ଭୁବନେଶ୍ବର: ଗୋଟିଏ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE)ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। CBSE ଭଳି ଗୋଟିଏ ଦିନରେ CHSE ର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । କଳା,ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ଗୋଟିଏ ଦିନରେ ଜାଣିପାରିବେ ଛାତ୍ରଛାତ୍ରୀ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ପିଲାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି ନିଷ୍ପତ୍ତି ନେଇଛି । ତେବେ ନିର୍ବାଚନୀ ବର୍ଷରେ CHSEର ଏଭଳି ଦମ୍ଭୋକ୍ତି କେତେ ସଫଳ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।
ଯୁକ୍ତ ଦୁଇ ପରୀକ୍ଷା ଶେଷ ହେବାର ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି । ଏନେଇ ମଧ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ଆଗୁଆ ମୂଲ୍ୟାୟନ କରାଯିବ। ଏପଟେ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହୁଥିବାବେଳେ ପରୀକ୍ଷା କେନ୍ଦ୍ର ଗୁଡି଼କ ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଛି । ଯେଭଳି ଭାବରେ ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରୁ ଉତ୍ତର ଖାତା ଆସି ପହଞ୍ଚିବ ତାକୁ ମଧ୍ୟ ତଦାରଖ କରାଯାଉଛି ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ।
ସୂଚନା ଅନୁଯାୟୀ, CBSE ଓ ICSE ପ୍ରତିବର୍ଷ ଗୋଟିଏ ଦିନରେ ରେଜଲ୍ଟ ପ୍ରକାଶ କରିଛନ୍ତି। ମାତ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗୋଟିଏ ଦିନରେ ଫଳ ପ୍ରକାଶନ କରି ପାରୁନଥିବାରୁ ଛାତ୍ରଛାତ୍ରୀମାନେ ନିଜ କ୍ୟାରିଅରକୁ ନେଇ ଚିନ୍ତାରେ ପଡିଥାନ୍ତି । କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟଗୁଡ଼ିକରେ ଆଡମିସନ ପାଇଁ କ୍ୟାରିଅର ଓ ପ୍ରବେଶିକା ପରୀକ୍ଷା ରେଜଲ୍ଟକୁ ନେଇ ଚୂଡ଼ାନ୍ତ ମାର୍କ ପ୍ରକାଶ ପାଇଥାଏ । ମାତ୍ର ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇନଥିବାରୁ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ କି ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଡମିସନ ନେବାରୁ ବଞ୍ଚିତ ହେଇଥାନ୍ତି ଛାତ୍ରଛାତ୍ରୀ। ସେହିପରି ରେଜଲ୍ଟ ପ୍ରକାଶନରେ ବିଳମ୍ବ ପାଇଁ ସମର କ୍ରାସ କୋର୍ସ କରିପାରୁନାହାନ୍ତି ଅନେକ ଛାତ୍ରଛାତ୍ରୀ । ତେବେ ପ୍ରତିବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗୋଟିଏ ଦିନରେ ସମସ୍ତ ବିଭାଗର ପରୀକ୍ଷା ଫଳ ପ୍ରକାଶ ନେବା ପାଇଁ ନିଷ୍ପତ୍ତି ନେଇଥାଏ । ମାତ୍ର ତାହା ସଫଳ ହୋଇପାରିନାହିଁ । ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗୋଟିଏ ଦିନରେ ସମସ୍ତ ବିଭାଗର ପରୀକ୍ଷା ରେଜଲ୍ଟ ପ୍ରକାଶ କରି ପାରୁଛି ନା ନାହିଁ ତା ଉପରେ ଏବେ ନଜର।
ଏହା ମଧ୍ୟ ପଢନ୍ତୁ...ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା, ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୫୪ ପରିକ୍ଷାର୍ଥୀ
ସୂଚନା ଅନୁଯାୟୀ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି। ମୋଟ ୧ ଲକ୍ଷ ୯୯ ହଜାର ୩୬୧ ଜଣ ଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି। ସେହିଭଳି କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବାବେଳେ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୨୦ ଯାଏ ଚାଲିବ।
ଇଟିଭି ଭାରତ, ଭୁବନେଶ୍ବର