ନୂଆଦିଲ୍ଲୀ: ପଦାରେ ପଡ଼ିଛି ଭାରତୀୟ ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପାରିବାରିକ କଳହ । ପତ୍ନୀ ରିଭାଭାଙ୍କୁ ନେଇ ବାପା ଅନିରୁଦ୍ଧ ସିଂହ ଜାଡେଜା ଦେଇଥିବା ସାକ୍ଷାତକାର ଉପରେ ଟିପ୍ପଣୀ ରଖିଛନ୍ତି ରବୀନ୍ଦ୍ର ଜାଡେଜା । ପରିବାରରେ ଫାଟ ସୃଷ୍ଟି କରିଥିବା କହି ରବୀନ୍ଦ୍ରଙ୍କ ସ୍ତ୍ରୀ ତଥା ବିଜେପି ବିଧାୟିକା ରିଭାଭା ଜାଡେଜାଙ୍କୁ ଦୋଷୀ ବୋଲି କହିଥିଲେ ଅନିରୁଦ୍ଧ । ହେଲେ ରବୀନ୍ଦ୍ର ଜାଡେଜା ବାପାଙ୍କ କଥାକୁ ଖଣ୍ଡନ କରିବା ସହ ପତ୍ନୀଙ୍କ ସପକ୍ଷରେ ବାହାରିଛନ୍ତି । ଏପରିକି ରିଭାଭାଙ୍କ ବିଷୟରେ ମିଛ କହି ତାଙ୍କ ଛବି ଖରାପ ନକରିବାକୁ ସେ ବାପାଙ୍କୁ କହିଛନ୍ତି ।
ଏମିତି ଲେଖିଲେ ଜାଡେଜା: ଗୁଜରାଟୀ ଭାଷାରେ ଏକ ପୋଷ୍ଟ ସେୟାର କରି ଜାଡେଜା ଲେଖିଛନ୍ତି, "ଆମ ବିଷୟରେ ଯେଉଁ ସାକ୍ଷାତକାର ପ୍ରକାଶ ପାଇଛି, ତାହା ସଂପୂର୍ଣ୍ଣ ମିଛ । ଏଥିରେ କୁହାଯାଇଥିବା ସବୁକିଛି ଅର୍ଥହୀନ ଅଟେ । ସେଥିରେ ଯାହା ସବୁ କୁହାଯାଇଛି, ସେ ସବୁକୁ ମୁଁ ଖଣ୍ଡନ କରୁଛି । ଏଥିରେ ମୋ ପତ୍ନୀଙ୍କ ଛବି ଖରାପ କରାଯାଇଛି । ଏହା ବାସ୍ତବରେ ନିନ୍ଦନୀୟ । ଏହି ସମ୍ପୂର୍ଣ୍ଣ ଘଟଣାରେ ମୁଁ ବି ବହୁତ କିଛି କହିବାକୁ ଚାହୁଁଛି, ହେଲେ ଏ ସବୁ ମୁଁ ଯଦି ସର୍ବସାଧାରଣରେ ନକହିବି ତେବେ ଭଲ ହେବ ।"
ଏହା ମଧ୍ୟ ପଢ଼ନ୍ତୁ...ସୁସ୍ଥ ଅଛନ୍ତି ବିରାଟଙ୍କ ମାଆ; ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ବିକାଶ କୋହଲି
କଣ ଥିଲା ପୁରା ଘଟଣା: ଅନିରୁଦ୍ଧ ସିଂହ ଜାଡେଜା ନିଜ ବୋହୂ, ଅର୍ଥାତ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାଭାଙ୍କ ଉପରେ ଏକ ସାକ୍ଷାତ କାରରେ ବର୍ଷିଥିଲେ । ବୋହୂ ତାଙ୍କ ଘରେ ଫାଟ ସୃଷ୍ଟି କରିଥିବା କହିଥିଲେ । ଏପରିକି ବାପା ଓ ପୁଅଙ୍କ ମଧ୍ୟରେ ରିଭାଭା ସମ୍ପର୍କ ଖରାପ କରିଥିବା କହିଥିଲେ । ଜାଡେଜା କ୍ରିକେଟର ନହୋଇଥିଲେ ଭଲ ହୋଇଥାଆନ୍ତା ବୋଲି ବାପା ଅନିରୁଦ୍ଧ କହିଥିଲେ । ଗୋଟିଏ ସହରରେ ରହୁଥିଲେ ମଧ୍ୟ ପୁଅ ରବୀନ୍ଦ୍ରଙ୍କ ସହ ତାଙ୍କ ପରିବାରର କାହାର ମଧ୍ୟ ସମ୍ପର୍କ ନଥିବା ସେ କହିଛନ୍ତି । ପୁଅ ବିବାହର କିଛି ମାସ ଭିତରେ ହିଁ ସେ ପରିବାର ଠାରୁ ଅଲଗା ହୋଇଥିବା କହିଛନ୍ତି ଅନିରୁଦ୍ଧ । ନିଜ ପରିବାରର ଏଭଳି ସ୍ଥିତି ପାଇଁ ସେ ସମ୍ପୂର୍ଣ୍ଣ ଭାବେ ନିଜ ବୋହୂ ରିଭାଭାଙ୍କୁ ଦାୟୀ କରିଛନ୍ତି । ପ୍ରକାଶ ଥାଉ, ରିଭାଭା ଜାଡେଜା ଗୁଜରାଟ ଜାମନଗର ଉତ୍ତର ଆସନରୁ ବିଜେପି ବିଧାୟିକା ମଧ୍ୟ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ