ପୁରୀ: ଘରେ ଏସି, ଟିଭି ଓ ଫ୍ରିଜ୍ । ହେଲେ ମାସକୁ ବିଦ୍ୟୁତ ବିଲ ଆସୁଛି ମାତ୍ର ୨୦ ଟଙ୍କା । କିଛି ଅସାଧୁ କର୍ମଚାରୀ ଏଭଳି ଜାଲିଆତି କରୁଥିବା ସଙ୍ଗୀନ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି । ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ । ସେପଟେ ଏହି ଘଟଣାର ତଦନ୍ତ କରାଯିବ ବୋଲି ଅଫ୍ କ୍ୟାମେରାରେ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ଟାଟା ପାୱାର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସ୍ମୃତି ରଞ୍ଜନ ସ୍ୱାଇଁ ।
୨୦ ଟଙ୍କା ବିଦ୍ୟୁତ ବିଲ୍:
ଆପ୍ ଅଭିଯୋଗ କରିଛି ଯେ, ପୁରୀ ସହରରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କର ଇଲେକ୍ଟ୍ରି ବିଲ୍ ମାସକୁ ୨୦ ଟଙ୍କା ଆସୁଛି । ଘରେ ଏସି, ଟିଭି, ଫ୍ରିଜ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣ ଥିବାବେଳେ ମାସକୁ ମାତ୍ର ୨୦ ଟଙ୍କା ଇଲେକ୍ଟ୍ରି ବିଲ୍ ଆସିବା ସହରବାସୀଙ୍କୁ ଚକିତ କରିଦେଇଛି । ଦୀର୍ଘ ଦିନ ଧରି ଟାଟା ପାୱାରରେ ଏଭଳି ଅନିୟମିତତା କାର୍ଯ୍ୟ ଚାଲିଥିବା ନେଇ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । ଏନେଇ ସମ୍ପୂର୍ଣ୍ଣ ତଥ୍ୟ ସହିତ ମାସକୁ ୨୦ ଟଙ୍କା ଇଲେକ୍ଟ୍ରି ବିଲ୍ ଆସୁଥିବା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଦେଖାଇଛନ୍ତି ଦଳର କର୍ମକର୍ତ୍ତା ।
ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟିର ଆବାହକ ସଞ୍ଜୀବ ମହାନ୍ତି ଅଭିଯୋଗ କରିଛନ୍ତି, "ସାଧାରଣ ଗରିବ ଲୋକଟିଏ ଅଳ୍ପ କିଛି ବିଦ୍ୟୁତ ଉପକରଣ ବ୍ୟବହାର କରୁଥିବାବେଳେ ମାସକୁ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ ଦେଉଛି ଗରିବ ଉପଭୋକ୍ତା । ଏହି ସ୍ବଚ୍ଛଳ ବ୍ୟକ୍ତିଙ୍କର ଘରେ ଏକାଧିକ ବିଦ୍ୟୁତ ଉପକରଣ ଲାଗିଥିବାବେଳେ ମାସକୁ ୨୦ ଟଙ୍କା ବିଲ୍ ଆସିବା ଦୁଃଖର ବିଷୟ । ଟାଟା ପାୱାର ଗରିବ ଲୋକଙ୍କୁ ଶୋଷଣ କରୁଥିବାବେଳେ ବଡ଼ବଡ଼ିଆଙ୍କୁ କାହିଁକି ଅହେତୁକ ଅନୁକମ୍ପା ଦେଖାଉଛି ? ପୁରୀ ଟାଟା ପାୱାରରେ ବ୍ୟାପକ ଦୁର୍ନୀତି ଚାଲିଥିବା ସ୍ପଷ୍ଟ ହୋଇଥିବାବେଳେ ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆମ ଆଦମୀ ପାର୍ଟି ପକ୍ଷରୁ ଦାବି ଜୋରଦାର କରାଯିବ।"
୫୦ ରୁ ଅଧିକ ବ୍ୟକ୍ତିଙ୍କ ନାଁରେ ୨୦ ଟଙ୍କା ବିଲ୍:
ଆମ୍ ଆଦମୀ ପାର୍ଟି ଦାଖଲ କରିଥିବା ତଥ୍ୟ ଅନୁସାରେ, ପୁରୀ ସୁଆର ସାହି ଏବଂ ପୁରୀ ଟାଉନରେ କିଛି ବ୍ୟକ୍ତିଙ୍କ ନାଁରେ ଚଳିତ ମାସ ମାତ୍ର ୨୦ ଟଙ୍କାର ବିଦ୍ୟୁତ ବିଲ୍ ଆସିଛି । କେବଳ ଏତିକି ନୁହେଁ, ୫୦ରୁ ଅଧିକ ବ୍ୟକ୍ତିଙ୍କର ବିଦ୍ୟୁତ ବିଲ୍ ମାତ୍ର ୨୦ ଟଙ୍କା ଆସିଛି । ଏହା କିଭଳି ସମ୍ଭବ ହୋଇପାରିଲା ତା'କୁ ନେଇ ପ୍ରଶ୍ନ ଉଠାଇଛି ଆପ୍ ।
ଦୁର୍ନୀତି ନା ତ୍ରୁଟି?
ଇଟିଭି ଭାରତ, ପୁରୀ