ଭୁବନେଶ୍ବର: ଶିଳ୍ପ କ୍ଷେତ୍ରରେ ନିବେଶ ନେଇ ମୋହନ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । 20ଟି ବୃହତ ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବା ଏଚଏଲସିଏ । ରାଜ୍ୟରେ ନିବେଶ ହେବ 1.37 ଲକ୍ଷ କୋଟି ଟଙ୍କା । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସୃଷ୍ଟି ହେବ 74,350ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ।
୧.୩୭ ଲକ୍ଷ କୋଟି ନିବେଶ, ୭୪ ହଜାର ନିଯୁକ୍ତି:
ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବା ଏଚଏଲସିଏ ବୈଠକ । ବୈଠକରେ 136622.24 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି । 20ଟି ବୃହତ ପୁଞ୍ଜିନିବେଶ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ 74350ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଚଏଲସିଏ ବୈଠକରେ ନିବେଶକଙ୍କ ପାଇଁ ଅନୁକୂଳ ଇକୋ-ସିଷ୍ଟମ ଯୋଗାଇବାର ପ୍ରତିବଦ୍ଧତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଉତ୍କର୍ଷ ଓଡ଼ିଶା : ମେକ ଇନ ଓଡିଶା - 2025 ରାଜ୍ୟ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ । ଯାହାକି ଓଡ଼ିଶାକୁ ପ୍ରମୁଖ ନିବେଶର କେନ୍ଦ୍ରସ୍ଥଳୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନିବେଶ ପାଇଁ ଓଡ଼ିଶା ଗନ୍ତବ୍ୟସ୍ଥଳୀ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ନିବେଶ କ୍ଷେତ୍ରରେ ଓଡିଶା ପୂର୍ବ ଭାରତର ଗନ୍ତବ୍ୟସ୍ଥଳୀ ହୋଇଛି । ଉତ୍କର୍ଷ ଓଡ଼ିଶା : ମେକ ଇନ ଓଡିଶା - 2025 ପାଇଁ ନିକଟରେ ସିଙ୍ଗାପୁରରେ ରୋଡ଼ ସୋ ଆୟୋଜନ ହୋଇଛି । ଏହା ପୂର୍ବରୁ ମୁମ୍ବାଇ ଓ ଦିଲ୍ଲୀରେ ଶିଳ୍ପ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ ହୋଇଛି । ଫଳରେ ଓଡ଼ିଶା ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମୃଦ୍ଧ ସମନ୍ୱୟ ଯୋଗୁଁ ନିବେଶକ କ୍ଷେତ୍ରରେ ଓଡ଼ିଶାକୁ ସଫଳତା ମିଳିଛି । ବିଜେପି ସରକାର ଗଠନ ହେବାର ମାତ୍ର 6 ମାସରେ 1 ଲକ୍ଷ 80 ହଜାର କୋଟି ନିବେଶକ କରିବାରେ ସଫଳ ହୋଇଛି । 73 ଶିଳ୍ପ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ 1.1 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।"
୧୦ ଜିଲ୍ଲାରେ ୨୦ ପ୍ରକଳ୍ପ:
ଏଚଏଲସିଏରେ ମଞ୍ଜୁରୀ ପାଇଥିବା 20ଟି ପ୍ରକଳ୍ପ 10 ଜିଲ୍ଲାରେ ସ୍ଥାପନ ହେବ । ଯାଜପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, ସମ୍ବଲପୁର, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି, ଢେଙ୍କାନାଳ, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ସ୍ଥାପନ ହେବ । 9ଟି ଭିନ୍ନ ଭିନ୍ନ କ୍ଷେତ୍ରର ମୋଟ 20 ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ଷ୍ଟିଲ, କେମିକାଲ, ଆଲୁମିନିୟମ, ଆଭିଏସନ ଫୁଏଲ, ଗ୍ରୀନ ଏନର୍ଜି ଆଣ୍ଡ ଇକ୍ୱିପମେଣ୍ଟ, ଆପାରେଲ ଓ ଟେକ୍ସଟାଇଲ, ବିଦ୍ୟୁତ ଓ ଅକ୍ଷୟଶକ୍ତି, ସିମେଣ୍ଟ ଉତ୍ପାଦନ ରହିଛି । ଏହି ଶିଳ୍ପ ପ୍ରତିଷ୍ଠା ହେଲେ ଓଡ଼ିଶାର ଶିଳ୍ପ ବାତାବରଣ ବୃଦ୍ଧି ପାଇବା ସହ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧିରେ ଗତ ମିଳିବ । ଅତିରିକ୍ତ ଭାବେ 74350ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ନୀଳାଚଳ ଇସ୍ପାତ ପ୍ରକଳ୍ପ ସମ୍ପ୍ରସାରଣ :
ଯାଜପୁର ଜିଲ୍ଲାରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ପୂର୍ବ ପ୍ରକଳ୍ପକୁ ସମ୍ପ୍ରସାରଣ କରିବ । ଏଥିରେ 61 ହଜାର 769 କୋଟି ଟଙ୍କାର ନିବେଶ ହେବ । ଏହି ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା ସମ୍ପ୍ରସାରଣ ଫଳରେ ଅତିରିକ୍ତ 14 ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । କମ୍ପାନୀର ଉତ୍ପାଦନ କ୍ଷମତା ବାର୍ଷିକ 0.98 ନିୟୁତ ଟନରୁ 9.50 ନିୟୁତ ଟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଝାରସୁଗୁଡାରେ କେମିକାଲ କ୍ଷେତ୍ରରେ ଭାରତ କୋଲ ଗ୍ୟାସିଫିକେସନ ଅଣ୍ଡା କେମିକାଲସ ଲିମିଟେଡ଼ 11.782 କୋଟି ନିବେଶ କରିବ । ଫଳରେ 2500 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ସମ୍ବଲପୁରରେ ନିଜର ପ୍ଲାଣ୍ଟର ସମ୍ପ୍ରସାରଣ କରିବ । 10645 କୋଟି ଟଙ୍କା ନିବେଶ ଦ୍ୱାରା 1505 ଜଣଙ୍କୁ ଅତିରିକ୍ତ ନିଯୁକ୍ତି ମିଳିବ ।
ଗଞ୍ଜାମରେ କେମିକାଲ କ୍ଷେତ୍ରରେ ୯୭୭୫ କୋଟି ନିବେଶ :
ସେହିପରି ଗଞ୍ଜାମରେ ଇଣ୍ଡୋ - ଏସିଆ କପର ଲିମିଟେଡ୍ କେମିକାଲ କ୍ଷେତ୍ରରେ 9775 କୋଟି ଟଙ୍କା ନିବେଶ କରିବ । ଫଳରେ 7153 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଗଞ୍ଜାମରେ କ୍ରିରୀ ଗ୍ରୁପ ପକ୍ଷରୁ 2912 କୋଟି ନିବେଶରେ 3750 ଜଣ ନିଯୁକ୍ତି ଯୁକ୍ତ କେମିକାଲ ପ୍ରକଳ୍ପ ପ୍ରତିଷ୍ଠା ହେବ । ଅମ୍ବୁଜା ସିମେଣ୍ଟ ଦ୍ୱାରା ମାଲକାନଗିରିରେ 4 ହଜାର କୋଟି ଟଙ୍କା ନିବେଶରେ ସିମେଣ୍ଟ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ଏଥିରେ ପ୍ରାୟ 1500 ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।
ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଜଙ୍ଗଲ ଏବଂ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଅର୍ଥ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର