କେନ୍ଦୁଝର/କଟକ/କଳାହାଣ୍ଡି/ନବରଙ୍ଗପୁର: ଆଜି ହେଉଛି ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ । ଆଜି ଦେଶ ପାଳୁଛି ଜନଜାତୀୟ ଗୌରବ ଦିବସ । ରାଜ୍ୟର 27 ଜିଲ୍ଲାରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି । ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମାନେ ସାମିଲ ହୋଇଛନ୍ତି ।
ଆଦିବାସୀଙ୍କୁ ସମ୍ମାନ ଓ ସ୍ବାଭିମାନ ମିଳିଛି:
ଧରଣୀଧର ବିଶ୍ବବିଦ୍ୟାଳୟ ପଡ଼ିଆ ଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସ ପାଳନ କରାଯାଇଛି । ଏଥିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇ ସ୍ଵାଧୀନତାର ୭୭ ବର୍ଷ ପରେ ଆଦିବାସୀଙ୍କୁ ତାଙ୍କ ନାର୍ଯ୍ୟ ଦାବି ମିଳିଥିବା କହିଛନ୍ତି । ଏହା ସହ ଆଦିବାସୀଙ୍କୁ ମାନସମ୍ମାନ ଓ ସ୍ବାଭିମାନ ମିଳିଛି । କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ମୋହନ ମାଝୀ ସରକାର ମିଶି ଆଦିବାସୀଙ୍କୁ ତାଙ୍କ ନାର୍ଯ୍ୟ ହକ ଦେବା ସହ ଜନଜାତୀୟ ଗୌରବ ଦିବସ ପାଳନ କରୁଛନ୍ତି ।
କାଲିଠୁ ସ୍ବତନ୍ତ୍ର ଗ୍ରାମସଭା:
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ‘ଏହି ଦିବସ ରାଜ୍ୟର ୨୭ଟି ଜିଲ୍ଲା ସହ ୨୮ ସ୍ଥାନରେ ଏହି ଆଦିବାସୀଙ୍କ ସମ୍ମାନର ଦିବସକୁ ମହାଆଡ଼ମ୍ବରରେ ପାଳନ କରାଯାଉଥିବା ମନ୍ତ୍ରୀ କହିଛନ୍ତି । ଆସନ୍ତାକାଲି ଠାରୁ ରାଜ୍ୟରେ ୨୭ ଜିଲ୍ଲାର ୨୩୪ଟି ବ୍ଲକର ୨୪୦୮ଟି ପଞ୍ଚାୟତରେ ୭୬୬୭ ସ୍ଥାନରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେବ । ଏହି ଗ୍ରାମସଭାରେ ଆଦିବାସୀଙ୍କ ବିକାଶ ଓ ଉନ୍ନୟନ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା ହେବ ସହ ତାଙ୍କ ସମସ୍ୟା ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ । ଆଗାମୀ ଦିନରେ ରାଜ୍ୟ ସରକାର ଆଦିବାସୀଙ୍କୁ ସ୍ବରୋଜଗାରକ୍ଷମ କରିବା ସହ ତାଙ୍କ ପାରମ୍ପରିକ କଳାକୁ ଉଜ୍ଜୀବିତ କରିବା ପାଇଁ ପ୍ରୟାସ କରିବେ। ଏହା ସହ ରାଜ୍ୟର ଆଦିମ ଜନଜାତିଙ୍କ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ବିଶେଷ ଧ୍ୟାନ ରଖିଛନ୍ତି ।’
ଆହୁରି ଆସିବେ ବାଘ:
ଏହା ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଓଡ଼ିଶାକୁ ଆହୁରି ବାଘ ଅଣାଯିବ ବୋଲି ସୂଚନା ଦେଇଛନ୍ତି । ସ୍ଥାନୀୟ ଲୋକଙ୍କୁ ସହ ଆଲୋଚନା କରି ଦେବ୍ରିଗଡ ଅଭୟାରଣ୍ୟ ଓ ସାତକୋଶିଆ ଅଭୟାରଣ୍ୟ ଆଦିକୁ ବାଘ ଅଣାଯିବ । ଶିମିଳିପାଳ ଅଭୟାରଣ୍ୟକୁ ପାଞ୍ଚଟି ବାଘ ଆସିବାର ଥିଲା ଦୁଇଟି ଆସିଛି । ଆହୁରି ଆଗାମୀ ଦିନରେ ଆସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସ୍ଥାନୀୟ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଜନଜାତୀୟ ଗୌରବ ଦିବସରେ ସ୍ଥାନୀୟ ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ନାଏକ, ତେଲକୋଇ ବିଧାୟକ ଡ଼ ଫକୀର ମୋହନ ନାୟକଙ୍କ ସମେତ ଜିଲ୍ଲାପାଳ ଓ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
![ଜନଜାତୀୟ ଗୌରବ ଦିବସ](https://etvbharatimages.akamaized.net/etvbharat/prod-images/15-11-2024/od-kld-01-virsamunda-avb-7203436_15112024160452_1511f_1731666892_19.jpg)
କଳାହାଣ୍ଡିରେ ଜନଜାତୀୟ ଗୌରବ ଦିବସ ପାଳିତ:
ଭବାନୀପାଟଣା ସ୍ଥିତ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ପଡ଼ିଆରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜନଜାତିୟ ଗୌରବ ଦିବସ ପାଳିତ ହେଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍, ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ଧର୍ମଗଡ ବିଧାୟକ ସୁଧୀର ପଟ୍ଟଯୋଶୀ, କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ । ହଜାର ହଜାର ସଂଖ୍ୟାରେ ଜିଲ୍ଲାର ଆଦିବାସୀ ସଂପ୍ରଦାୟ ଲୋକେ ଯୋଗ ଦେଇଥିଲେ ।
![ଜନଜାତୀୟ ଗୌରବ ଦିବସ](https://etvbharatimages.akamaized.net/etvbharat/prod-images/15-11-2024/od-kld-01-virsamunda-avb-7203436_15112024160452_1511f_1731666892_327.jpg)
ମୋହନ ସରକାରରେ ଆଦିବାସୀ ବୀର ଯୋଦ୍ଧାଙ୍କୁ ସମ୍ମାନ:
ଧର୍ମଗଡ ବିଧାୟକ ଏହି ଅବସରରେ କହିଛନ୍ତି, ‘ଭାରତର ସ୍ଵାଧୀନତା ସଂଗ୍ରାମରୁ ନେଇ ଆଜି ପର୍ଯ୍ୟନ୍ତ ଆଦିବାସୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।’ ସେହିପରି କଳାହାଣ୍ଡି ସାଂସଦ ମାଳବିକା ଦେବୀ କହିଛନ୍ତି, ‘ଆଦିବାସୀ ଅଞ୍ଚଳର ଯେତେ ଉତ୍ପାଦ ରହିଛି ତାହାକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ଦେବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି ।’ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ‘ସ୍ଵାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା, କଳାହାଣ୍ଡି ଜିଲ୍ଲାର ଶହୀଦ ରେଣ୍ଡୋ ମାଝୀଙ୍କ ଭୂମିକା ଅନେକ ରହିଛି । ରାଜ୍ୟର ଯୋଉ ଆଦିବାସୀ ବିରଯୋଦ୍ଧା ମାନଙ୍କୁ ଉଚିତ୍ ସମ୍ମାନ ମିଳିନଥିଲା, ତାଙ୍କୁ ଆଜି ମୋହନ ମାଝୀ ସରକାରରେ ସମ୍ମାନ ମିଳିଛି ।’
![ଜନଜାତୀୟ ଗୌରବ ଦିବସ](https://etvbharatimages.akamaized.net/etvbharat/prod-images/15-11-2024/od-kld-01-virsamunda-avb-7203436_15112024160452_1511f_1731666892_327.jpg)
ଏହି ଅବସରରେ ରାଜ୍ୟ ଏବଂ ଜାତୀୟ ସ୍ତରରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀ ଏବଂ ଖେଳାଳି ମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ କିଛି ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାବିକାଠି ପ୍ରଦାନ କରାଯାଇଥିଲା । ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କହିଛନ୍ତି, ‘ଆଜି ସମଗ୍ର ଦେଶରେ ୨୦୨୧ ମସିହାରୁ ପ୍ରଧାନମନ୍ତ୍ରୀ ଯେଉଁ ଜନଜାତି ଗୌରବ ଦିବସ ଆରମ୍ଭ କରିଥିଲେ । ଆଜୀ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି ଏବଂ ବର୍ଷ ତମାମ ପାଳନ କରାଯିବ । ଏଥିରେ ପିଏମ ଜନମନ ଠାରୁ ଆରମ୍ଭ କରି ଅନେକ୍ ଜନଜାତିର ହିତ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ତାହାକୁ ଆରମ୍ଭ କରିଛନ୍ତି । ଜନଜାତିକୁ ନେଇ ବିଶ୍ଵ ଦରବାରରେ ପହଞ୍ଚାଇବା ଓ ଆର୍ଥିକ ଭବରେ ସୁଦୃଢ କରାଇବା ଏଥିପାଇଁ ସରକାର ବଦ୍ଧପରିକର ଅଟେ । ’’
ଆଦିବାସୀଙ୍କ ପାଇଁ ସର୍ଵଦା ସରକାର ତତ୍ପର: ଆଇନମନ୍ତ୍ରୀ
ଆଦିବାସୀ ମାନଙ୍କର ଜଳ ଜମି ଓ ସେମାନଙ୍କର ଅଧିକାରକୁ ନେଇ ଆଜୀବନ ସଂଗ୍ରାମ କରି ଆସିଥିବା ବିର୍ସା ମୁଣ୍ଡାଙ୍କର ଜିଲ୍ଲାସ୍ତରୀୟ 150 ତମ ଜୟନ୍ତୀ ସମାରୋହ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଉଛି । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମାରୋହକୁ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ଆଇନ ମନ୍ତ୍ରୀ କହିଛନ୍ତି, ବିର୍ସାମୁଣ୍ଡାକୁ ନେଇ ଆଦିବାସୀ ମାନେ ନିଜକୁ ଗର୍ବ ଅନୁଭବ କରନ୍ତି । ସେ ଆଦିବାସୀ ମାନଙ୍କର ଜଳ ଜମି ଓ ଅଧିକାର ନେଇ ଆଜୀବନ ସଂଗ୍ରାମ କରିଆସୁଥିଲେ । ସେହିଭଳି ବିର୍ସା ମୁଣ୍ଡା ଇଂରେଜ ସରକାରଙ୍କ ବିରୁଦ୍ଧରେ ଆଦିବାସୀଙ୍କୁ ସଂଗଠିତ କରି ସ୍ଵାଧୀନତା ପାଇଁ ଲଢେଇ ଜାରି ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ରାଜ୍ୟ ଅନ୍ତର୍ଗତ ଜାମୁଇ ଠାରେ ଆଭାସି ମାଧ୍ୟମରେ ଜନଜାତୀୟ ଗୌରବ ଦିବସକୁ ଉଦ୍ଘାଟନ କରିଥିଲେ । ଶେଷରେ କଟକ ଜିଲ୍ଲାର 36 ଆଦିବାସୀ ଜନଜାତିର ଅନ୍ତେବାସୀଙ୍କୁ ମନ୍ତ୍ରୀ ପଟ୍ଟା ବିତରଣ କରିଥିଲେ । ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ସମାରୋହରେରେ ସାଂସଦ ଭର୍ତ୍ତୃହରି ମହତାବ,ମେୟର ସୁବାସ ସିଂ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଉପସ୍ଥିତ ଥିଲେ ।
ଏହା ମଧ୍ୟ ପଢନ୍ତୁ: ସହରବାସୀଙ୍କ ଆବଶ୍ୟକତା ପୂରଣ କରୁଛନ୍ତି ଗାଁର ଆଦିବାସୀ ମାଅ ରାଷ୍ଟ୍ରପତିଙ୍କ ମନମୋହିଲା କୋରାପୁଟ ‘ଢେମସା’ ନୃତ୍ୟ ମୋହନ ମାଝୀ ସରକାରଙ୍କ ବଡ଼ ପ୍ରୋତ୍ସାହନ, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୫ ହଜାର, କମିବ ଡ୍ରପଆଉଟ୍ |
ନବରଙ୍ଗପୁରରେ ବି ଦିବସ ପାଳିତ:
ଭଗବାନ ବିର୍ସା ମୁଣ୍ଡାଙ୍କ 150 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ସମଗ୍ର ଦେଶ ସହ ନବରଙ୍ଗପୁର ଜିଲ୍ଲା ରେ ପାଳନ କରାଯାଇଛି । ନବରଙ୍ଗପୁର ଜିଲ୍ଲା ସମନ୍ବିତ ଆଦିବାସୀ ବିକାଶ ସଂସ୍ଥା ପକ୍ଷରୁ ସ୍ଥାନୀୟ ଆରସିଡି ସ୍କୁଲ ପଡ଼ିଆରେ ଜିଲ୍ଲା ସ୍ତରୀୟ ଜନଜାତୀୟ ଦିବସ ପାଳିତ ହୋଇଛି । ବିଧାୟକ ଗୌରୀ ଶଙ୍କର ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ଧରତୀ ଆବା ଗ୍ରାମ ଉତ୍କର୍ଷ ଅଭିଯାନରେ ଜିଲ୍ଲାର 163 ଗ୍ରାମ ପଞ୍ଚାୟତର 536ଟି ଗ୍ରାମରେ ସାମିଲ ଥିବା ନେଇ ଏହି କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା ।
ଏଥି ସହ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନଜାତୀୟ ଉନ୍ନୟନ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା । ଏଥି ସହ ଜନଜାତି ଉନ୍ନୟନ ସମ୍ପର୍କରେ ବିଭିନ୍ନ ଷ୍ଟଲ ଜରିଆରେ ସଚେତନ କରାଯାଇଥିଲା । ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ପଟ୍ଟା, କାର୍ଯ୍ୟାଦେଶ, ବିହନ, କୃଷି ସାମଗ୍ରୀ ବଣ୍ଟନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଇଟିଭି ଭାରତ, କଟକ, କେନ୍ଦୁଝର, ନବରଙ୍ଗପୁର, କଳାହାଣ୍ଡି