ରାଉରକେଲା: ଏକ ମିଥ୍ୟା ସତ୍ୟପାଠ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ରାଜଗାଙ୍ଗପୁର ୯ ନମ୍ବର ୱାର୍ଡ ବିଜେଡି ମ୍ୟୁନିସପାଲ କାଉନ୍ସିଲର୍ ଅନ୍ତରୀକ୍ଷ ପଲେଇଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି । ଏହାସହ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ର ରାଉତଙ୍କୁ ସଭ୍ୟ ଭାବେ ଘୋଷଣା କରିବାକୁ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କୁ ଆଦେଶ କରିଛନ୍ତି କୋର୍ଟ । କୋର୍ଟ ଆଦେଶ ଆସିବା ପରେ ରାଜଗାଙ୍ଗପୁର ରାଜନୀତି ସମ୍ପୂର୍ଣ୍ଣ ସରଗରମ ହୋଇପଡ଼ିଛି ।
ଗତ ପୌର ନିର୍ବାଚନରେ ୯ ନମ୍ବର ୱାର୍ଡର କାଉନସିଲର ଭାବେ ବିଜୁ ଜନତାଦଳର ଅନ୍ତରୀକ୍ଷ ପଲେଇ ନିର୍ବାଚିତ ହୋଇଥିଲେ । ମାତ୍ର ଅନ୍ତରୀକ୍ଷ ପଲେଇ ନାମାଙ୍କନ ପତ୍ର ଭରିବା ବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ । ସେପଟେ ମିଥ୍ୟା ସତ୍ୟପାଠ ଦାଖଲ କରିବା ନେଇ ଅଭିଯୋଗ ହୋଇଥିଲା । ଅନ୍ତରୀକ୍ଷ ପଲେଇ ସତ୍ୟପାଠରେ ସମ୍ପତ୍ତି ତାଲିକା ସମ୍ପୂର୍ଣ୍ଣ ଭୁଲ ଦେଇଥିଲେ । କେବଳ ରାଜଗାଙ୍ଗପୁରର ସମ୍ପତ୍ତି ତାଲିକା ପ୍ରଦାନ କରିଥିବା ବେଳେ ନିଜର ଭଦ୍ରକ ଜିଲ୍ଲା ବରୁଣେଇ ପଞ୍ଚାୟତରେ ଥିବା ପୈତୃକ ଭୂସମ୍ପତ୍ତି ଏବଂ ସୁନାଗହଣା ସମ୍ପର୍କରେ ସତ୍ୟପାଠରେ କୌଣସି ପ୍ରକାର ଉଲ୍ଲେଖ କରିନଥିଲେ ।
ସେହିପରି ତାଙ୍କର ରାଜଗାଙ୍ଗପୁର ଆଇଟି କଲୋନିର ବି-୧୦ ବାସଭବନକୁ ମଧ୍ୟ ସତ୍ୟପାଠରେ ଗୋପନ ରଖିଥିଲେ । ଏହାସହ ତାଙ୍କର ଦୁଇଟି ଭୋଟର୍ କାର୍ଡ ଥିବା ମଧ୍ୟ ଜଣା ପଡ଼ିଥିଲା । ପୈତୃକ ଗାଁ ଭଦ୍ରକ ଜିଲ୍ଲା ବରୁଣେଇରେ ଥିବା ଗୋଟିଏ ଭୋଟର କାର୍ଡରେ ପଞ୍ଚାୟତ ନିର୍ବାଚନରେ ଭୋଟଦେବା ପରେ ତାକୁ ଲୁଚେଇ ରାଜଗାଙ୍ଗପୁର ପୌର ନିର୍ବାଚନରେ ଆଉ ଏକ ଭୋଟର୍କାର୍ଡ ପ୍ରସ୍ତୁତ କରି ନିର୍ବାଚନ ଲଢ଼ିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ସତ୍ୟପାଠରେ ଏସବୁ ଉଲ୍ଲେଖ କରିନଥିଲେ ବିଜେଡି କାଉନସିଲର ଅନ୍ତରୀକ୍ଷ ପଲେଇ ।
ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ହେଲେ ମନୋଜ ଆହୁଜା - Manoj Ahuja New Chief Secretary
ଏନେଇ ନିକଟତମ ସ୍ବାଧୀନ ପ୍ରତିଦ୍ବନ୍ଦ୍ବୀ ପୂର୍ଣ୍ଣଚନ୍ଦ୍ର ରାଉତ (ଯିଏ ଏବେ ବିଜେପିରେ ସାମିଲ ହୋଇଛନ୍ତି) ୨୦୨୨ ଏପ୍ରିଲରେ ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜଙ୍କ ନିକଟରେ କୋର୍ଟରେ ମାମଲାକୁ ନେଇଥିଲେ ଏବଂ ଏହା ଉପରେ ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲେ । ମାମଲାକୁ କୋର୍ଟ ଗ୍ରହଣ କରିଥିଲେ ଏବଂ ବିଚାର ଚାଲିଥିବା ବେଳେ ବର୍ତ୍ତମାନ କୋର୍ଟ ରାୟ ପ୍ରକାଶ କରିଛନ୍ତି । ବିଜେଡିର ଅନ୍ତରୀକ୍ଷ ପଲେଇଙ୍କ ସଭ୍ୟପଦକୁ ରଦ୍ଦ କରାଯାଇଛି । କାଉନସିଲରଙ୍କ ସଭ୍ୟ ପଦ ରଦ୍ଦ ହୋଇଥିବା ବେଳେ ଅଭିଯୋଗକାରୀଙ୍କୁ ସଭ୍ୟ ଭାବରେ ବିବେଚିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, ସୁନ୍ଦରଗଡ଼