ଭୁବନେଶ୍ବର: ଓଡିଶାର ପ୍ରତିଭାବାନ ସନ୍ତରଣକାରୀ ମନ୍ନତା ମିଶ୍ରଙ୍କୁ ବଡ଼ ସଫଳତା । ହାସଲ କଲେ ଅନ୍ତର୍ଜାତୀୟ ପଦକ । ନୂଆଦିଲ୍ଲୀରେ ଅନୁଷ୍ଠିତ ବିମଷ୍ଟେକ ସନ୍ତରଣ ଚାମ୍ପିଅନସିପରେ ମନ୍ନତା ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ୧୭ ବର୍ଷୀୟା ମନ୍ନତା ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ ଇଭେଣ୍ଟରେ ଦେଶ ପାଇଁ ଆଣିଛନ୍ତି ରୌପ୍ୟ ପଦକ ।
ଅନ୍ତର୍ଜାତୀୟ ସ୍ତରରେ ପୁଣି ଚମକିଛନ୍ତି ଆଉ ଜଣେ ପ୍ରତିଭାବାନ ଓଡ଼ିଆ ଝିଅ । ସମ୍ମାନର ସହ ହାସଲ କରିଛନ୍ତି ତାଙ୍କ କ୍ୟାରିଅରର ପ୍ରଥମ ଅନ୍ତର୍ଜାତୀୟ ରୌପ୍ୟ ପଦକ । ଯାହା କେବଳ ଓଡିଶା ନୁହେଁ ଦେଶ ପାଇଁ ଗୌରବର କଥା । ଓଡିଶାର ପ୍ରତିଭାବାନ ସନ୍ତରଣକାରୀ ୧୭ ବର୍ଷୀୟ ମନ୍ନତା ମିଶ୍ର ଏହି ସଫଳତା ହାସଲ କରିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ବିଆଇଏମଏସଟିଇସି ଆକ୍ବାଟିକ ସନ୍ତରଣ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ମନ୍ନତା । ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ଦ୍ଵିତୀୟ ସ୍ଥାନ ହାସଲ କରି ପଦକ ହାତେଇଛନ୍ତି ମନ୍ନତା । ଏହା ହେଉଛି ମନ୍ନତାଙ୍କ ପ୍ରଥମ ଆନ୍ତର୍ଜାତିକ ସନ୍ତରଣ ପଦକ ।
ଉଦୀୟମାନ ଓଡ଼ିଆ ସନ୍ତରଣ ତାରକା ମନ୍ନତା ମିଶ୍ର ଗତବର୍ଷ ଗୋଆର ପାନାଜୀରେ ଆୟୋଜିତ ଜାତୀୟ କ୍ରୀଡାର ୪ ଗୁଣା ୧୦୦ ମିଟର ମେଡ଼ଲ ରିଲେ କାଂସ୍ୟ ବିଜେତା ଓଡିଶା ଦଳର ସଦସ୍ୟା ଥିଲେ । ସୁଇମିଂରେ ଏଭଳି ମେଡାଲ ଜିତିବା ଓଡ଼ିଶା ପାଇଁ ଦ୍ବିତୀୟ । ସେହିପରି ସେ ୨୦୨୨ରେ କଳିଙ୍ଗ ଷ୍ଟାଡିୟମ ବିଜୁ ପଟ୍ଟନାୟକ ସନ୍ତରଣଗାରାରେ ଆୟୋଜିତ ଖେଲୋ ଇଣ୍ଡିଆ କନିଷ୍ଠ ମହିଳା ସନ୍ତରଣ ସିରିଜରେ ମନ୍ନତା ବିଭିନ୍ନ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ଆଧିପତ୍ୟ ବିସ୍ତାର କରିଥିଲେ । ମନ୍ନତା ୧୫ ବର୍ଷରୁ କମର ୧୦୦ ଫ୍ଲାଏ, ୫୦ କିକ - ୫୦ ପୁଲ ବ୍ରେଷ୍ଟ ଏବଂ ୨୦୦ ଇଣ୍ଡିଭିଜୁଆଲ ମେଡଲରେ ଏହି ସଫଳତା ପାଇଥିଲେ ।
ମନ୍ନତା ବର୍ତ୍ତମାନ କଳିଙ୍ଗ ଷ୍ଟାଡିୟମରେ ଥିବା ଆଇଆଇଏସ ସନ୍ତରଣ ଗୁଣବତ୍ତା କେନ୍ଦ୍ର ବା ଏଚପିସିରେ ପ୍ରଶିକ୍ଷଣ ନେଉଛନ୍ତି । ମନ୍ନତାଙ୍କ ଏହି ସଫଳତା ଲାଗି ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ମନ୍ନତା ଆଗକୁ ଆହୁରି ଏମିତି ବଡ଼ ସଫଳତା ହାସଲ କରନ୍ତୁ ବୋଲି ବିଭାଗ ପକ୍ଷରୁ ଶୁଭେଚ୍ଛା କାମନା କରାଯାଇଛି । କହିରଖିଛୁ କି, ମନ୍ନତା ହେଉଛନ୍ତି ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସୁକନ୍ୟା ।
ଇଟିଭି ଭାରତ, ଭୁବନେଶ୍ବର