ନିମାପଡ଼ା: ଆଜିଠାରୁ (ଫେବୃଆରୀ 20) ଆରମ୍ଭ ହୋଇଛି ଚଳିତ ବର୍ଷର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଏଥିର ସମଗ୍ର ରାଜ୍ୟରୁ 5 ଲକ୍ଷ 60 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପୁରୀ ଜିଲ୍ଲାରୁ ପ୍ରାୟ 22 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଜିଲ୍ଲାରେ ମୋଟ 115ଟି ପରୀକ୍ଷା କେନ୍ଦ୍ର ଥିବା ବେଳେ ସେଥିମଧ୍ୟରୁ 3ଟି ମୁକ୍ତ ବିଦ୍ୟାଳୟ ରହିଥିବା ସୂଚନା ମିଳିଛି । ତେବେ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ 4 ତାରିଖ ପର୍ଯ୍ୟନ୍ତ ଚାଲିବ ।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାରେ ଆଜି ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ହୋଇଥିଲା । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ AI କ୍ୟାମେରା ବୋର୍ଡ ପକ୍ଷରୁ ବ୍ୟବହାର କରାଯାଇଛି । ଏହି ସବୁ କ୍ୟାମେରା ଉପରେ ବୋର୍ଡ ମୁଖ୍ୟାଳୟରୁ କମାଣ୍ଡ କଣ୍ଟ୍ରୋଲ ରୁମରୁ ନଜର ରଖାଯାଇଥିଲା । ଏହାସହ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV ଲାଇଭ ଷ୍ଟ୍ରିମିଙ୍ଗ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ କପି କରନ୍ତି, ମୋବାଇଲ ବ୍ୟବହାର ହୁଏ, ପରୀକ୍ଷାର୍ଥୀ କଥାବାର୍ତ୍ତା ହୁଅନ୍ତି କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜେ ତେବେ ଏହି AI କ୍ୟାମେରା ମାଧ୍ୟମରେ କମାଣ୍ଡ ସିଧା ବୋର୍ଡ କମାଣ୍ଡ କଣ୍ଟ୍ରୋଲ ରୁମରେ ପହଞ୍ଚିବ । ବୋର୍ଡ ପକ୍ଷରୁ ପୁରୀ ଜିଲ୍ଲାରେ 22 ହଜାର ପିଲାଙ୍କ ପାଇଁ 115ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରଶ୍ନପତ୍ର ଗୁଡିକୁ ସୁରକ୍ଷା ଦେବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଏହା ମଧ୍ୟ ପଢ଼ନ୍ତୁ.... ସରିଲା ପ୍ରଥମ ଦିନର ମାଟ୍ରିକ ପରୀକ୍ଷା; ମୋଟ ପରୀକ୍ଷାର୍ଥୀ 5 ଲକ୍ଷ 60 ହଜାର, ଶୃଙ୍ଖଳିତ ପରିଚାଳନା ପାଇଁ AI ବ୍ୟବସ୍ଥା
ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଡ଼ାଃ ବିଶ୍ୱଜିତ ଘୋଷ କହିଛନ୍ତି, ‘‘ପୁରୀ ଜିଲ୍ଲା ଅନେକ ବିଦ୍ୟାଳୟରେ ଇଣ୍ଟରନେଟ ସୁବିଧା ନଥିବା କାରଣରୁ AI କାମ କରୁନଥିଲା । କୌଣସି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ନେବାକୁ ବାରଣ ଥିଲାବେଳେ ଜଣେ ଶିକ୍ଷୟତ୍ରୀ ଫୋନ ନେଇଥିବାରୁ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।’’
ଆଜିଠୁ ଆରମ୍ଭ ହୋଇଥିବା ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ପାଇଁ ସକାଳ 7.30ରେ ପରୀକ୍ଷା କେନ୍ଦ୍ର ଖୋଲିଥିଲା ଓ ପରୀକ୍ଷାର୍ଥୀଙ୍କୁ 8.30ରେ OMR ଫର୍ଦ୍ଦ ପ୍ରଦାନ କରାଯାଇଥିଲା । ସକାଳ 8.45ରେ ପ୍ରଶ୍ନପତ୍ର ଦିଆଯାଇ 9ଟାରେ ପରୀକ୍ଷା ଆରମ୍ଭ ହୋଇ ଦିନ 11ଟାରେ ସରିଛି। ପ୍ରଥମ ଭାଗ ଅବଜେକ୍ଟିଭ ପରୀକ୍ଷା ସକାଳ 9 ଟାରୁ 10ଟା ଓ ଦ୍ୱିତୀୟ ଭାଗ ସବଜେକ୍ଟିଭ ପରୀକ୍ଷା ସକାଳ 10 ଟାରୁ ଆରମ୍ଭ ହୋଇ ସାଢେ 11.30ରେ ସରିଥିଲା । କପି ମୁକ୍ତ ପରୀକ୍ଷା କରିବା ପାଇଁ କେନ୍ଦ୍ରଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ, AI ସହାୟତା ନେଇଛି ବୋର୍ଡ ।
ଇଟିଭି ଭାରତ, ନିମାପଡ଼ା