ନୂଆଦିଲ୍ଲୀ: 22 ମାର୍ଚ୍ଚରୁ ଆରମ୍ଭ ହେବ ଆଇପିଏଲ ସିଜିନ 17 । ମାର୍ଚ୍ଚ 23 ତାରଖରେ କୋଲକାତା ନାଇଟ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଏସ୍ଆର୍ଏଚ୍ ଦଳରେ ବଡ ଧରଣ ପରିବର୍ତ୍ତନ ହୋଇଛି । ଏଥର ଦଳର ଭାର ସମ୍ଭାଳିବେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ । ଆଡେନ୍ ମାର୍କରମଙ୍କ ସ୍ଥାନରେ ପ୍ୟାଟ କମିନ୍ସ ହାଇଦ୍ରାବାଦ ଟିମର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଫ୍ରାଞ୍ଚାଇଜ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ- ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ପ୍ୟାଟ୍ କମିନ୍ସ, ୨୦.୫୦ କୋଟିରେ କିଣିଲା SRH
ପ୍ୟାଟ କମିନ୍ସଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଟିମ 2023 ବିଶ୍ବକପ ଟାଇଟଲ ହାତେଇଥିଲା । ସେହିପରି ବିଶ୍ବ ଚେଷ୍ଟ ଚମ୍ପିଆନସିପରେ ବିଜୟୀ ହୋଇଥିଲା ଦଳ । ତେଣୁ ତାଙ୍କ ଉପରେ ଭରସା ରଖିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଡାନିଏଲ ଭିଟ୍ଟୋରି । ତାଙ୍କ ନେତୃତ୍ବରେ ଚଳିତ ସିଜିନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତଙ୍କ ଆଶା । ଗତ ଆଇପିଏଲ ସିଜିନରେ ହାଇଦ୍ରାବାଦର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଦଳର ନେତୃତ୍ବ ନେଇଥିଲେ ମାର୍କରମ । ଚଳିତ ସିଜିନରେ ଦଳ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଅଧିନାୟକ ଦାୟିତ୍ବ କିମିନ୍ସଙ୍କୁ ଦିଆଯାଇଛି । ଗତ ସିଜିନରେ ଏସଆରଏଚ ମୋଟ 14ଟି ମ୍ୟାଚ୍ ଖେଳି 4 ପଏଣ୍ଟ ପାଇଥିଲା । ଫଳରେ ପଏଣ୍ଟ ଟେବୁଲର ଶେଷରେ ରହିଥିଲା ଦଳ ।
ଏହା ମଧ୍ୟ ପଢନ୍ତୁ-ଆଇପିଏଲ୍ ଖେଳିବେନି ଧୋନି ! ଫେସବୁକ୍ ପୋଷ୍ଟକୁ ନେଇ ବଢିଲା ସସପେନ୍ସ
ଆଇପିଏଲ୍ 2024 ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟାରେ ଦ୍ବିତୀୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ କମିନ୍ସ । ଅଷ୍ଟ୍ରେଲିଆ ଦଳର ଅଧିନାୟକ ତଥା ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କୁ 20.50 କୋଟିରେ କିଣିଥିଲା ସନ୍ରାଇଜର୍ସ ହାଇଦ୍ରାବାଦ । ପ୍ୟାଟ୍ କମିନ୍ସଙ୍କ ବେସ୍ ପ୍ରାଇସ୍ ରହିଥିଲା 2 କୋଟି । ଖେଳାଳି ନିଲାମୀ ପ୍ରକ୍ରିୟାରେ ଦ୍ବିତୀୟ ସେଟ୍ରେ ରହିଥିଲା ପ୍ୟାଟ୍ କମିନ୍ସଙ୍କ ନାମ । ତାଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଆଇପ୍ଏଲ୍ର ସବୁଠାରୁ ସଫଳତମ ଦଳ ସିଏସକେ ଆଗ୍ରହ ଦେଖାଇଥିଲା । ହେଲେ ଆର୍ସିବି ବିଡ୍ରେ ପ୍ରବେଶ କରିବା ମାତ୍ରେ ଚେନ୍ନାଇ ଏଥିରୁ ବାହାରି ଯାଇଥିଲା । ଏହାପରେ ଆର୍ସିବି ଓ ଏସ୍ଆର୍ଏଚ୍ ମଧ୍ୟରେ ଲାଗିଥିଲା ବାଜି । ସେହିପରି ମିଚେଲ୍ ଷ୍ଟାର୍କ ମଧ୍ୟ ଆଇପିଏଲ ନିଲାମୀରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସବୁଠାରୁ ମହଙ୍ଗା ଖେଳାଳି ଭାବେ ଷ୍ଟାର୍କଙ୍କୁ 24.75 କୋଟି ଟଙ୍କାରେ କିଣିଥିଲା କୋଲକାତା ନାଇଟ୍ ରାଇଡର୍ସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ