ଭବାନୀପାଟଣା: ଗତକାଲି(ମଙ୍ଗଳବାର) କଳାହାଣ୍ଡିରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ଲିଭିଗଲା ଚାରି ଜୀବନ ଦୀପ । ଗୋଟିଏ ଦୁର୍ଘଟଣା ଜୁନାଗଡ଼ ଥାନା ଅନ୍ତର୍ଗତ ନକଟିଗୁଡ଼ା ନିକଟରେ ହୋଇଛି । ସେପଟେ ଅନ୍ୟଟି ଛତିଗୁଡ଼ା ଛକ ନିକଟରେ ହୋଇଥିବା ସୂଚନା ମିଳିଛି । ଅଜଣା ଗାଡ଼ି ଧକ୍କାରେ ଦୁଇ ଭାଇ ମୃତ ହୋଇଥିବା ବେଳେ ବୋଲେରୋ ଧକ୍କାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ବେଶ ହସ ଖୁସିରେ ଦୁଇଭାଇ ବାଇକରେ ବିବାହ ଭୋଜି ଖାଇ ଘରକୁ ଫେରୁଥିଲେ। ହେଲେ ଅଧା ବାଟରେ ଯମ ତାଙ୍କୁ ଅପେକ୍ଷା କରିଛି ବୋଲି କିଏ ଅବା ଜାଣିଥିଲା । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ପୁଟିଆଚୁରା ଗାଁର ସାନ ଭାଇ ଧନୁର୍ଯ୍ୟ ହେର୍ଣା ଏବଂ ବଡ ଭାଇ କିଶୋର ହେରଣା ଉଭୟ ବାଇକ ଯୋଗେ ନିଜ ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାରୁ ନିଜ ଗାଁକୁ ଫେରିବା ସମୟରେ ଜୁନାଗଡ଼ ଥାନା ଅନ୍ତର୍ଗତ ନକଟିଗୁଡ଼ା ନିକଟରେ ଘଟିଥିଲା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଧଳା ରଙ୍ଗାର କାର ତାଙ୍କୁ ସମ୍ବା ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଭାଇ ଛିଟିକି ପଡ଼ିଥିଲେ । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଜୁନାଗଡ଼ ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା କାରଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ଏନେଇ ଏକ ମାମଲା ମଧ୍ୟ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ଏହି ଘଟଣାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡିଛି।
ଏହା ମଧ୍ୟ ପଢ଼ନ୍ତୁ.... ବାଟରେ ଜଗିଥିଲା ଯମ ! ବିବାହ ପ୍ରସ୍ତାବ ଦେଖି ଫେରୁଥିଲେ, ଚାଲିଗଲା 5 ଜୀବନ
ସେପଟେ ଦୁର୍ଘଟଣାରେ ଚାଲିଯାଇଛି ଦୁଇ ବନ୍ଧୁଙ୍କ ଜୀବନ । ସୂଚନା ଅନୁଯାୟୀ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଛତିଗୁଡ଼ା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବୋଲେରୋ ଧକ୍କାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ କିଡିଙ୍ଗ ଗାଁର ଜଗତାନନ୍ଦ୍ ଶବର ଓ କପିଳାସ ରାଉତ କୌଣସି କାମ ପାଇଁ ଭବାନୀପାଟଣାକୁ ଯାଇଥିଲେ । କାମ ସାରି ବାଇକରେ ଘରକୁ ଫେରୁଥିବା ବେଳେ ଛତିଗୁଡ଼ା ଛକ ନିକଟରେ ସମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ସାମ୍ନାପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇଥିବା ବେଳେ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
- " class="align-text-top noRightClick twitterSection" data="">
ଇଟିଭି ଭାରତ, କଳାହାଣ୍ଡି