ଭୁବନେଶ୍ବର: ଓଡ଼ିଶା ବିଧାନସଭାର ନୂଆ ବିଧାୟକଙ୍କୁ ଦିଆଯିବାକୁ ଥିବା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମକୁ ବିଜେଡି ବର୍ଜନ କରିଛି । ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବନାହିଁ ବୋଲି ଦଳ ସ୍ପଷ୍ଟ କରିଛି । ଏନେଇ ବିଧାୟକ ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏପଟେ ବିଧାନସଭାରେ ନବାଗତ ବିଧାୟକମାନଙ୍କ ପ୍ରଶିକ୍ଷଣ ଶିବିରକୁ ମଧ୍ୟ ବୟକଟ୍ କରିବ କଂଗ୍ରେସ ।
![bjd mlas to boycott orientation programme](https://etvbharatimages.akamaized.net/etvbharat/prod-images/16-08-2024/od-bbsr-01-bjd-boyycut-7209787_16082024104536_1608f_1723785336_122.jpg)
ପ୍ରମିଳା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, "ବିଧାନସଭାରେ ହେଉଥିବା ସମସ୍ତ କାର୍ଯ୍ୟ ବିଧାନସଭାକୁ ନିର୍ବାଚିତ ହେଉଥିବା ସଭ୍ୟଙ୍କ ଦ୍ବାରା ସମ୍ପାଦିତ କରାଯିବାର ପରମ୍ପରା ରହିଛି । କିନ୍ତୁ ନୂଆ ବିଧାୟକଙ୍କୁ ଦିଗଦର୍ଶନ କାର୍ଯ୍ୟକ୍ରମର ଉଦଘାଟନ କେନ୍ଦ୍ରମନ୍ତ୍ରୀ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଗୃହର ପରମ୍ପରା ଓ ମର୍ଯ୍ୟଦାକୁ ଭଙ୍ଗ କରୁଛି । ମୁଖ୍ୟମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ । କିନ୍ତୁ ଏହି କାର୍ଯ୍ୟାକ୍ରମରେ ସେ ଜଣେ ସାଧାରଣ ବକ୍ତା ଭାବେ ଯୋଗ ଦେବା ଦ୍ୱାରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପଦ ମର୍ଯ୍ୟାଦାକୁ ହାନୀ କରାଯାଉଛି । ତେଣୁ ବିଜେଡି ଏହି ନିଷ୍ପତ୍ତି ନେଇଛି ।"
କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କୁ ସାମିଲ କରିବା ନେଇ ଉଭୟ ବିଜେଡି ଓ କଂଗ୍ରେସ ବିରୋଧ କରିଥିଲେ । ବିରୋଧୀ ବିଜେଡି ଓ କଂଗ୍ରେସର ବର୍ଜନ ଧମକ ପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ପୁଣିଥରେ ବିଧାନସଭା ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଜାରି ହୋଇଛି । ଏହି କାର୍ଯ୍ୟକ୍ରମର ଅତିଥି ତାଲିକାରୁ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କୁ ବାଦ ଦିଆଯାଇଛି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜୁ ଉଦଘାଟନ କରିବେ ବୋଲି ସଂଶୋଧିତ କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି । ଏହା ପରେ ବିଜେଡି କାର୍ଯ୍ୟକ୍ରମକୁ ବର୍ଜନ ନିଷ୍ପତ୍ତି ନେଇଛି । ବିଜେଡି କୌଣସି ବ୍ୟକ୍ତି ବିଶେଷଙ୍କୁ ନୁହେଁ, ବରଂ ସମ୍ବିଧାନିକ ପଦମର୍ଯ୍ୟାଦା ରକ୍ଷା କରିବା ଉପରେ ଗୁରୁତ୍ୱ ଦେଉଥିବା କହିଛି । ବିଧାନସଭା ପକ୍ଷରୁ ଏହା ଉଲଂଘନ ଅଭିଯୋଗ କରି ବିଜେଡି କାର୍ଯ୍ୟକ୍ରମକୁ ବର୍ଜ୍ଜନ ଘୋଷଣା କରିଛି ।
![bjd mlas to boycott orientation programme](https://etvbharatimages.akamaized.net/etvbharat/prod-images/16-08-2024/od-bbsr-01-bjd-boyycut-7209787_16082024104536_1608f_1723785336_446.jpg)
ବିଧାନସଭା ରେ ନବାଗତ ବିଧାୟକ ମାନଙ୍କ ପ୍ରଶିକ୍ଷଣ ଶିବିର କୁ ବୟ କଟ୍ କରିବ କଂଗ୍ରେସ-
ବିଧାନସଭା ରେ ନବାଗତ ବିଧାୟକ ମାନଙ୍କ ପ୍ରଶିକ୍ଷଣ ଶିବିରକୁ ବୟକଟ କରିବ କଂଗ୍ରେସ ଦଳ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ନୂଆ ବିଧାୟକମାନଙ୍କୁ ନିଜ ନିଜର ସମସ୍ୟା ତାର ସମାଧା ର ଦିଗ ,ଲୋକଙ୍କ ହିତ ପାଇଁ ସ୍ୱର ଉତ୍ତୋଳନ କରିବେ ସେ ନେଇ ଦିଆଯିବ ଟିପ୍ସ । ନୀତି , ନିୟମ, ନୈତିକତା ର ସଂଜ୍ଞା ର ମିଳିବ ଗୁରୁମନ୍ତ୍ର। ସେପଟେ ବିରୋଧୀ ମାନେ ପ୍ରଶିକ୍ଷଣ କମ, ଦଳୀୟ ରାଜନିତୀ ଚାଲିଛି ବୋଲି ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ଉଠୁଛି ଅନେକ ପ୍ରଶ୍ନ । ରାଜନୀତି ର ଗୋଲକ ଧନ୍ଦା ଭିତରେ ନୂଆ କରି ଆସିଥିବା ଲୋକପ୍ରତିନିଧି ମାନେ ଶିକ୍ଷା ପାଇବାରୁ ବଞ୍ଚିତ ହେବେନାହିଁ ତ,ଏମିତି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି ।
ଖାଲି ବିଜେଡି ନୁହେଁ କଂଗ୍ରେସ ଦଳ ମଧ୍ୟ ପ୍ରଶ୍ନ ଉଠାଇଛି।ବିଧାନସଭା ରେ ଦଳୀୟ ରାଜନିତୀ ଗ୍ରହଣ ଯୋଗ୍ୟ ନୁହେଁ ,ନିଜର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ସେ କହିଛନ୍ତି, "ପ୍ରଶିକ୍ଷଣ ଶିବିର ନାଁ ରେ ଦଳୀୟ କାର୍ଯ୍ୟକ୍ରମ ନକରନ୍ତୁ । ମୁଁ 90 ମସିହାରେ ବିଧାୟକ ଥିଲି ,ଦଳର ନେତା ମାନଙ୍କ ସହ ଆଲୋଚନା କରିଛି ,ଯେଉଁମାନେ ଅଭିଜ୍ଞ ନେତା ସେମାନେ ଆସି ନୂଆ ବିଧାୟକ ମାନଙ୍କୁ ତାଲିମ ଦିଅନ୍ତି କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଅଛନ୍ତି ,ବାଚସ୍ପତି ଅଛନ୍ତି ହେଲେ ଦଳୀୟ ବ୍ୟାପାର ଭଳି କରୁଛନ୍ତି ତେଣୁ ଆମେ ଏ ପ୍ରଶିକ୍ଷଣ ଶିବିରରୁ ବିରତ ରହିବୁ, ବୟକଟ କରିବୁ ।"
ଚଳିତ ସପ୍ତଦଶ ବିଧାନସଭା ର ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ସପ୍ତଦଶ ବିଧାନସଭା ରେ ପ୍ରାୟ 84 ଜଣ ନୂଆ ନିର୍ବାଚିତ ମାନଙ୍କୁ ପ୍ରଶିକ୍ଷଣ ଦେବେ ବରିଷ୍ଠ ନେତାମାନେ ।