ଆନ୍ତଃରାଜ୍ୟ ପାଇପ ଚୋର ଗ୍ୟାଙ୍ଗ୍, ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ବି ଥିଲା ସାମିଲ୍ - Water Pipe theft case - WATER PIPE THEFT CASE
Bhubaneswar Water Pipe theft case: ରାଜଧାନୀରେ ପାଣି ପାଇପ ଚୋରି ରାକେଟର ପର୍ଦ୍ଦାଫାସ । ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ସମେତ ୧୧ ଜଣ ଗିରଫ । ଅଧିକ ପଢନ୍ତୁ
Published : Jun 1, 2024, 8:18 AM IST
ଭୁବନେଶ୍ୱର: ରାଜଧାନୀରେ ପାଇପ ଚୋରି ରାକେଟର ପର୍ଦ୍ଦଫାସ । ରାସ୍ତାକଡରେ ସଂଯୋଗ ହେଉଥିବା ପାଇପ ଚୋରି କରି ରାଜ୍ୟ ବାହାରକୁ ଚାଲାଣ କରୁଥିବା ଏକ ବଡ ରାକେଟକୁ ଧରିଛି କମିଶନରେଟ ପୋଲିସ । ରାକେଟରେ ଥିବା ୧୫ ଜଣଙ୍କ ମଧ୍ୟରୁ ୧୧ ଜଣ ଧରା ପଡିଛନ୍ତି । ଏହି ଗ୍ୟାଙ୍ଗରେ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ବି ସାମିଲ ଥିବା ଜଣାପଡିଛି । ଏନେଇ ଭୁବନେଶ୍ୱର ଡିସିପି ସୁଚନା ଦେଇ କହିଛନ୍ତି । ପାଖାପାଖି ୧କୋଟି ଟଙ୍କାର ଲୁଟ କରିଥିଲେ ଏହି ଗ୍ୟାଙ୍ଗ ।
କିଭଳି କରୁଥିଲେ ଚୋରୀ: ଏହି ଗ୍ୟାଙ୍ଗ ବେଶ ବ୍ୟବସ୍ଥିତ ଢଙ୍ଗରେ ଚୋରୀ କରୁଥିବା କହିଛନ୍ତି ଡିସିପି । କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଭିନ୍ନ ଭିନ୍ନ ଦାୟିତ୍ବ ବଣ୍ଟା ଯାଇଥିଲା । ରାସ୍ତା କଡରେ କେଉଁଠି କେଉଁ ଜାଗାରେ ପାଇପ ପଡ଼ିଛି କିଛି ଜଣ ବୁଲି ବୁଲି ରେକି କରୁଥିଲେ । ଆଉ କିଛି ପାଇପ ରହିଥିବା ସ୍ଥାନକୁ ଅଟୋରେ ଶ୍ରମିକ ଭାବେ କାମ କରିବା ଆଳରେ ଆସୁଥିଲେ । ଆଉ କିଛି ଗାଡି ଲଗାଇ ସିଧା ଲୋଡ କରି ରାଜ୍ୟ ବାହରକୁ ନେଉଥିଲେ । ଆଉ କିଛି ଏହାର ମିଛ ବିଲ ତିଆରି କରି କିଛି କବାଡିଆ ବେପାରୀ ଓ ବ୍ୟବସାୟୀଙ୍କୁ ବିକ୍ରି କରି ମାଲମାଲ ହେଉଥିଲେ । ଏହିଭଳି ଢଙ୍ଗରେ ଏହି ପାଇପ ଚୋର ଗ୍ୟାଙ୍ଗ ରାଜଧାନୀରେ କିଛି କଣ୍ଟ୍ରାକ୍ଟରଙ୍କ ନିଦ ହଜାଇଥିଲେ । ରାତି ପାହିଲେ କାମ ହେବାକୁ ଥିବା ପାଇପ ନେଇ ଛୁ ମାରୁଥିଲେ । ପାଖାପାଖି ୧କୋଟି ଟଙ୍କାର ଲୁଟ କରିଥିଲେ ଏହି ଗ୍ୟାଙ୍ଗ ।
ଧରାପଡିଲେ କେମିତି: ବିଭିନ୍ନ ସ୍ଥାନରୁ ଏହି ପାଇପ ଚୋରି ଅଭିଯୋଗ ଆସିବା ପରେ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଘଟଣାର ତଦନ୍ତ କରି ପାଇପ ରାସ୍ତା କଡ଼ରୁ ନେବା ଠୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସାମିଲ ହେଉଥିବା ଚୋରଙ୍କୁ ଗିରଫ କରିଥିଲା । ଏହି ଗ୍ୟାଙ୍ଗରେ ୧୫ ଜଣ ସଦସ୍ୟ ଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେସୁଦ୍ଧା ୧୧ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଛି ବୋଲି ଡିସିପି ସୂଚନା ଦେଇଛନ୍ତି । ସେମାନଙ୍କଠୁ ଚୋରି ହୋଇଥିବା ପାଇପ ଓ କିଛି ମିଛ ବିଲ୍ ମଧ୍ୟ ଜବତ କରାଯାଇଛି । ରାଜ୍ୟ ବାହାରର ଲିଙ୍କ ସହ ରାୟଗଡା, କଟକ, ଗଞ୍ଜାମ, ଖୋର୍ଦ୍ଧା, ଚନ୍ଦକା ଆଦି ଥାନାରେ ହୋଇଥିବା ମାମଲାର ଯାଂଚ କରାଯିବ ଓ ରାଜ୍ୟ ବାହାରେ କାହାର କାହାର ଲିଙ୍କ ଅଛି କି ନାହିଁ ସେନେଇ ତଦନ୍ତ କରାଯିବ ।
ଆନ୍ତରାଜ୍ୟ ଚୋର ଗ୍ୟାଙ୍ଗରେ ଟୁଙ୍ଗୁରୁ ଭୋଳ: ଗିରଫ ଚୋରମାନଙ୍କ ମଧ୍ୟରେ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ମଧ୍ୟ ରହିଛି । କିଛି ଦିନ ପୂର୍ବେ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଟୁଙ୍ଗୁରୁ ଏବେ ଚୋରି ଅଭିଯୋଗରେ ଧରାପଡିଛି ।
ଇଟିଭି ଭାରତ, ଭୁବନେଶ୍ୱର