ଜଗତସିଂହପୁର: ପଡୋଶୀ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ହିଂସାତ୍ମକ ସ୍ଥିତି ଲାଗି ରହିଛି । ଯେଉଁଥିପାଇଁ ଜଗତସିଂହପୁର ଜିଲ୍ଲା ସମେତ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ ବଢିବା ଆଶଙ୍କା ସୃଷ୍ଟି ହୋଇଛି । ଜଗତସିଂହପୁର ଜିଲ୍ଲାରେ ପୂର୍ବରେ ରହିଛି ବଙ୍ଗୋପସାଗର । ଏହାର ମୋଟ ୪୮ କିଲୋମିଟର ବେଳାଭୂମି ରହିଥିବାବେଳେ ଦକ୍ଷିଣକୁ ପୁରୀ ଓ ଉତ୍ତରରେ କେନ୍ଦ୍ରାପଡା ଜିଲ୍ଲା ରହିଛି । ନେହୁର ବଙ୍ଗଳାସ୍ଥିତ ପାରାଦ୍ୱୀପ ମାଛଧରା ବନ୍ଦରରେ ପ୍ରତ୍ୟେକ ଦିନ ଶତାଧିକ ଟ୍ରଲର ଓ ଡଙ୍ଗାରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯାଇଥାନ୍ତି । ସେହିପରି ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଡଙ୍ଗା ଓ ଭୁଟୁଭୁଟି ମାଧ୍ୟମରେ ମତ୍ସ୍ୟଜୀବୀ ଭାବରେ ଆସି ଭାରତୀୟ ଜଳସୀମା ଦେଇ ପାରାଦ୍ୱୀପକୁ ଆସିଥାନ୍ତି ।
ଜଗତସିଂହପୁରରେ ରହୁଛନ୍ତି 2 ହଜାରରୁ ଊର୍ଦ୍ଧ୍ବ ବାଂଲାଦେଶ ଶରଣାର୍ଥୀ:
ସରକାରୀ ରିପୋର୍ଟ ଅନୁସାରେ, ଜଗତସିଂହପୁର ଜିଲ୍ଲାରେ ୨୦୧୦ ମଧ୍ୟରେ ୨ ହଜାରରୁ ଅଧିକ ବାଂଲାଦେଶୀ ଶରଣାର୍ଥୀମାନେ ମତ୍ସ୍ୟଜୀବୀ ଭାବରେ ଆସି ପାରାଦ୍ୱୀପ, ଏରସମା,ବାଲିକୁଦା ଆଦି ଅଞ୍ଚଳରେ ଜଙ୍ଗଲ ସଫା କରି ରହିଆସିଛନ୍ତି । ଏ ସମ୍ପର୍କରେ ଜଗତସିଂହପୁର ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିବା ଶଙ୍କର ଦାସ କହିଛନ୍ତି, ''ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିବ । ପୂର୍ବରୁ ଅନେକ ବାଂଲାଦେଶୀ ଶରଣାର୍ଥୀ ବେଆଇନ ଭାବରେ ପ୍ରବେଶ କରି ମାଛ ମାରିବା ସହିତ ଦୀର୍ଘ ଦିନଧରି ରହି ସରକାରଙ୍କ ସମସ୍ତ ସୁବିଧା ହାତେଇଛନ୍ତି । ପାରାଦ୍ୱୀପର ବିଭିନ୍ନ ସ୍ଥାନରେ ସେମାନେ ଜଙ୍ଗଲ ସଫା କରି ବସତି ସ୍ଥାପନ କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ପାଇ ଭୁଟୁଭୁଟି ମାଧ୍ୟମରେ ଚାଉଳ ବାଂଲାଦେଶକୁ ବିଭିନ୍ନ ସମୟରେ ନେଉଛନ୍ତି ।'' ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ଉପକୂଳ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ଏଥିପ୍ରତି ଆଖିବୁଜି ଦେଇଥିବା କାରଣୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।''
ଏହା ମଧ୍ୟ ପଢନ୍ତୁ: INFILTRATION ALERT: ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ ଟେନସନ, ୭ ଉପକୂଳ ଜିଲ୍ଲାରେ ହାଇଆଲର୍ଟ, ଆକ୍ସନ ମୋଡରେ ୧୮ ସାମୁଦ୍ରିକ ଥାନା - Odisha On Alert
2014ରୁ ଗଠନ ହୋଇଥିଲା କମିଟି:
ସେହିପରି ଜଗତସିଂହପୁରର ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କିଶୋର ଚୌଧୁରୀ କହିଛନ୍ତି ଯେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ସହିତ ଜିଲ୍ଲାରେ କେତେ ଶରଣାର୍ଥୀ ଅଛନ୍ତି ସେନେଇ ୨୦୧୪ରେ ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା । ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ସେ ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଥିଲା । କିନ୍ତୁ ପରେ ରାଜନୈତିକ ଚାପ ଯୋଗୁଁ ଏହା ସମ୍ଭବ ହୋଇ ପାରିନଥିବା ସେ କହିଛନ୍ତି ।
ସରକାରୀ ଜମିକୁ ଜବରଦଖଲ କରିଛନ୍ତି ବାଂଲା ଶରଣାର୍ଥୀ:
ସେ ଆହୁରି ମଧ୍ୟ କହିଛନ୍ତି, ''ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପର ଇଫ୍କୋ ମୂଷାଢ଼ିହି ଜଙ୍ଗଲ, ନନ୍ଦରା, ବଲରି, କଳାଢ଼ିହି, ଏରସମା ବ୍ଲକର ଆମ୍ବେକି, ପଦ୍ମପୁର ଆଦି ଅଞ୍ଚଳରେ ବାଂଲାଦେଶୀ ଶରଣାର୍ଥୀମାନେ ସରକାରୀ ଜମିକୁ ଜବର ଦଖଲ କରି ରହିଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ବାଂଲାଦେଶରେ ଭୋଟର ଥିବାବେଳେ ଏଠାରେ ମଧ୍ୟ ଭୋଟର କାର୍ଡ, ଆଧାର କାର୍ଡ ଆଦି ରହିଛି । ତଥାପି ସେମାନେ ରାସନ କାର୍ଡ ହାତେଇ ଏଠିକାର ଚାଉଳ ବାଂଲାଦେଶକୁ ପଠାଉଛନ୍ତି । ବର୍ତ୍ତମାନ ବାଂଲାଦେଶ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।'' ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ସେ ମତ ଦେଇଛନ୍ତି ।
ସେହିପରି ସ୍ଥାନୀୟ ବାସିନ୍ଦା ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି , ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ । ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଯୋଗାଯୋଗ କରାଯାଇଥିଲେ ହେଁ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।
ସମୁଦ୍ର ମଧ୍ୟରେ ବଢାଯାଇଛି ପାଟ୍ରୋଲିଂ:
ଏନେଇ ଜଗତସିଂହପୁର ଏସପି ରାହୁଲ ପି.ଆର କହିଛନ୍ତି, ''ସମୁଦ୍ର ତଟବର୍ତୀ ଅଞ୍ଚଳରେ ବାଂଲାଦେଶ ଅନୁପ୍ରବେଶ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ସମୁଦ୍ର ମଧ୍ୟରେ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି । ଇଣ୍ଟେଲିଜେନ୍ସ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯାଇଛି ।''
କହିରଖୁଛୁ କି, ନିକଟରେ ପାରାଦ୍ବୀପ ବନ୍ଦର ୧୦୦ ମିଲିୟନ ଟନ ପଣ୍ୟ କାରବାର କରି ବନ୍ଦର ଇତିହାସରେ ଏକ ବିରଳ ରେକର୍ଡ ସୃଷ୍ଟି କରିଥିଲା । ଏମିତିରେ ଏବେ ଏହି ସମୁଦ୍ରତଟ ଦେଇ ବାଂଲାଦେଶୀଙ୍କ ଅନୁପ୍ରବେଶ ବଢୁଥିବାବେଳେ ଏହାକୁ ନେଇ ଉଦବେଗ୍ ପ୍ରକାଶ ପାଇଛି । ରୋକିବାକୁ ପୋଲିସ ପ୍ରଶାସନ କ'ଣ ପଦକ୍ଷେପ ନେଉଛି, ତାହା ଦେଖିବା ବାକି ରହିଲା ।
ଇଟିଭି ଭାରତ, ଜଗତସିଂହପୁର