କଟକ: ବାରଙ୍ଗ ବାପା ପୁଅ ଓ ବୋହୂଙ୍କୁ ନିଆଁ ଲଗେଇ ପୋଡି ମାରିବା ଘଟଣା । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ପୁଅ ଦୀନବନ୍ଧୁ । ପୂର୍ବରୁ ଆଖି ବୁଜିଥିଲେ ସ୍ତ୍ରୀ ସସ୍ମିତା । ମାଆ-ବାପାକୁ ହରାଇ 6 ବର୍ଷର କୁନି ପୁଅ ପାଲଟି ଯାଇଛି ବେସାହାରା । ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ପୋଲିସ ।
କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣା ?
ଗତ (ଶନିବାର) ଦିନ ବାରଙ୍ଗ ବାରସିଂଗା ଗାଁରେ ଜହ୍ଲାଦ ବାପା ଗୋବର୍ଦ୍ଧନ ରାଉତ ତାଙ୍କ ପୁଅ ଓ ବୋହୂକୁ ପେଟ୍ରୋଲ ଢ଼ାଳି ନିଆଁ ଲଗେଇ ପୋଡିମାରିବା ଉଦ୍ୟମ କରିଥିଲା । ଗତ (ରବିବାର) ବୋହୂ ସସ୍ମିତା ରାଉତଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଭୋରରୁ ପୁଅ ଦୀନବନ୍ଧୁଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ବାପା ଗୋବର୍ଦ୍ଧନ ରାଉତଙ୍କୁ ପୋଲିସ ଗିରଫ କରିଛି । ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତଦେହର ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ପୋଲିସ । ତେବେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସମ୍ପର୍କୀୟମାନେ ଦାବି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ଟଙ୍କା ଆଗରେ ଫିକା ସମ୍ପର୍କ, ପୁଅ-ବୋହୂଙ୍କୁ ଜାଳିଦେଲା ବାପା ଏହା ମଧ୍ୟ ପଢନ୍ତୁ...ଟଙ୍କା ଆଗରେ ଫିକା ପଡିଲା ସମ୍ପର୍କ, ମା’କୁ ପିଟି ପିଟି ହତ୍ୟା କଲା ପୁଅ |
ଦୃଢ କାର୍ଯ୍ୟାନୁଷ୍ଠାନ ଦାବି :
ଏନେଇ ସମ୍ପର୍କୀୟ ବିଶ୍ବରଞ୍ଜନ ବିଶ୍ବାଳ କହିଛନ୍ତି,"ଗୋବର୍ଦ୍ଧନ ପ୍ରତିଦିନ ବହୁତ ନିଶା ସେବନ କରୁଥିଲେ । ପୁଅଠୁ ପ୍ରତି ମାସରେ ୫ ହଜାର ଲେଖାଏ ଟଙ୍କା ନେଇ ନିଜେ ଖର୍ଚ୍ଚ କରୁଥିଲେ । ହେଲେ ଗତ (ଶନିବାର) ରାତିରେ ଖାଇବା ସମୟରେ ହଠାତ୍ ବାପା ପୁଅଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ବୋହୂ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଗୋବର୍ଦ୍ଧନ ଉତ୍ତକ୍ଷିପ୍ତ ହୋଇ ନିଜ ପୁଅ ବୋହୁଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ । ଗାଁ ଲୋକେ ଦେଖି ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଗତ (ରବିବାର) ଦିନ ବୋହୂର ଜୀବନ ଯାଇଥିବା ବେଳେ ଆଜି ପୁଅ ଦୀନବନ୍ଧୁଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ବାପାକୁ କଠୋର ଦଣ୍ଡ ଦିଆଯାଉ ।"
ଇଟିଭି ଭାରତ, କଟକ