ଭଦ୍ରକ/ବାଲେଶ୍ବର: ପାଖଉଛି ସମ୍ଭାବ୍ୟ ବାତ୍ୟା 'ଦାନା' । ଏପର୍ଯ୍ୟନ୍ତ ଏହାର ନିର୍ଦ୍ଦିଷ୍ଟ ଲ୍ୟାଣ୍ଡଫଲ ପଏଣ୍ଟ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ଏହା ପୁରୀ ଓ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପ୍ରାଥମିକ ଆକଳନ କରିଛି । ପ୍ରଭାବରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଦୁଇ ଜିଲ୍ଲାର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଜିଲ୍ଲାରେ ସମସ୍ତ ପ୍ରକାର ଜରୁରୀକାଳୀନ ପ୍ରସ୍ତୁତି ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
- ଭଦ୍ରକରେ ବାତ୍ୟା ପ୍ରସ୍ତୁତି:
ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କ୍ଷେତ୍ରୀୟ ସ୍ତରରେ ପୂର୍ବ ପ୍ରସ୍ତୁତି ପାଇଁ ସଂପୃକ୍ତ ସମସ୍ତ ବି.ଡ଼ି.ଓ. ଏବଂ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବନ୍ୟା ଆଶ୍ରୟସ୍ଥଳୀକୁ ମିଶାଇ ସମୁଦାୟ 105 ଟି ଆଶ୍ରୟସ୍ଥଳୀକୁ ସମ୍ପୂର୍ଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସେଠାରେ ପାନୀୟ ଜଳ ଯୋଗାଣ, ଶୌଚାଳୟ, ଜେନେରେଟର, ଲାଇଟ୍, ଯାନ୍ତ୍ରିକ କଟର, ପରିଚ୍ଛନ୍ନତା ଏବଂ ଅନ୍ୟ ଆନୁସଙ୍ଗିକ ସମସ୍ତ ଉପକରଣ ସଚଳ ଅବସ୍ଥାରେ ରଖିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଆବଶ୍ୟକ ହେଲେ ନିରାପଦ ସ୍କୁଲଗୁଡ଼ିକୁ ମଧ୍ୟ ଆଶ୍ରୟସ୍ଥଳୀ ରୂପେ ଚିହ୍ନଟ କରିବାକୁ କୁହାଯାଇଛି ।
ବାତ୍ୟା, ବନ୍ୟାପ୍ରବଣ ତଥା ତଳିଆ ଜଳମଗ୍ନ ହେଉଥିବା ଅଞ୍ଚଳକୁ ଚିହ୍ନଟ କରି ଆବଶ୍ୟକ ହେଲେ ସଂପୃକ୍ତ ଅଞ୍ଚଳରୁ ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ନେଇ ସେମାନଙ୍କୁ ସଚେତନ କରାଯିବ ।ଆଶ୍ରୟସ୍ଥଳୀରେ ଶୁଖୁଲା ଖାଦ୍ୟ, ରନ୍ଧା ଖାଦ୍ୟ ପାଇଁ ଆବଶ୍ୟକ ଉପକରଣ, ଔଷଧ, ଶିଶୁ ଖାଦ୍ୟ ଆଦି ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଉଛି । ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଭାସିରେ ଜିଲ୍ଲାର ସମସ୍ତ ବି.ଡ଼ି.ଓ, ତହସିଲଦାର ଏବଂ ଜିଲ୍ଲା ତଥା ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଥିଲା ।
- ଗର୍ଭବତୀଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯିବ:
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଏବଂ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ସଠିକ୍ ଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି। ସମୁଦ୍ର ଭିତରେ ଥିବା ସମସ୍ତ 911ଟି ମାଛ ଧରା ଡ଼ଙ୍ଗା ତଥା ଟ୍ରଲର ଗଭୀର ସମୁଦ୍ରରୁ କୂଳକୁ ଫେରି ସାରିଛନ୍ତି । ଆବଶ୍ୟକ ସ୍ଥଳରେ ଏକ ସପ୍ତାହ ମଧ୍ୟରେ ପ୍ରସବ ତାରିଖ ଥିବା ଗର୍ଭବତୀଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । 22 ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ମିଳିପାରେ ବୋଲି ଆଶା କରାଯାଉଛି । ତେବେ 23 ଏବଂ 24 ତାରିଖ ବେଳକୁ 20 ମିମିରୁ ଅଧିକ ବର୍ଷା ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
- ବାଲେଶ୍ବରରେ ପ୍ରସ୍ତୁତି:
ସମ୍ଭାବ୍ୟ ବାତ୍ୟାକୁ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି । ଏପଟେ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ‘ଜିରୋ-କାଜୁଆଲିଟି’ ଉପରେ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଛନ୍ତି । ଆସନ୍ତା ୨୩, ୨୪ ଓ ୨୫ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲାରେ ସମସ୍ତ ପ୍ରକାର ଆପଦକାଳୀନ ପ୍ରସ୍ତୁତି ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ସୋର ଭଳି ସମ୍ବେଦନଶିଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପୂର୍ବ ବ୍ୟବସ୍ଥା କରିଥିବା ବେଳେ ସମ୍ଭାବିତ ବର୍ଷାରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ଜଳ ଯୋଗାଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଏବଂ ମୌଳିକ ସୁବିଧା ଉପଲବ୍ଧ କରାଯିବ। ଶୁଖିଲା ଖାଦ୍ୟ ଓ ଶିଶୁ ଖାଦ୍ୟ ସମେତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯିବ। ସେହିଭଳି ଜରୁରୀକାଳୀନ ପରିସ୍ଥିତିରେ ଅଙ୍ଗନବାଡ଼ି, ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇପାରେ ବୋଲି ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା।
- ବ୍ଲକରେ ନୋଡାଲ ଅଫିସର ନିୟୋଜିତ:
ସମ୍ଭାବ୍ୟ ବାତ୍ୟାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ କହିଛନ୍ତି , " ଏବେସୁଦ୍ଧା ଯାହା ଆମର ସରକାରଙ୍କ SOP ରହୁଛି ‘ଜିରୋ-କାଜୁଆଲିଟି’ ପାଇଁ ସେହି ହିସାବରେ ସବୁ ଅଫିସରଙ୍କୁ ନିୟୋଜିତ କରାଯାଇଛି। ଆମର ବ୍ଲକ ପ୍ରଭାବିତ ହେବାର ଆଶଙ୍କା ଅଛି । ତେଣୁ ବ୍ଲକ ପାଇଁ ଜିଲ୍ଲାରୁ ଗୋଟେ ଗୋଟେ ନୋଡାଲ ଅଫିସର ନିୟୋଜିତ କରାଯାଇଛି। ସେ ନୋଡାଲ ଅଫିସର ଯାଇକି ଗ୍ରାଉଣ୍ଡରେ ସବୁ ଦେଖିକି ରିପୋର୍ଟିଂ କରିବେ । ସବୁପ୍ରକାରର ଜିଲ୍ଲା ପ୍ରଶାସନ ପୁରା ରେଡି ଅଛି ସବୁ ପ୍ରକାରର ପରିସ୍ଥିତି ପାଇଁ ବାତ୍ୟା ପରର ଅବସ୍ଥା ପାଇଁ ମଧ୍ୟ। ଏବେ ଆଇଏମଡିର ଯେଉଁ ଆକଳନ ଅଛି କେଉଁଠି ଲ୍ୟାଣ୍ଡଫଲ ହେବ ତାହା ଏବେ ଅସ୍ପଷ୍ଟ ଅଛି । ମୁଖ୍ୟମନ୍ତ୍ରୀ ଆମ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଜିରୋ କାଜୁଆଲିଟି ରହିବ ଲୋକମାନେ ଯେଉଁଠି କି ସ୍ଥାନାନ୍ତର ହେବେ ସେଇଠି ଯେମିତି କିଛି ଅସୁବିଧା ହେବନାହିଁ। ସେହି ହିସାବରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି। ଏବେ ପର୍ଯ୍ୟନ୍ତ ରେଡ ଆଲର୍ଟ ବର୍ଷାର ଅଛି ସେହି ହିସାବରେ ଆମର ସବୁ ପ୍ରସ୍ତୁତି ଚାଲିଛି। ''
850 ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯିବ:
ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି '' ଆମର ବାକିସବୁ ଯେଉଁ ବିଭାଗ ଅଛି, RWSS, ବିଦ୍ୟୁତ ବିଭାଗ ସମସ୍ତଙ୍କର ଟିମ ମୋବିଲାଇଜେସନ ଆରମ୍ଭ ହେଇଯାଇଛି। ତା ପରେ ଆମର ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ତରଫରୁ ବି CHC, PHC ଟିମ ମୋବିଲାଇଜେସନ ଆରମ୍ଭ ହୋଇଯାଇଛି। ବର୍ଷା ସମୟରେ ସାପ କାମୁଡ଼ା ସବୁର ବହୁତ ଆଶଙ୍କା ରହୁଛି ତ, ଲୋକଙ୍କ ସୁରକ୍ଷା ନେଇକି ଆଣ୍ଟି ଭେନମ କିଟ ନେଇକି CHC, PHC ଲେବଲ ପର୍ଯ୍ୟନ୍ତ ଯିବ। ପାଖାପାଖି 850 ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ଲାନିଂ ହୋଇଛି। ଯେଉଁ ହିସାବରେ ବର୍ଷା ହେବ ସେହି ହିସାବରେ ସ୍ଥାନାନ୍ତର ପ୍ରକ୍ରିୟାର ପ୍ରସ୍ତୁତି ଆମେ କରିକି ରଖିଛୁ । ସ୍ଥାନୀୟ ବିଡିଓ ତହସିଲଦାର ଅଛନ୍ତି ତାଙ୍କ ସହ ଆମର ଦୁଇଜଣ ଉପଜିଲ୍ଲାପାଳ ଅଛନ୍ତି ତାଙ୍କୁ ବି ଆମେ ଚାର୍ଜ ଦେଇଛୁ। ସେ ଆଜି ସବୁ ଜାଗାରେ ବୁଲିବେ। CDMO, ADMO ଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି ଏବଂ ହେଡକ୍ବାର୍ଟରରେ ଯେଉଁ ଡେପୁଟି, ଆସିଷ୍ଟାଣ୍ଟ କଲେକ୍ଟରମାନେ ଅଛନ୍ତି ତାଙ୍କୁ ବି ଆମେ ଗୋଟେ ଅର୍ଡର ବାହାର କରିଛୁ ସେ ଗୋଟେ ଗୋଟେ ବ୍ଲକ ଯାଇକି ସେଠି ବିଡିଓ ଓ ତହସିଲଦାରଙ୍କୁ ସହଯୋଗ କରିବେ।"
ଇଟିଭି ଭାରତ, ଭଦ୍ରକ, ବାଲେଶ୍ବର