ଭୁବନେଶ୍ବର: ଆଜି ଦିନିକିଆ ଓଡ଼ିଶାଗସ୍ତରେ ଆସିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ସେ ରାଜଭବନ ଅଭିମୁଖେ ଯାଇଥିଲେ । ସେଠାରେ ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ତେବେ ଏହି ଭେଟଘାଟ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କି ? ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ଖଣ୍ଡ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।
ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ:
ଆଜି ରାଜଭବନ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ପାଖାପାଖି 2 ଘଣ୍ଟା 20 ମିନିଟ ପରେ ରାଜଭବନରୁ ବାହାରି ଥିଲେ ସେ । ରାଜ୍ୟପାଳଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଏବଂ ଆଲୋଚନା ପରେ ସେ ଝାଡଖଣ୍ଡ ଅଭିମୁଖେ ବାହାରି ଥିଲେ । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ସେ ଭେଟିଛନ୍ତି । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି,"ମୋ ବ୍ୟକ୍ତିଗତ କାମ ପାଇଁ ମୁଁ 2 ଘଣ୍ଟା ପାଇଁ ଭୁବନେଶ୍ୱର ଆସିଛି । ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବି ଓ ବ୍ୟକ୍ତିଗତ ଆଲୋଚନା କରିବି । ପୁଣି ଓଡିଶା ଆସିବି । "
ଜୋର ଧରିଲା ରାଜନୈତିକ ଚର୍ଚ୍ଚା:
![ASSAM CM MEETS ODISHA GOVERNOR](https://etvbharatimages.akamaized.net/etvbharat/prod-images/27-09-2024/22553678_3.jpg)
2024 ସାଧାରଣ ନିର୍ବାଚନରେ ବିଜେପି ଏକାକୀ ସରକାର ଗଠନ ପରେ ହିମନ୍ତ ପ୍ରଥମକରି ଓଡିଶାଗସ୍ତରେ ଆସିଛନ୍ତି । ଆଉ ତାହା ପୁଣି ରାଜ୍ୟପାଳ ରଘୁବର ଦାସଙ୍କ ସହ ବ୍ୟକ୍ତିଗତ ଆଲୋଚନା ପାଇଁ ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆସାମର ମୁଖ୍ୟମନ୍ତ୍ରୀ ଓଡ଼ିଶାର ରାଜ୍ୟପାଳଙ୍କ ସହ ଭୁବନେଶ୍ୱର ଆସି ଭେଟିବାର ଅଭିପ୍ରାୟ କ'ଣ ? ଏହା ପଛରେ ରାଜନୈତିକ ଅଭିସନ୍ଧି ରହିଛି ନା ବ୍ୟକ୍ତିଗତ ଆଲୋଚନା ? ଏ ଘଟଣାକୁ ଅଧିକ ରୋଚକ କରିଛି । ଉଭୟଙ୍କ ଭେଟଘାଟ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।
ଆସୁଛି ଝାଡ଼ଖଣ୍ଡ ନିର୍ବାଚନ:
![ASSAM CM MEETS ODISHA GOVERNOR](https://etvbharatimages.akamaized.net/etvbharat/prod-images/27-09-2024/22553678_2.jpg)
ସୂଚନା ଥାଉ କି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ହେଉଛନ୍ତି ଝାଡ଼ଖଣ୍ଡର ବିଜେପି ପ୍ରଭାରୀ । ଆସନ୍ତା ନଭେମ୍ବର ମାସରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ । ରଘୁବର ଝାଡ଼ଖଣ୍ଡ ରାଜନୀତିରେ ଜଣେ ଦକ୍ଷ ରାଜନେତା ।
ଝାଡ଼ଖଣ୍ଡର ଓଡ଼ିଆ ଭୋଟରଙ୍କୁୁ ପ୍ରଭାବିତ କରିବା ପାଇଁ ପ୍ଲାନ ନୁହେଁ ତ ?
![ASSAM CM MEETS ODISHA GOVERNOR](https://etvbharatimages.akamaized.net/etvbharat/prod-images/27-09-2024/22553678_1.jpg)
ଝାଡ଼ଖଣ୍ଡ ଏବଂ ଓଡିଶା ପଡୋଶୀ ରାଜ୍ୟ । ଝାଡ଼ଖଣ୍ଡର କୋଲହଁନ ଡିଭିଜନ, ତିନୋଟି ଜିଲ୍ଲା ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ, ସରାଇକେଲା ଏବଂ ଖରସୁଆଁ ହେଉଛି ଓଡ଼ିଆଙ୍କ ପ୍ରଭାବୀ ଜିଲ୍ଲା ।ଏହିଜିଲ୍ଲା ଗୁଡିକରେ ଅଧିକାଂଶ ଜନଜାତି ସମ୍ପ୍ରଦାୟର ଓଡ଼ିଆ ବସବାସ କରନ୍ତି । ତେଣୁ ଆଲୋଚନା ହୋଇଥାଇପାରେ ଚର୍ଚ୍ଚା ହେଉଛି । ପାଖାପାଖି ଅଢେଇ ଘଣ୍ଟା ପରେ ହିମନ୍ତ ବିଶ୍ୱଶର୍ମା ରାଜଭବନରୁ ବାହାରି ଝାଡ଼ଖଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି । ହିମନ୍ତଙ୍କ ଟୁର ପ୍ରୋଗ୍ରାମ ଅନୁଯାୟୀ ଓଡିଶାରୁ ଝାଡ଼ଖଣ୍ଡ ଏବଂ ପରେ ଝାଡ଼ଖଣ୍ଡରୁ ଦିଲ୍ଲୀଗସ୍ତ କରି ଦିଲ୍ଲୀରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର