ଭଦ୍ରକ/ଜଗତସିଂହପୁର: ବାସୁଦେବପୁରରେ ବାଂଲାଦେଶୀ ସନ୍ଦେହରେ 6ଜଣ ବ୍ଯକ୍ତିଙ୍କୁ ଥାନାରେ ଜିମା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ବାସୁଦେବପୁର ବଜାରରେ ଏକ ଅଟୋରେ 6ଜଣ ବ୍ୟକ୍ତି ଯାତ୍ରା କରୁଥିବା ବେଳେ, ସନ୍ଦେହ ହେବାରୁ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ରୋକି ଯାଞ୍ଚ କରିବା ସହ ସେମାନଙ୍କର ପରିଚୟ ପତ୍ର ମାଗିଥିଲେ । ତେବେ ଗାଡିରେ ଥିବା 6ଜଣ ଯାତ୍ରୀଙ୍କ ମଧ୍ୟରୁ 2 ଜଣ ସେମାନଙ୍କ ପରିଚୟ ପତ୍ର ଦେଖାଇଥିବା ବେଳେ ଅନ୍ୟମାନଙ୍କ ନିକଟରେ କୌଣସି କାଗଜପତ୍ର ମିଳିନଥିଲା । ତେଣୁ ସେମାନେ ହୋଇଥିବା ସନ୍ଦେହରେ ଲୋକେ ସ୍ଥାନୀୟ ଥାନାକୁ ଅବଗତ କରିଥିଲେ । ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା ।
ନାଉଁଗାରେ ବଙ୍ଗୀୟ ଶ୍ରମିକଙ୍କୁ ମାଡ ଅଭିଯୋଗ:-
ସେହିପରି ଜଗତସିଂହପୁରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ନାଉଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାଳ ନିକଟରେ ଗତକାଲି (ରବିବାର) ସନ୍ଧ୍ୟାରେ ବାଂଲାଦେଶୀ ସନ୍ଦେହରେ ପଶ୍ଚିମବଙ୍ଗର କିଛି ଶ୍ରମିକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜଗତସିଂହପୁର ସ୍ଥାନାନ୍ତର କରାଯାଇଛି ।
ନିଜକୁ ପଶ୍ଚିମବଙ୍ଗର ବାସିନ୍ଦା କହୁଥିବା ଅଜମଲ ହୁସେନ କହିଛନ୍ତି, ‘‘ପଶ୍ଚିମବଙ୍ଗର କିଛି ବଙ୍ଗ ଭାଷାଭାଷୀ ଲୋକେ ଜଗତସିଂହପୁର ନାଉଗାଁ ଅଞ୍ଚଳରେ ରହି ରାଜମିସ୍ତ୍ରୀ କାମ କରି ଆସୁଛନ୍ତି । ଆଜି ସନ୍ଧ୍ୟାରେ ଏକ ଘରୋଇ ବସରେ 5ରୁ 6 ଜଣ ବଙ୍ଗୀୟ ଶ୍ରମିକ ଡ଼ଲଫିନ ନାମକ ଏକ ଘରୋଇ ବସରେ ପଶ୍ଚିମବଙ୍ଗ ଯାଉଥିବା ବେଳେ କିଛି ଯୁବକ ଏକ କାରରେ ଆସି ବସ ଅଟକାଇ ସେଥିରେ ଥିବା ସମସ୍ତ ବଙ୍ଗୀୟ ଯାତ୍ରୀଙ୍କୁ ବାହାର କରିବା ପାଇଁ କହିଥିଲେ । ଏହି ତିନି ଯୁବକଙ୍କୁ ନିର୍ଦ୍ଧୁମ ମାଡ ମାରିଥିଲେ । ଏଥିରେ ଦୁଇଜଣ ଆହତ ହୋଇଥିଲେ । ଦୁର୍ବୁତ୍ତଙ୍କ ମାଡରେ ଦୁଇଜଣ ଗୁରୁତର ହୋଇଥିବା ନାଉଗାଁ ଥାନାରେ ଅଭିଯୋଗ ହୋଇଛି ।’’ ନାଉଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
କିଛି ସନ୍ଦିଗ୍ଧଙ୍କୁ ଅଇଁଠାପାଲି ଥାନାରେ ଜିମା ଦେଇଥିଲ ଲୋକେ:-
କବେଳ ଉପକୂଳ ନୁହେଁ ବରଂ ପଶ୍ଚିମ ଓଡିଶାରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିଛି । ଶନିବାର ଅଇଁଠାପାଲି ଥାନା ଅନ୍ତର୍ଗତର ବୁଢାରଜା ଅଞ୍ଚଳରେ ଏକ ନିର୍ମାଣଧୀନ ଫ୍ଲାଟରେ ନିଜକୁ ପଶ୍ଚିମବଙ୍ଗର ଶ୍ରମିକ କହୁଥିବା 35ଜଣ ଯୁବକଙ୍କୁ ସମ୍ବଲପୁର ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ଠାବ କରି ଅଇଁଠାପାଲି ଥାନାରେ ଜିମା ଦେଇଥିଲେ । ଏହାପରେ ପୋଲିସ ସେମାନଙ୍କ ଆଧାର କାର୍ଡ ଓ ଅନ୍ୟ କାଗଜପତ୍ର ଯାଞ୍ଚ କରିବା ସହ ତାଙ୍କ ଠିକଣା ପଚାରିଥିଲା । ଓଡ଼ିଶା ସମୁଦ୍ର ପଥ ଦେଇ ବାଂଲାଦେଶୀ ପଶି ଆସିବା ଭୟ ମଧ୍ୟରେ ବଙ୍ଗଳା କହୁଥିବା ଯୁବକଙ୍କୁ ଦେଖି ସନ୍ଦେହ ସୃଷ୍ଟି ହେବା ପରେ ସ୍ଥାନୀୟ ଲୋକେ ଥାନାରେ ଜିମା ଦେଇଥିଲେ ।
ବିଭିନ୍ନ ସ୍ଥାନରୁ ଆସୁଛି ଏପରି ଭିଡିଓ:-
ବାଂଲାଦେଶରେ ଏବେ ଜାରି ରହିଥିବା ସଙ୍କଟ ମଧ୍ୟରେ ପୂର୍ବ-ଭାରତ ଓ ବିଶେଷ ଭାବେ ଓଡିଶା ଉପକୂଳରେ ବାଂଲାଦେଶୀ ଅନୁପ୍ରବେଶ ଆଶଙ୍କା ବଢିଛି । ଅନ୍ୟପଟେ ଓଡିଶାର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଅନୁପ୍ରବେଶକାରୀ ବାଂଲାଦେଶୀମାନେ ବହୁବର୍ଷ ଧରି ଜବରଦଖଲ ମଧ୍ୟ କରିଛନ୍ତି । ଏବେ ଏହି ସମସ୍ୟା କାରଣରୁ ବିଭିନ୍ନ ସ୍ଥାନରେ ବାଂଲାଦେଶୀ ସନ୍ଦେହରେ ବିଭିନ୍ନ ବୁଲାବିକାଳି ଓ ଅନ୍ୟମାନଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିବା ଓ ପରିଚୟପତ୍ର ଆଦି ମାଗିବା ଘଟଣା ଦେଖିବାକୁ ମିଳିଛି । ଗତ ଦୁଇ-ତିନି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରି ଭିଡିଓ ସାମ୍ନାକୁ ଆସିବା ପରେ ଚିନ୍ତା ବଢିଛି ।
ଇଟିଭି ଭାରତ, ଭଦ୍ରକ ଓ ଜଗତସିଂହପୁର