ଓ୍ବାଶିଂଟନ: ଟି-20 ବିଶ୍ବକପର ସୁପର 8ରୁ ପାକିସ୍ତାନ ବିଦା । 30ତମ ମ୍ୟାଚରେ ଆମେରିକା ଓ ଆୟରଲାଣ୍ଡ ମଧ୍ୟରେ ପଏଣ୍ଟ ଭାଗବଣ୍ଟା ପରେ ସୁପର 8ରୁ ବାଦ ପଡିଛି ପାକ୍ । ଅନ୍ୟପଟେ ଆମେରିକା 4 ମ୍ୟାଚରୁ 2ଟିରେ ବିଜୟ, ଗୋଟିଏରେ ପରାଜୟ ଓ ଗୋଟିଏ ମ୍ୟାଚରେ ପଏଣ୍ଟ ଭାଗ ପରେ ଗ୍ରୁପ-ଏର ଦ୍ବିତୀୟ ସ୍ଥାନରେ ରହି ସୁପର 8କୁ ପ୍ରବେଶ କରିଛି । ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବର୍ତ୍ତମାନ ସୁଦ୍ଧା 3ଟି ମ୍ୟାଚ ଖେଳି ଗୋଟିଏରେ ବିଜୟ ଓ 2ଟି ପରାଜିତ ହୋଇଛି । ମାତ୍ର 2 ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ।
ଆସନ୍ତାକାଲି ଟି-20 ବିଶ୍ବକପରେ ଶେଷ ମ୍ୟାଚ ଖେଳିବ ପାକିସ୍ତାନ। ଆୟରଲାଣ୍ଡକୁ ଭେଟିବ ବାବର ଆଜମଙ୍କ ବାହିନୀ । ଏହି ମ୍ୟାଚରେ ଦଳ ବିଜୟୀ ହେଲେ ମଧ୍ୟ କିଛି ଫରକ ପଡିବ ନାହିଁ । କାହିଁକିନା ଦଳ ଗ୍ରୁପ ପର୍ଯ୍ୟାୟରେ 2ଟି ମ୍ୟାଚରେ ପରାଜିତ ହୋଇସାରିଛି । ସୁପର 8କୁ ଯିବାର କୌଣସି ଚାନ୍ସ ନାହିଁ । 2009 ଟି-20 ବିଶ୍ବକପରେ ଚମ୍ପିଆନ ହୋଇଥିଲା ପାକିସ୍ତାନ । କିନ୍ତୁ ଚଳିତ ବର୍ଷ ଦଳକୁ ନିରାଶ ହେବାକୁ ପଡିଛି ।
ଏହା ମଧ୍ୟ ପଢନ୍ତୁ-USA vs IRE: ଫ୍ଲୋରିଡାରେ ବର୍ଷା ହେଲେ ଧୋଇଯିବ ପାକିସ୍ତାନର ଭାଗ୍ୟ ! - T20 World Cup 2024
ଶୁକ୍ରବାର ଆମେରିକାର ସେଣ୍ଟ୍ରାଲ ବୋର୍ଡ ରିଜିଓନାଲ ପାର୍କ ଷ୍ଟାଡିୟମରେ ଆମେରିକା ଓ ଆୟଲାଣ୍ଡର ମୁକାବିଲା ରହିଥିଲା । କିନ୍ତୁ ବର୍ଷା କାରଣରୁ ଟସ୍ ପଡିବା ମଧ୍ୟ ସମ୍ଭବ ହୋଇପାରିନଥିଲା । ବାରମ୍ବାର ଯାଞ୍ଚ କରାଯାଇଥିଲେ ମଧ୍ୟ ଓଦା ପିଚ୍ ଯୋଗୁଁ ଶେଷରେ ମ୍ୟାଚକୁ ବାତିଲ କରିବାକୁ ପଡିଥିଲା । ଯାହା ପାକିସ୍ତାନ ଉପରେ ଭାରି ପଡିଥିଲା । ଆମେରିକା ଗୋଟିଏ ପଏଣ୍ଟ ପାଇ ଗ୍ରୁପ-ଏରେ ଦ୍ବିତୀୟ ସ୍ଥାନରେ ରହି ସୁପର 8କୁ ଏଣ୍ଟ୍ରି କରିଥିଲା । ପ୍ରଥମ ଦଳ ଭାବେ ପୂର୍ବରୁ ଭାରତ ଆମେରିକାକୁ ହରାଇ ସୁପର 8ରେ ପ୍ରବେଶ କରିସାରିଛି ।
ଗ୍ରୁପ 'ଏ' ରେ ରହିଛନ୍ତି ଭାରତ, ଆମେରିକା, ପାକିସ୍ତାନ, କାନାଡା ଓ ଆୟରଲାଣ୍ଡ । ଭାରତ 6 ଓ ଆମେରିକା 5 ପଏଣ୍ଟ ପାଇ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ସୁପର 8କୁ ପ୍ରବେଶ କରିଛି । ପାକିସ୍ତାନ 3ଟି ମ୍ୟାଚରୁ 2 ପଏଣ୍ଟ, କାନାଡା 3ଟି ମ୍ୟାଚରୁ 2 ପଏଣ୍ଟ ପାଇଁ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି । ଆୟରଲାଣ୍ଡ ବର୍ତ୍ତମାନ ସୁଦ୍ଧା 3ଟି ମ୍ୟାଚ ଖେଳି ଖାତା ଖୋଲିବାରେ ବିଫଳ ହୋଇଛି ।