ବରଗଡ଼: ଅଶୋକା ବିଲିକନ୍ ଠିକା ସଂସ୍ଥା ଦ୍ଵାରା ବେଆଇନ ଟୋଲ୍ ଆଦାୟ । ହାଇୱେ ୟୁଜର ଫୋରମ୍ ପକ୍ଷରୁ କରଯାଇଛି ବିରୋଧ । ବରଗଡ଼ ଜିଲ୍ଲା ବରାହଗୁଡା ସ୍ଥିତ ଅଶୋକା ବିଲିକନ୍ ଠିକା ସଂସ୍ଥା ଦ୍ଵାରା ବେଆଇନ ଟୋଲ୍ ଆଦାୟ କରାଯାଉଥିଲା । ଯାହାକୁ ହାଇୱେ ୟୁଜର ଫୋରମ୍ ପକ୍ଷରୁ ବିରୋଧ କରାଯାଇଛି । ଜିଲ୍ଲାର ବିଭିନ୍ନ ସଂଗଠନ ଟୋଲ ଟିକସ ଆଦାୟକୁ ବିରୋଧ କରିଛନ୍ତି ।
ପ୍ରଥମତଃ ଅଶୋକା ବିଲିକନ ଦ୍ଵାରା ନିର୍ମାଣ ହୋଇଥିବା ଫୋରଲେନ ରୋଡ ଅତି ନିମ୍ନ ମାନର ହୋଇଛି । ଅନ୍ୟପଟେ ବାଇପାସ ରୋଡରେ ଜଙ୍ଗସନ ସ୍ଥାନ ମାନଙ୍କରେ କୌଣସି ପ୍ରକାରର ଅଣ୍ଡର ପାସ ରୋଡ ନାହିଁ । ଫଳରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନୀ ଘଟୁଛି । ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ସହିତ ପୂର୍ବରୁ ବୈଠକ ମଧ୍ୟ ହୋଇଥିଲା । ଅଞ୍ଚଳବାସୀଙ୍କ ସୁରକ୍ଷାକୁ ନେଇ ସଠିକ ପ୍ଲାନିଂରେ ରାସ୍ତା ନିର୍ମାଣ ପାଇଁ କୁହାଯାଇଥିଲା । ସେ ପର୍ଯ୍ୟନ୍ତ କାହାଠାରୁ କୌଣସି ପ୍ରକାରର ଟୋଲ ଟେକ୍ସ ଆଦାୟ ନକରିବାକୁ କୁହାଯାଇଥିଲା । ଜିଲ୍ଲାପାଳଙ୍କ ବଦଳି ହେବାପରେ ଅଶୋକା ବିଲିକନ କମ୍ପାନୀ ତାର ମନମାନି ଆରମ୍ଭ କରିଦେଇଛି । ନିଷ୍ପତ୍ତିକୁ ଖାତିର ନକରି ଟୋଲ ଟ୍ୟାକ୍ସ ଆଦାୟ କରୁଥିବା ଅଭିଯୋଗ ଆସିଛି । ଟ୍ୟାକ୍ସି ମାଲିକ ସଂଘ, ବସ ମାଲିକ ସଂଘ, ବାର ଆସୋସିଏସନ ଏବଂ ଟ୍ରକ ମାଲିକ ସଂଘ ଆଦି ମିଳିତ ଭାବେ ଏହାର ବିରୋଧ କରିଛନ୍ତି ।
ଏହା ମଧ୍ୟ ପଡ଼ନ୍ତୁ..... ସମସ୍ତ ପାଠ୍ୟକ୍ରମରେ ଓଡ଼ିଆ ଭାଷା ବାଧ୍ୟତାମୂଳକ ପାଇଁ ଦାବି
ଏ ବାବଦକୁ ଜିଲ୍ଲାପ୍ରଶାସନର ଦ୍ଵାରସ୍ଥ ହେବା ସହିତ ଜିଲ୍ଲାପାଳ, ପୋଲିସ ପ୍ରଶାସନ ଏବଂ ଅଶୋକା ବିଲିକନ କମ୍ପାନୀକୁ ଦାବିପତ୍ର ପ୍ରଦାନ କରିଛନ୍ତି । ବରଗଡ ଟାଉନରୁ 10 କିଲୋମିଟର ଭିତରେ ଟୋଲ ପ୍ଲାଜା ନିର୍ମାଣ କରିବାର ନିୟମ ରହିନଥିଲେ । କିନ୍ତୁ ଟାଉନରୁ ମାତ୍ର 7 କିଲୋମିଟର ଭିତରେ ହାଇୱେ ଉପରେ ବେଆଇନ ଭାବେ ଟୋଲ ପ୍ଲାଜା ନିର୍ମାଣ କରାଯାଇଛି । ବରଗଡବାସୀଙ୍କ ଠାରୁ ଟୋଲ ଟ୍ୟାକ୍ସ ଆଦାୟ କରାଯାଉଛି । ଯାହାକୁନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅତି ନିମ୍ନମାନର କାମ ସାଙ୍ଗକୁ ହାଇୱେ ନିର୍ମାଣ ସର୍ତ୍ତାବଳୀ ଅନୁଯାୟୀ ରାସ୍ତା ନିର୍ମାଣ କରାଯାଇନଥିବାକୁ ନେଇ ଆନ୍ଦୋଳନ ମୁହାଁ ହୋଇଥିଲେ ଅଞ୍ଚଳବାସୀ । ଜିଲ୍ଲା ପ୍ରଶାସନ, ଆନ୍ଦୋଳନକାରୀ ଏବଂ ଅଶୋକା ବିଲିକନର ତ୍ରିପାକ୍ଷିକ ଆଲୋଚନା କରାଯାଇଥିଲା । ପରେ ନିଷ୍ପତ୍ତି ନିଆଯାଇଥିଲା ଯେ, ବରଗଡ ଟାଉନର ଜାନବାହାନ ମାନଙ୍କ ଠାରୁ ଆଦୌ ଟୋଲ ସଂଗ୍ରହ କରାଯିବନାହିଁ ।
ଇଟିଭି ଭାରତ, ବରଗଡ଼