ଭୁବନେଶ୍ଵର: ରାଜ୍ୟରେ ବୃଦ୍ଧି ପାଉଛି ସାପ କାମୁଡ଼ାଜନିତ ମୃତ୍ୟୁ । ଏହି କାରଣରୁ ଓଡ଼ିଶାରେ ବର୍ଷକୁ ପ୍ରାୟ ୮ଶହରୁ ଊର୍ଦ୍ଧ୍ବ ମୃତ୍ୟୁ ଘଟୁଛି । ପୋଲିସ ମାନଙ୍କୁ ସାପ କାମୁଡିବା ପରେ ପ୍ରାଥମିକ ଚିକିତ୍ସା ବିଷୟରେ ଶିକ୍ଷା ଦିଆଯାଇଛି । ଭୁବନେଶ୍ଵର ସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଯେଉଁଥିରେ ସବ ଇନ୍ସପେକ୍ଟର ଏବଂ ଡିଏସପି କ୍ୟାଡେଟ ମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଛି । ସ୍ନେକ ହେଲ୍ପ ତରଫରୁ ସକାଳ ସାଢେ ୫ ଟାରୁ ୩୫୦ ଜଣ କ୍ୟାଡେଟ ସବ ଇନ୍ସପେକ୍ଟର ଏବଂ ୫ ଜଣ କ୍ୟାଡେଟ ଡିଏସପିଙ୍କୁ ଦୀର୍ଘ ଦେଢ଼ ଘଣ୍ଟା ଧରି ପ୍ରଶିକ୍ଷଣ ଦିଆଯାଇଛି ।
![Snake Bite Primary Treatment](https://etvbharatimages.akamaized.net/etvbharat/prod-images/29-06-2024/21825758_1.jpg)
ପୋଲିସ ଏକାଡେମୀ ଷ୍ଟାଡିୟମରେ ଏକାଡେମୀର ଅନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏହି ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ଏବଂ ରାଜେଶ ସୂତାର ଏହି ପ୍ରଶିକ୍ଷଣରେ ସହଯୋଗିତା କରିଛନ୍ତି । ଓଡିଶାରେ ଦେଖା ଯାଉଥିବା ବିଷଧର ଏବଂ ବିଷହୀନ ସାପଙ୍କୁ ଚିହ୍ନିବା ଏବଂ ସେମାନଙ୍କର ଓଡ଼ିଆ ନାମ ଜାଣିବା ପାଇଁ ସ୍ନେକ ହେଲ୍ପ ଲାଇନ ଆଣ୍ଡ୍ରଏଡ ଆପ ଏବଂ ୱେବ ସାଇଟର ସହାୟତା ନେବା ପାଇଁ ଅନୁରୋଧ କରିଛନ୍ତି ଶୁଭେନ୍ଦୁ । ଦୁଇ ଦୁଇ ଜଣ କ୍ୟାଡେଟଙ୍କୁ ଡାକି ସାପ କାମୁଡିବା ପରେ ରକ୍ତ ସଞ୍ଚାଳନ ସମ୍ପୂର୍ଣ୍ଣ ବନ୍ଦ ନକରି, କମ କରିବା ପାଇଁ କିପରି କ୍ରେପ ବ୍ୟାଣ୍ଡେଜ ବା ଗାମୁଛାକୁ କ୍ଷତ ସ୍ଥାନ ଉପରକୁ ଗୁଡେଇ ଗୁଡେଇ ବନ୍ଧା ଯିବ, ସେନେଇ ମକ ଡ୍ରିଲ ମଧ୍ୟ କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ.. ସାପ କାମୁଡ଼ାକୁ ନେଇ ସତର୍କତା, ସାପ କାମୁଡ଼ିଲେ କରିବେ କଣ ? - Snake Bite Cases in Monsoon
କ୍ୟାଡେଟ ମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଯଥୋଚିତ ଉତ୍ତର ରଖିଥିଲେ ଶୁଭେନ୍ଦୁ । ଏତଦ ବ୍ୟତୀତ ଆଜିକାଲି ସାପକୁ ଅସ୍ତ୍ର ଭାବରେ ବ୍ୟବହାର କରି ସଂଗଠିତ ହେଉଛି ଅପରାଧ । ଏ ବିଷୟରେ ମଧ୍ୟ କ୍ୟାଡେଟ ମାନଙ୍କୁ ଅବଗତ କରାଯାଇଛି । ନିକଟରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନାରେ ସାପ ଧରାଳିଙ୍କୁ ସାପ କାମୁଡିବା ଦୁର୍ଘଟଣା, ଗଞ୍ଜାମ ଜିଲ୍ଲାରେ କବିସୂର୍ଯ୍ୟନଗର ଥାନା ଅଧୀନରେ ସାପକୁ ବ୍ୟବହାର କରି ହୋଇଥିବା ଡବଲ ମର୍ଡର ଘଟଣା ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ସେହିପରି ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅଧୀନରେ ଘରେ ସାପ ଛାଡ଼ି ଭୟଭୀତ କରେଇବା ପରେ ନାବାଳିକା ଦୁଷ୍କର୍ମ ଘଟଣା ଆଦି ସାମ୍ନାକୁ ଆସିଥିଲା। ଏଭଳି ଚାଞ୍ଚଲ୍ୟକର ଘଟଣା ବିଷୟରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ଵର