ଭୁବନେଶ୍ବର: ବର୍ତ୍ତମାନ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ରାଜ୍ୟରେ ସକ୍ରିୟ ରହିଥିବା ବେଳେ ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଲାଗିରହିବ । ସେପଟେ କିଛି ଦିନ ଭିତରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଆସନ୍ତାକାଲି ଅର୍ଥାତ 18 ତାରିଖରେ କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଗଜପତି, ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ, କୋରାପୁଟ ଓ ମାନକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ 19 ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପରେ ପରିଣତ ହେବ । ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳୁର ଅତି ପ୍ରବଳ ବର୍ଷା ହେବ ।
19 ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବ । ସେହିପରି 20 ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି କଳାହାଣ୍ଡି, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ନୟାଗଡ଼, ନୂଆପଡ଼ା, କଟକ, ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗୀର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେପଟେ 21 ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ହୋଇପାରେ । କିନ୍ତୁ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଆଜି ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଗୋଟେ କିମ୍ବା ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ ।
ଏହା ମଧ୍ୟ ପଢ଼ନ୍ତୁ...ଆସୁଛି ଆଉ ଏକ ଲଘୁଚାପ; ପ୍ରବଳ ବର୍ଷିବ, ଭରଣା କରିବ ନିଅଣ୍ଟିଆ ବର୍ଷା - Odisha Weather
ଜୁନ 1ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୮୦.୦୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୩୮୨.୮ ମିମି ସ୍ୱାଭାବିକ ବର୍ଷା ରହିବା କଥା । ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି । ତେବେ ଯାହା ଆକଳନ କରାଯାଉଛି ଯଦି ଏହି ସିରିଜ ଲଘୁଚାପ ସକ୍ରିୟ ହେଉଛି ତେବେ ରାଜ୍ୟରେ ସ୍ଵାଭାବିକ ଠାରୁ ଭଲ ବର୍ଷା ହେବା ସହ ନିଅଣ୍ଟିଆ ବର୍ଷା ଭରଣା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ମାଲାକାନଗିରିରେ ୯୦.୦୦ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସେହିପରି ସର୍ବାଧିକ ତାପମାତ୍ରା ନୂଆପଡାରେ ୩୬.୪ ଡିଗ୍ରୀ ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର