ହାଇଦ୍ରାବାଦ: ଓଡିଶା ଉପକୂଳରେ ପୁଣି ଏକ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ମୁକାବିଲା ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଲାଣି । ତେବେ ପୂର୍ବ-ଭାରତୀୟ ରାଜ୍ୟ ଓଡିଶା ପ୍ରତିବର୍ଷ ଏକାଧିକ ସାମୁଦ୍ରିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ୧୯୯୯ ମହାବାତ୍ୟା ଥିଲା ସର୍ବାଧିକ ପ୍ରଳୟଙ୍କାରୀ । ଛାରଖାର ହୋଇ ଯାଇଥିଲା ଉପକୂଳ, ଦୋହଲି ଯାଇଥିଲା ଓଡିଶାର ସାମାଜିକ ଓ ଆର୍ଥିକ ମେରୁଦଣ୍ଡ ।
ଛାତିଥରା ବାତ୍ୟା:
ବିଶେଷ ଭାବେ ପାରାଦ୍ବୀପ ଓ ଜଗତସିଂହପୁର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରାଣ ହରାଇଥିଲେ ପ୍ରାୟ ୧୦ ହଜାର ଲୋକେ । ଏହି ସର୍ବଗ୍ରାସୀ ବାତ୍ୟାକୁ ଚଳିତବର୍ଷ ଦୀର୍ଘ ୨୫ ବର୍ଷ ପୂରଣ ହେବାକୁ ଯାଉଛି । ତଥାପି ଏହାର କରାଳ ଚିତ୍ରକୁ ଆଖିରେ ଦେଖିଥିବା ଲୋକେ ଏବେ ବି ଦୁର୍ଦ୍ଦଶା, ଯନ୍ତ୍ରଣାର ସେହି ଅଭିଶପ୍ତ ବର୍ଷକୁ ଭୁଲିପାରି ନାହାନ୍ତି । ଆଜି ବି ଓଡିଶା ଉପକୂଳରେ ବାତ୍ୟା ଆସିଲେ, ମନେ ପଡିଯାଏ ୧୯୯୯ ମହାବାତ୍ୟା କଥା ।
- ଅକ୍ଟୋବର ୨୯ କାଳ ରାତି
ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ବଙ୍ଗୋପସାଗରରେ ସୃଷ୍ଟ ଅତିଭୀଷଣ ସାମୁଦ୍ରିକ ଝଡ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା । ଏହା ଲ୍ୟାଣ୍ଡଫଲ୍ ପଏଣ୍ଟ ଥିଲା ଜଗତସିଂହପୁର । ବନ୍ଦରନଗରୀ ପାରାଦ୍ବୀପ ସମେତ, କୁଜଙ୍ଗ, ଏରସମା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ପାର୍ଶ୍ବବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ, ପୁରୀ ଓ ଖୋର୍ଦ୍ଧା ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ଢେଙ୍କାନାଳ, ନୟାଗଡ ପରି ଆଭ୍ୟନ୍ତରୀଣ ଜିଲ୍ଲା ମଧ୍ୟ ଆଶିଂକ ପ୍ରଭାବିତ ହୋଇଥିଲା ।
- ୩ ଶହ କିଲୋମିଟର ବେଗରେ ପବନ, ୮ ମିଟର ଉଚ୍ଚ ଜୁଆର
ପୂର୍ବ ଆଶଙ୍କା ଓ ସମସ୍ତ ଆକଳନଠାରୁ ଢେର ଗୁଣା ଅଧିକ ପ୍ରଳୟଙ୍କାରୀ ରୂପ ନେଇଆସିଥିଲା ମହାବାତ୍ୟା । ଘଣ୍ଟାପ୍ରତି ୩ ଶହ କିଲୋମିଟର ଟପିଥିଲା ପବନର ବେଗ । ସମୁଦ୍ରରେ ଉଠିଥିଲା 6ରୁ 8 ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର । ନିଚିହ୍ନ ହୋଇଯାଇଥିଲା ଉପକୂଳ ଜଗତସିଂହପୁର ଜିଲ୍ଲା । ଏହାର ପ୍ରଭାବରେ 29 ଅକ୍ଟୋବରରୁ ନଭେମ୍ବର 1 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ 447 ମିଲି ମିଟରରୁ 955 ମି.ମି ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ବନ୍ୟା ସୃଷ୍ଟି କରିଥିଲା । ବୈତରଣୀ, ବୁଢାବଳଙ୍ଗ ଓ ସାଳନ୍ଦୀ ନଦୀ ଅବବାହିକାରେ ପ୍ରବଳ ବର୍ଷା ହେବା ଫଳରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର ଓ ମୟୂରଭଞ୍ଜ ପରି ଜିଲ୍ଲା ବନ୍ୟାରେ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲେ ।
- ପ୍ରାଣ ହରାଇଥିଲେ ୧୦ ହଜାର ଲୋକ:-
ରାସ୍ତାଘାଟ, ଗ୍ରାମ, ଜନବସତି, ସହର ଓ ଭିତ୍ତିଭୂମିକୁ ପୂରା ଧ୍ବଂସସ୍ତୂପରେ ପରିଣତ କରିଦେଇଥିଲା ଏହି କରାଳ ବାତ୍ୟା । ମୃତ୍ୟୁସଂଖ୍ୟା ଏତେ ଅଧିକ ଥିଲା ଯେ, ସରକାରୀ- ବେସରକାରୀ ସ୍ତରରେ ଏହାକୁ ନେଇ ଦ୍ବନ୍ଦ୍ବ ମଧ୍ୟ ରହିଛି । ତଥାପି ସରକାରୀ ଭାବେ ରାଜ୍ୟରେ ମୋଟ 9 ହଜାର 8 ଶହ 85 ଜଣଙ୍କ ଜୀବନ ଯାଇଥିବା ଦର୍ଶାଯାଏ । ମୋଟ ମୃତ୍ୟୁସଂଖ୍ୟାର ପ୍ରାୟ 8,119 ଜଣ କେବଳ ଜଗତସିଂହପୁର ଜିଲ୍ଲାର ଥିଲେ । ତଥାପି ବର୍ଷ ବର୍ଷ ପର୍ଯ୍ୟନ୍ତ ଶତାଧିକ ନିଖୋଜଙ୍କ ପତ୍ତା ମିଳିନଥିଲା । ଅନେକ ଚିହ୍ନଟ ହୋଇପାରିନଥିବା ମୃତଦେହ ମଧ୍ୟ ଉଦ୍ଧାର ହୋଇଥିଲା । ସରକାରୀ ତଥ୍ୟଠାରୁ ମୃତ୍ୟୁ ସଂଖ୍ୟା ଢେର ଅଧିକ ବୋଲି ମଧ୍ୟ ଚର୍ଚ୍ଚା ହୁଏ ।
- ପ୍ରଭାବିତ ହୋଇଥିଲେ ପ୍ରାୟ ୨ କୋଟି ଓଡିଆ
ଏହି ପ୍ରଳୟଙ୍କାରୀ ବାତ୍ୟା ଉପକୂଳ ଓଡିଶା ସମେତ ରାଜ୍ୟର ମୋଟ 128ଟି ବ୍ଲକରେ ବ୍ୟାପକ କ୍ଷତି ଘଟାଇଥିଲା । ମୋଟ 1.89 କୋଟି ଲୋକ ପ୍ରଭାବିତ ହୋଇଥିଲେ । 46ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, 2,399 ଗ୍ରାମ ପଞ୍ଚାୟତ ଏବଂ 14ଟି ଜିଲ୍ଲାର 17,993 ଟି ଗ୍ରାମ ବାତ୍ୟାରେ ଗଭୀର ଭାବେ ପ୍ରଭାବିତ ହୋଇଥିଲା । 4.45 ଲକ୍ଷ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିଲା । ମୋଟ 15,79582 ପକ୍କା ଓ କଚ୍ଚା ଘର ନଷ୍ଟ ହୋଇଥିଲା । 18.43 ଲକ୍ଷ ହେକ୍ଟରରେ ଫସଲ ନଷ୍ଟ ହୋଇଥିଲା । ଭିତ୍ତିଭୂମିର ମୋଟ କ୍ଷତି ପ୍ରାୟ 6243.96 କୋଟି ବୋଲି ସେତେବେଳର ଆକଳନରୁ ଜଣାପଡେ ।
- ରାଜ୍ୟ ସରକାର ପ୍ରତିଷ୍ଠା କରିଥିଲେ OSDMA
1999 ର ପ୍ରଳୟଙ୍କାରୀ ମହାବାତ୍ୟା ପରେ ଓଡିଶା ଭାରତର ପ୍ରଥମ ରାଜ୍ୟ ଭାବରେ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପ୍ରତିଷ୍ଠା କରିଥିଲା । ବର୍ଷ 2005ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ପ୍ରତିଷ୍ଠା ପୂର୍ବରୁ ଓଡିଶା ‘ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ’ (OSDMA) ପ୍ରତିଷ୍ଠା ହୋଇଥିଲା । ଯାହା ଥିବା ପ୍ରାଦେଶିକ ସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ପ୍ରଥମ ପଦକ୍ଷେପ । ଯାହା ଏବେ ବାତ୍ୟା ମୁକାବିଲା ଦିଗରେ ପ୍ରଭାବୀ ଭାବେ କାମ କରୁଛି ।
- ପ୍ରଭାବୀ ମୁକାବିଲା ପାଇଁ ଉଠାଯାଇଥିଲା ଏକାଧିକ ପଦକ୍ଷେପ:-
ବାତ୍ୟାପ୍ରବଣ ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଆରମ୍ଭ ହୋଇଥିଲା ଦୀର୍ଘମିଆଦି ଯୋଜନା । ଉପକୂଳ ଜିଲ୍ଲାଗୁଡିକରେ 8ଶହରୁ ଅଧିକ ‘ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ’ ନିର୍ମାଣ କରିଥିଲେ ରାଜ୍ୟ ସରକାର । ସମୁଦ୍ରକୂଳିଆ ଗ୍ରାମଗୁଡ଼ିକୁ ସମୁଦ୍ରର ଢେଉରୁ ରକ୍ଷା କରିବା ପାଇଁ ବନ୍ଧ ନିର୍ମାଣ କରାଯିବା ସହ ଅନେକ ଅସୁରକ୍ଷିତ ଗ୍ରାମକୁ ଅନ୍ୟତ୍ର ଥଇଥାନ କରିବା ପାଇଁ ସରକାର ଏକାଧିକ ଯୋଜନା ଗ୍ରହଣ କରିଥିଲେ । ଏହା ପରଠାରୁ ରାଜ୍ୟରେ ବାତ୍ୟା ମୁକାବିଲା ରଣନୀତି ନୂଆ ଗତି ପାଇଛି । ସଠିକ ସୂଚନା, ମୁକାବିଲା ରଣନୀତି ଓ ପ୍ରଭାବୀ କାର୍ଯ୍ୟପନ୍ଥା ଧନ-ଜୀବନ ଓ କ୍ଷୟକ୍ଷତି ହ୍ରାସ କରିଥିଲେ ସୁଦ୍ଧା ଓଡିଶା ପ୍ରତ୍ୟେକ ବର୍ଷ ବାତ୍ୟାର ସମ୍ମୁଖୀନ ହେଉଛି ।
ତେବେ ନିକଟ ଅତୀତରେ ମଧ୍ୟ ଏକାଧିକ ସାମୁଦ୍ରିକ ଝଡ ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରି ପ୍ରଭୁତ କ୍ଷତି ଘଟାଇଛନ୍ତି । ନଜର ପକାନ୍ତୁ ସେ ସମ୍ପର୍କରେ...
- ଫାଇଲିନ:
2013 ମସିହା ଅକ୍ଟୋବର 12 ତାରିଖ ଓଡିଶା ଉପକୂଳରେ ତାଣ୍ଡବ ରଚିଥିବା ଅନ୍ୟତମ ବାତ୍ୟା ଥିଲା ‘ଫାଇଲିନ’ । ପାଣିପାଗ ବିଜ୍ଞାନ ଭାଷାରେ ଏହା ଭାରତର ଦ୍ୱିତୀୟ ଶକ୍ତିଶାଳୀ ଟ୍ରପିକାଲ୍ ସାଇକ୍ଲୋନ ଥିଲା । 1999 ସୁପର ସାଇକ୍ଲୋନନ୍ ତୂଳନାରେ ମୃତ୍ୟୁ ସଂଖ୍ୟା ବେଶ କମ ଥିଲେ ସୁଦ୍ଧା ବ୍ୟାପକ ଭିତ୍ତିଭୂମି ନଷ୍ଟ ହୋଇଥିଲା ।
- ହୁଡହୁଡ:
ଫାଇଲିନର ପରବର୍ଷ ଅର୍ଥାତ 2014 ମସିହା ଅକ୍ଟୋବର ୧୨ ତାରିଖରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିଥିଲା । ଏହା ଓଡିଶା ଉପକୂଳରେ ସିଧା ଲ୍ୟାଣ୍ଡଫଲ ନକରି ଆନ୍ଧ୍ରର ଉପକୂଳ ସହର ବିଶାଖାପାଟନମରେ ଲ୍ୟାଣ୍ଡଫଲ କରି ବ୍ୟାପକ କ୍ଷତି ଘଟାଇଥିଲା । ପ୍ରାୟ 400,000 ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା । ଏହାର ପାର୍ଶ୍ବ ପ୍ରଭାବ ମଧ୍ୟ ଦକ୍ଷିଣ ଓଡିଶା ଜିଲ୍ଲାରେ ଦେଖିବାକୁ ମିଳିଥିଲା । କୋରାପୁଟ ଓ ଗଜପତି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ।
- ତିତିଲି:
2018 ମସିହା ଅକ୍ଟୋବର 11 ତାରିଖରେ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶାର ଉପକୂଳ ଅତିକ୍ରମ କରି ଅତି ଭୟଙ୍କର ସାଇକ୍ଲୋନିକ ଝଡ ଭାବରେ ତାଣ୍ଡବ ରଚିଥିଲା ‘ତିତିଲ’ । ଉଭୟ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇବା ସହ ପ୍ରାୟ 6 ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିଲା ଏହି ବାତ୍ୟା । ଏଥିରେ 77 ଜଣଙ୍କର ମୃତ୍ୟୁ ଘଟିଥିଲା । ଲ୍ୟାଣ୍ଡଫଲ ସମୟରେ ଦକ୍ଷିଣ ଓଡିଶାର ଗୋପାଳପୁର ଏବଂ ଉତ୍ତର ଆନ୍ଧ୍ରର କଳିଙ୍ଗପଟ୍ଟନମରେ ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଥିଲା । ଏହା ପରେ ବାତ୍ୟା ‘ଅମ୍ଫାନ’ ମଧ୍ୟ ଓଡିଶା ଓ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।
- ଓଡିଶା ଇତିହାସରେ କେତକ ପ୍ରମୁଖ ବାତ୍ୟା;-
ଓଡିଶା ଉପକୂଳରେ 1942, 1967, 1971, 1977, 1990 ରେ ସୃଷ୍ଟି ହୋଇଥିବା ଏକାଧିକ ସାମୁଦ୍ରିକ ଝଡ ବ୍ୟାପକ ଧନ-ଜୀବନ ନଷ୍ଟ କରିଛି । କିନ୍ତୁ 1999 ର ମହାବାତ୍ୟା କେବଳ ଓଡିଶା ନୁହେଁ ସମଗ୍ର ପୂର୍ବ-ଭାରତରେ ପ୍ରକୃତିକ ବିପର୍ଯ୍ୟୟର ସମସ୍ତ ରେକର୍ଡ ଅତିକ୍ରମ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ