ବଲାଙ୍ଗୀର: ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଇଛି ଦଳ । ବଲାଙ୍ଗୀର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଆଶିଷ ପାଣ୍ଡେ । ବଲାଙ୍ଗୀରରେ ଏଥର ପରିବର୍ତ୍ତନର ଲହର ଆସିବ ଓ ସେ ବିଜୟୀ ହେବେ ବୋଲି ଟିକଟ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି । ବଲାଙ୍ଗୀର ବିଧାନସଭା ଆସନରୁ ଆପ୍ ଦଳରୁ ପ୍ରାର୍ଥୀ ହେବା ପରେ ଦଳର ରାଜ୍ୟ ସଭାପତି, ରାଜ୍ୟ ସଂପାଦକ, ରାଜ୍ୟ ପ୍ରଭାରୀ, କେନ୍ଦ୍ର ନେତୃତ୍ବ, ବଲାଙ୍ଗୀର ଜିଲ୍ଲାବାସୀ ଏବଂ ଆପର ଜିଲ୍ଲା କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଶିଷ ପାଣ୍ଡେ ।
ପ୍ରତିକ୍ରିୟାରେ ଆଶିଷ ପାଣ୍ଡେ କହିଛନ୍ତି, ''ଏହା ପାର୍ଟି କିମ୍ବା ମୋର ଲଢେଇ ଏହା ନୁହେଁ । ଏଇଟା ସାରା ବଲାଙ୍ଗୀର, ସାରା ଓଡ଼ିଶାର ଲଢେଇ । ବଲାଙ୍ଗୀରରେ ଏଥର ପରିବର୍ତ୍ତନର ଲହର ଆସିବ । ଜିଲ୍ଲାରେ ଥିବା ମହାରାଜା ପରିବାର ବିଜେପି, ରାଜା ପରିବାର ବିଜେଡି ଓ ସିଂହ ପରିବାର କଂଗ୍ରେସର ନେତାମାନେ ଦୀର୍ଘ ବର୍ଷ ଶାସନ କରି ଉନ୍ନତି କରିପାରି ନାହାନ୍ତି । ଏଠି ଦାଦନ ସମସ୍ୟା, ଗରିବୀ, ଶିକ୍ଷା ସ୍ବାସ୍ଥ୍ୟ ଜଳସେଚନ ସବୁଥିରେ ଘୋର ଅବହେଳା ଓ ସମସ୍ୟା ରହିଛି । ଯାହା କେବଳ ଏହି କଥାକଥିତ ନେତାମାନେ ବିକାଶ କରିବା ପ୍ରତିଶ୍ରୁତି ଦେଇ ଶୋଷଣ କରିଛନ୍ତି ଏବଂ ନିଜ ସମ୍ପତ୍ତି ଓ ପ୍ରତିଷ୍ଠା ବଢାଇଛନ୍ତି । ବିଜେପି ଏଠି ଜୟ ବଲାଙ୍ଗୀର ନାରା ଦେଇଥିବା ବେଳେ ରାଜା ଘର ବିଜେଡି ନେତା ଆମର ବଲାଙ୍ଗୀର ଓ କଂଗ୍ରେସ ନରସିଂହ ମିଶ୍ର ପରିବାର ପକ୍କା ବଲାଙ୍ଗୀର ନାରା ଦେଇ ଲୋକଙ୍କୁ କେବଳ ଭୁଆଁ ବୁଲାଉଛନ୍ତି । ଆଜି ବି ବଲାଙ୍ଗୀର ସବୁ କ୍ଷେତ୍ରରେ ପଛୁଆ ଅଛି । ଏଥିପାଇଁ ଏମାନେ ହିଁ ଦାୟୀ । ତେଣୁ ଏଥର ପରିବର୍ତ୍ତନ ଲୋକ ଚାହୁଁଛନ୍ତି ଏବଂ ଆପ୍ ଭଳି ଦଳକୁ ଏଠି ଲୋକେ ନିଶ୍ଚୟ ବାଛିବେ ।''
ବଲାଙ୍ଗୀର ବିଧାନସଭା ଆସନରେ ଆପ୍ ଦଳ ଗତ 2014ରୁ ପ୍ରାର୍ଥୀ ଦେଇଆସୁଛି । ପ୍ରଥମେ ଦଳ ସଂଗୀତା ମାଝୀଙ୍କୁ ଟିକଟ ଦେଇଥିଲା । 2014 ନିର୍ବାଚନରେ ସେ ମାତ୍ର 1086 ଭୋଟ ପାଇଥିଲେ । 2019 ନିର୍ବାଚନରେ ଆଶିଷ ପାଣ୍ଡେଙ୍କୁ ଆପ୍ ଟିକଟ ଦେଇଥିଲା । ମାତ୍ର 1411 ଭୋଟ ପାଇ ପରାଜିତ ହୋଇଥିଲେ ସେ । 2014ରେ ଲୋକସଭା ଆସନରେ ଆପ୍ ଦଳ ତରଫରୁ ଲଢିଥିଲେ ସ୍ୱରସ୍ଵତୀ ନନ୍ଦ । ସେ ମୋଟ 24 ହଜାର 515 ଭୋଟ ପାଇଥିଲେ । ଜିଲ୍ଲାରେ ଆପ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଥିବା ବେଳେ ଚଳିତ ଥର ଫଳାଫଳ କଣ ହେବ ତା' ଉପରେ ସମସ୍ତଙ୍କ ନଜର ।
ଇଟିଭି ଭାରତ, ବଲାଙ୍ଗୀର