ଭୁବନେଶ୍ବର: ବିଧିବଦ୍ଧ ଭାବେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ତଥା ସମାଜସେବୀ ସ୍ୱପ୍ନା ପତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଜେଡ଼ିରେ ଯୋଗ ଦେଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସ୍ୱପ୍ନାକୁ ଦଳକୁ ସ୍ୱାଗତ କରିଛନ୍ତି ।
ଏହି ଅବସରରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ସ୍ୱପ୍ନା ପତି ହେଉଛନ୍ତି ଜଣେ ଜଣାଶୁଣା ଅଭିନେତ୍ରୀ ତଥା ସମାଜସେବୀ । ସ୍ୱପ୍ନା ପତି ଫାଉଣ୍ଡେସନ ମାଧ୍ୟମରେ ସେ ଓଡ଼ିଶାବାସୀଙ୍କ ସେବା ପାଇଁ କାର୍ଯ୍ୟ କରିଛନ୍ତି । ଓଡିଶା ତଥା ଓଡ଼ିଶା ବାହାରେ ସମାଜସେବୀ କ୍ଷେତ୍ରରେ ଅନେକ କାମ କରିଛନ୍ତି । 2012ରେ ଆରମ୍ଭ ହୋଇଥିବା ଫାଉଣ୍ଡେସନ ଜରିଆରେ ସେ ନାରୀ ସଶକ୍ତିକରଣ କାମ ପାଇଁ ଅନେକ କାମ କରିଛନ୍ତି । ଅର୍ଗାନିକ ହୋଲି ପାଳନ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ । ଫନି ବେଳେ ଓଡ଼ିଶାରେ ମାଗଣା ଖାଦ୍ୟ ପ୍ରଦାନ କରିଛନ୍ତି । ବିଜେଡିରେ ସାମିଲ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ନାରୀ ସଶକ୍ତିକରଣ ପାଇଁ ଯେଉଁ ଉଦ୍ୟମ ଆହୁରି ଆଗକୁ ଯିବ ।
ସ୍ୱପ୍ନା କହିଛନ୍ତି,"ରାଜନୈତିକ ଦଳ ଭାବେ ନୁହେଁ ପରିବାରର ସଦସ୍ୟ ଭାବେ ଆଜି ବିଜେଡିରେ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କୁ ଧନ୍ୟବାଦ ଜଣାଉଛି । ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ନଂ 1 ମୁଖ୍ୟମନ୍ତ୍ରୀ । କଥାରେ ନୁହେଁ କାମରେ କରିକି ସେ ଦେଖାନ୍ତି । ରାଜ୍ୟ ବାହାରେ ଥିବାବେଳେ ମୋତେ ଅନେକ ଲୋକ ପଚାରୁଥିଲେ ଓଡ଼ିଶା କେଉଁଠି ଅଛି ? ଲଗାତାର ଦୁଇ ଥର ହକି ବିଶ୍ୱକପ ଆୟୋଜନ ଓଡିଶାକୁ ବିଶ୍ୱ ଦରବାରରେ ପରିଚୟ ଦେଇଛି । "
ସେ ଆହୁରି ମଧ୍ୟ କହିଛନ୍ତି,"1999 ମହାବାତ୍ୟା ଓଡିଶାର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ପରିଚୟ ଲାଭ କରିଛି । ମଧ୍ୟବିତ୍ତ ଓ ଗରିବ ବର୍ଗଙ୍କ ଉନ୍ନତିରେ ଦେଶ ଓ ରାଜ୍ୟ ବିକଶିତ ହୁଏ । ଏଥିପାଇଁ କଥା କହିଲେ ହେବନାହିଁ । କାମ କରିବାକୁ ପଡେ । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରି ଦେଖାଇଛନ୍ତି । କେନ୍ଦ୍ର ସରକାରଙ୍କ ସହଯୋଗ ବିନା ଓଡିଶା ନିରନ୍ତର ଭାବେ ବିକାଶ କରି ଆସିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତିରେ ମୁଁ ପ୍ରେରିତ । ତେଣୁ ଆଜି ବିଜେଡିରେ ସାମିଲ ହୋଇଛି । ଦଳ ଯାହା ଦାଇତ୍ୱ ଦେବ ନିଷ୍ଠାପର ଭାବେ କରିବା ପାଇଁ ଚେଷ୍ଟା କରିବି ।"
ଇଟିଭି ଭାରତ, ଭୁବନେଶ୍ବର