ରାଉରକେଲା: ବିଦ୍ୟୁତ କାମ ଚାଲିଥିବା ବେଳେ ଚାଲିଗଲା ଠିକା କର୍ମଚାରୀଙ୍କ ଜୀବନ । ମୃତକ ଜଣକ ଟାଟା ପାୱାରର ଠିକା କର୍ମଚାରୀ ହୋଇଥିବା ଜଣାପଡିଛି । ରାଉରକେଲା ସହରର ଉଦିତନଗର ଥାନା ଅନ୍ତର୍ଗତ ବାସନ୍ତୀ କଲୋନୀରେ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ କର୍ମଚାରୀ ଜଣକ 30 ଫୁଟ ଉଚ୍ଚରୁ ତଳକୁ ଖସି ପଡିଥିଲେ । ତାଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ହେଲେ ୨୦ ବର୍ଷୀୟ ଅଞ୍ଜରୁଲ ହକ୍ ।
ସୂଚନା ଅନୁଯାୟୀ, ଗତକାଲି(ସୋମବାର) ରାଉରକେଲା ସହରର ବାସନ୍ତୀ କଲୋନୀ ଏବଂ ଛେଣ୍ଡ ପାଇଁ ୧୩୩ କେଭି ଗ୍ରୀଡ ସବଷ୍ଟେସନର କାମ ଚାଲୁଥିଲା । ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବିଦ୍ୟୁତ ମରାମତି କାମ ଜାରି ରହିଥିଲା । ଏନେଇ ରବିବାର ଟିପିଡବ୍ଲୁଓଡିଏଲ ପକ୍ଷରୁ ବିଦ୍ୟୁତ ସରବାରହ ବନ୍ଦ ରହିବ ବୋଲି ସ୍ଥାନୀୟ କଲୋନୀବାସୀଙ୍କୁ ପ୍ରଚାର ଯୋଗେ ଅବଗତ କରାଯାଇଥିଲା । ସୋମବାର ସନ୍ଧ୍ୟା ସାଢେ ୫ଟାରୁ ୬ଟା ସମୟରେ ରାଉରକେଲା ସହର ଉଦିତନଗର ଥାନା ଅନ୍ତର୍ଗତ ବାସନ୍ତୀ କଲୋନୀ ଏସ୍କେ ଡିଏଭି ପଲିଟେକ୍ନିକ୍ ନିକଟରେ ଟିପିଡବ୍ଲୁଓଡିଏଲ ବିଦ୍ୟୁତ ବିଭାଗ ପକ୍ଷରୁ କାମ ଜାରି ରହିଥିଲା । ଏହି ସମୟରେ ଟାଟା ପାୱାରର ଜଣେ ଠିକା କର୍ମଚାରୀ ବିଦ୍ୟୁତ ଖୁଣ୍ଟ ଉପରେ ଚଢି ସେଫଟିବେଲଟ୍ ବା ହରନେସ ବାନ୍ଧି ତାର ସଂଯୋଗ କରୁଥିବାବେଳେ ହଠାତ୍ କୌଣସି କାରଣରୁ ବିଦ୍ୟୁତ ଖୁଣ୍ଟଟି ମୂଳରୁ ଉପୁଡି ପଡିଥିଲା ।
ଏହାମଧ୍ୟ ପଢନ୍ତୁ...ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ
ଫଳରେ ଟାଟା ପାୱାରର ଠିକା କର୍ମଚାରୀ ଅଞ୍ଜରୁଲ ହକ୍ ପ୍ରାୟ ତିରିଶ ଫୁଟ ଉଚ୍ଚରୁ ଖୁଣ୍ଟ ସହିତ ତଳେ ପଡି ଯାଇଥିଲେ । ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ଲାଗି ରାଉରକେଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ଅଞ୍ଜରୁଲଙ୍କୁ 20 ବର୍ଷ ହୋଇଥିବା ବେଳେ ତାଙ୍କ ଘର ପଶ୍ଚିମବଙ୍ଗର ମାଲଦା ଅନ୍ତର୍ଗତ ବାଲାଟୋଲି ଗ୍ରାମର ବୋଲି ଜଣାପଡିଛି ।
ଖବର ପାଇ ଉଦିତନଗର ପୋଲିସ ଉପସ୍ଥିତିରେ ମୃତଦେହକୁ ଆରଜିଏଚ ମର୍ଗ ହାଉସରେ ରଖାଯାଇଛି । ଅନ୍ୟପଟେ ଏନେଇ ତାଙ୍କ ପରିବାର ଲୋକଙ୍କୁ ଟାଟା ପାୱାର ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ଘରଲୋକେ ଆସିଲା ପରେ ମୃତଦେହ ବ୍ୟବଚ୍ଛେଦ ହେବ । ତେବେ ଏହା ଅସାବଧାନତା ଯୋଗୁଁ ହୋଇଛି ନା ସୁରକ୍ଷା ଅବହେଳା ନେଇ ହୋଇଛି ଏହା ଉପରେ ଟାଟା ପାୱାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ଇଟିଭି ଭାରତ, ରାଉରକେଲା