନ ମିଳୁନଥିବା ଅଭିଯୋଗ, କୃଷି କାର୍ଯ୍ୟାଳୟ ଆଗରେ କୃଷକ ସଂଗଠନର ଧାରଣା
ଏହା ମଧ୍ୟ ପଢନ୍ତୁ...ସମ୍ବଲପୁର ଓ ହୀରାକୁଦ କେନାଲ ହିଡରେ ବଡ ଧରଣର ଲିକ, ଅସନ୍ତୁଷ୍ଟ ଚାଷୀ
ଚାଷ ପାଇଁ ଜଳ ସମସ୍ୟା ଥିବାବେଳେ ପ୍ରାକୃତିକ ନାଳ ଉପରେ ନିର୍ଭରଶୀଳ ଏହି ଫାର୍ମ । ଏହା ଏକ ହାତୀ ଉପଦ୍ରବ ଅଞ୍ଚଳ ହୋଇଥିବାବେଳେ ପାଚେରୀ ନଥିବା ଯୋଗୁଁ ଫାର୍ମରେ ପଶି ହାତୀ ଫସଲ ନଷ୍ଟ କରିଦେଉଛନ୍ତି । ଅନ୍ୟପଟେ କୃଷି ବିଭାଗ ଏହା ଜାଣି ମଧ୍ୟ ନିଦାବିଷ୍ଣୁ ସାଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହାସହ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ପାରିପାର୍ଶ୍ବିକ ଉନ୍ନତି ମୂଳକ କାର୍ଯ୍ୟ ହେଉନଥିବା ମଧ୍ୟ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏନେଇ ସହକାରୀ କୃଷି ଅଧିକାରୀ ରବୀନ୍ଦ୍ର କୁମାର ସାହୁ କହିଛନ୍ତି, "ହାତୀ ପାଇଁ ଧାନ ଫସଲ ବନ୍ଦ କରାଯାଇଛି । ଏହାର ପ୍ରତିକାର ପାଇଁ ପାଚେରୀ ନିର୍ମାଣ କାର୍ଯ୍ୟ ହେଉଛି।" ସେପଟେ ଭଗାମୁଣ୍ଡା କୃଷି ଫାର୍ମ ଏଭଳି ଅବ୍ୟବସ୍ଥା ଘେରରେ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଇଟିଭି ଭାରତ, କେନ୍ଦୁଝର