ଭୁବନେଶ୍ବର: ଦେଶରେ ଜାରି ରହିଛି 2024 ଲୋକସଭା ନିର୍ବାଚନ । ମେ 25 ଶନିବାର ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଥିବା ବେଳେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଫାଇଟ୍ । ଏହି ପର୍ଯ୍ୟାରେ ରାଜ୍ୟର 6 ଲୋକସଭା ଆସନ ଭୁବନେଶ୍ବର, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ସମ୍ବଲପୁର ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାତା ମୈଦାନରେ ଥିବା 64 ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଥିବା ବେଳେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରାଙ୍କ ଭାଗ୍ୟ ପରୀକ୍ଷା ହେବ ।
![ODISHA THIRD PHASE POLLING](https://etvbharatimages.akamaized.net/etvbharat/prod-images/24-05-2024/21550728_1.jpg)
![ODISHA THIRD PHASE POLLING](https://etvbharatimages.akamaized.net/etvbharat/prod-images/24-05-2024/21550728_2.jpg)
ମୈଦାନରେ 64 ସାଂସଦ ପ୍ରାର୍ଥୀ:- ତୃତୀୟ ପର୍ଯ୍ୟାୟ ମତଦାନକୁ ଯାଉଥିବା 6 ଲୋକସଭା ଆସନରେ ନିଜର ଭାଗ୍ୟ ପରୀକ୍ଷା କରିବେ 64 ସାଂସଦ ପ୍ରାର୍ଥୀ । ସମ୍ବଲପୁର ଲୋକସଭା ଆସନରୁ ସର୍ବାଧିକ 14 ଜଣ ସାଂସଦ ପ୍ରାର୍ଥୀ ଥିବା ବେଳେ ପୁରୀରେ ସର୍ବନିମ୍ନ 7 ଜଣ ସାଂସଦ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରୁ 55ଜଣ ପୁରୁଷ ଓ 9ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ମୋଟ 20ଟି ରାଜନୈତିକ ଦଳର ପ୍ରାର୍ଥୀ ମୈଦାନରେ ଅଛନ୍ତି । ଭୁବନେଶ୍ବରୁ 12ଜଣ ପ୍ରାର୍ଥୀ ଥିବା ବେଳେ, କଟକରୁ 10, ଢେଙ୍କାନାଳରୁ 10, କେନ୍ଦୁଝରରୁ 11, ପୁରୀରୁ 7 ଓ ସମ୍ବଲପୁରରୁ 14 ପ୍ରାର୍ଥୀ ଅଛନ୍ତି ।
![ODISHA THIRD PHASE POLLING](https://etvbharatimages.akamaized.net/etvbharat/prod-images/24-05-2024/21550728_4.jpg)
![ODISHA THIRD PHASE POLLING](https://etvbharatimages.akamaized.net/etvbharat/prod-images/24-05-2024/21550728_5.jpg)
![ODISHA THIRD PHASE POLLING](https://etvbharatimages.akamaized.net/etvbharat/prod-images/24-05-2024/21550728_6.jpg)
କୋଟିପତି ପ୍ରାର୍ଥୀ:- 64 ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ 28 ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ଏହି ତାଲିକାର ଶୀର୍ଷରେ ଅଛନ୍ତି କଟକ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର । ତାଙ୍କ ସମ୍ପତ୍ତିର ମୂଲ୍ୟ 482କୋଟି ରହିଛି । ସେହିପରି 36 କୋଟି ସମ୍ପତ୍ତି ସହ ଢେଙ୍କାନାଳ ବିଜେଡି ପ୍ରାର୍ଥୀ ଅବିନାଶ ସାମଲ ଦ୍ବିତୀୟ ସ୍ଥାନରେ ଥିବା ବେଳେ 35କୋଟି ସମ୍ପତ୍ତି ସହ କେନ୍ଦୁଝର ବିଏସପି ସାଂସଦ ପ୍ରାର୍ଥୀ ରାମ ପ୍ରସାଦ ହେମ୍ବ୍ରମ ରହିଛନ୍ତି । ସେହିପରି ଚତୁର୍ଥରେ 22କୋଟି ସମ୍ପତ୍ତି ସହ ପୁରୀ ବିଜେଡି ପ୍ରାର୍ଥୀ ଅରୁପ ମୋହନ ପଟ୍ଟନାୟକ ଓ ପଞ୍ଚମରେ 19କୋଟି ସମ୍ପତ୍ତି ସହ କଟକ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ତାଲିକାରେ ଅଛନ୍ତି ।
![ODISHA THIRD PHASE POLLING](https://etvbharatimages.akamaized.net/etvbharat/prod-images/24-05-2024/21550728_8.jpg)
![ODISHA THIRD PHASE POLLING](https://etvbharatimages.akamaized.net/etvbharat/prod-images/24-05-2024/21550728_7.jpg)
ଅପରାଧିକ ମାମଲାରେ ଜଡ଼ିତ ପ୍ରାର୍ଥୀ: ତୃତୀୟ ପର୍ଯ୍ୟାୟରେ 64 ସାସଂଦ ପ୍ରାର୍ଥୀଙ୍କ ମଧ୍ୟରୁ 18 ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଭୁବନେଶ୍ବର କଂଗ୍ରେସ ସାଂସଦ ପ୍ରାର୍ଥୀ ସୟଦ ୟାଶିର ନୱାଜଙ୍କ ବିରୋଧରେ ସର୍ବାଧିକ ଅପରାଧିକ ମାମଲା 37 ରହିଛି । ପୁରୀ କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ପଟ୍ଟନାୟକଙ୍କ ବିରୋଧରେ 5ଟି ଅପରାଧିକ ମାମଲା ଥିବା ବେଳେ ଢେଙ୍କାନାଳ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କ ବିରୋଧରେ 8ଟି, କେନ୍ଦୁଝର ସ୍ବାଧୀନ ପ୍ରାର୍ଥୀ ଜନ ମିରାନ ମୁଣ୍ଡାଙ୍କ ବିରୋଧରେ ଓ କେନ୍ଦୁଝର ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କ ବିରୋଧରେ 4ଟି ଲେଖାଏଁ ଅପରାଧିକ ମାମଲା ରହିଛି ।
![ODISHA THIRD PHASE POLLING](https://etvbharatimages.akamaized.net/etvbharat/prod-images/24-05-2024/21550728_9.jpg)
ଶିକ୍ଷାଗତ ଯୋଗ୍ୟତା:- ତୃତୀୟ ପର୍ଯ୍ୟାୟରେ 64 ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ସାକ୍ଷର ଜଣେ, ଅଷ୍ଟମ ପାସ୍ ଜଣେ, ଦଶମ ପାସ୍ 9ଜଣ, ଦଶମ ପାସ୍ 9ଜଣ, ଦ୍ବାଦଶ ପାସ୍ 9ଜଣ, ସ୍ନାତକ 14ଜଣ, ବୃତ୍ତିଗତ ସ୍ନାତକ 10ଜଣ, ସ୍ନାତକୋତ୍ତର 16ଜଣ, ଡିପ୍ଲୋମା ଜଣେ ଓ 3ଜଣ ପିଏଚଡି ଡିଗ୍ରୀଧାରୀ ରହିଛନ୍ତି ।
![ODISHA THIRD PHASE POLLING](https://etvbharatimages.akamaized.net/etvbharat/prod-images/24-05-2024/21550728_10.jpg)
![ODISHA THIRD PHASE POLLING](https://etvbharatimages.akamaized.net/etvbharat/prod-images/24-05-2024/21550728_11.jpg)
ପ୍ରମୁଖ ଆସନ ଓ ପ୍ରମୁଖ ପ୍ରାର୍ଥୀ:- ଏହି ପର୍ଯ୍ୟାୟରେ ପ୍ରମୁଖ ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଉଛି ଭୁବନେଶ୍ବର, ପୁରୀ, କଟକ । ସେପଟେ ସମ୍ବଲପୁରରୁ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ, କଟକ ବିଜେଡି ସାଂସଦ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର, ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ମୋହନ ପଟ୍ଟନାୟକ, ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ବରରୁ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ କୁମାର ରାଉତରାୟ ଓ ଭୁବନେଶ୍ବର କଂଗ୍ରେସ ସାଂସଦ ପ୍ରାର୍ଥୀ ସୟଦ ୟାଶିର ନୱାଜ ଚର୍ଚ୍ଚିତ ଚେହେରା ମଧ୍ୟରେ ରହିଛନ୍ତି ।
![ODISHA THIRD PHASE POLLING](https://etvbharatimages.akamaized.net/etvbharat/prod-images/24-05-2024/21550728_3.jpg)
ଇଟିଭି ଭାରତ, ଭୁବନେଶ୍ବର