ପୁରୀ: ବିଜେପି ପାଳିବ ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉତ୍ସବ । ଆସନ୍ତାକାଲି ସେପ୍ଟେମ୍ବର ୧୯ ଗୁରୁବାର ପୁରୀ ଶରଧାବାଲିରେ ବିଜେପି ସରକାର ଗଠନର ପ୍ରଥମ ୧୦୦ ଦିନ ପୂର୍ତ୍ତି ଉତ୍ସବ ପାଳନ କରାଯିବ । ଏଥିପାଇଁ ପୁରୀ ଗସ୍ତ କରି କାର୍ଯ୍ୟକ୍ରମ ପ୍ରସ୍ତୁତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।
ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା:
ରାଜ୍ୟରେ ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି ଉତ୍ସବ ପାଇଁ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ପୁରୀ ଶରଧା ବାଲିରେ ଉପ ମୁଖ୍ୟମନ୍ତ୍ରୀ ପହଞ୍ଚି କାର୍ଯ୍ୟକ୍ରମ ପ୍ରସ୍ତୁତି ତଦାରଖ କରିଥିଲେ । ପୁରୀ ଜିଲ୍ଲାପାଳ, ଏସପି, ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପାଇଁ କିଭଳି ପ୍ରସ୍ତୁତି ହୋଇଛି ତାହାକୁ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
'ଯାହା କହିଥିଲୁ, କରିଛୁ'
ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, "ଓଡି଼ଶାରେ ବିଜେପି ସରକାର ଗଠନର ୧୦୦ ଦିନ ପୂର୍ତ୍ତି ପୁରୀରେ ପାଳନ ହେବ । ଏହା ପ୍ରଥମେ ପୁରୀରୁ ଆରମ୍ଭ ହେଉଥିବାରୁ ଆମେ ସମସ୍ତେ ଉତ୍ସାହିତ ଅଛୁ । ଜିଲ୍ଲାରୁ ବହୁ ନେତା, କର୍ମୀ, ଆସିବେ। ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ବିଜେପିର ସାଂସଦମାନେ ମଧ୍ୟ ଆସିବେ। ଏହା ଏକ ଭଲ କାର୍ଯକ୍ରମ । ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି । ଆମେ ଯାହା କହିଥିଲୁ ତାହା ଆମେ ୧୦୦ ଦିନ ମଧ୍ୟରେ ପୂରଣ କରିଛୁ । ଏଣୁ ଶହେ ଦିନ ପୂର୍ତ୍ତି ଉତ୍ସବକୁ ଖୁବ ଧୁମଧାମରେ ପାଳନ କରାଯିବ ।
ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା:
ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, " ଆସନ୍ତାକାଲି (୧୯ ତାରିଖ) ମୁଖ୍ୟମନ୍ତ୍ରୀଙ୍କ ସହିତ କ୍ୟାବିନେଟ ମନ୍ତ୍ରୀ , ସମସ୍ତ ବିଧାୟକ, ସାଂସଦମାନେ ପୁରୀ ଆସିବେ। ସରଧା ବାଲିରେ ନୂଆ ସରକାରର ୧୦୦ ଦିନ ପୂର୍ତ୍ତି ଉତ୍ସବରେ ଯୋଗଦେବେ । ସେଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯେହେତୁ ୧୫ରୁ ରୁ ୨୦ ହଜାର ଲୋକଙ୍କ ସମାଗମ ହେବା ଅନୁମାନ କରାଯାଉଛି । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଏହା ସହିତ ପାର୍କିଂ, ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଭିଭିଆଇପିଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଅତିଥିମାନେ ଶ୍ରୀମନ୍ଦିର ଯିବାର କାର୍ଯ୍ୟକ୍ରମ ରହୁଥିବାରୁ ଶ୍ରୀମନ୍ଦିରରେ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବିଭାଗକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ୩୫ ରୁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ଵରେ ରହିବେ । ଜିଲ୍ଲା ବାହାରୁ ମଧ୍ୟ ଅଭିଜ୍ଞ ଅଫିସରଙ୍କୁ ମଧ୍ୟ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯିବାର ଯୋଜନା ରହିଛି । "
ଇଟିଭି ଭାରତ, ପୁରୀ