ବିଶାଖାପାଟଣା: ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର ଆରମ୍ଭ ହୋଇଛି ୨ୟ ଟେଷ୍ଟ ମ୍ୟାଚ୍ । ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦରେ ହାରିବା ପରେ ବିଶାଖାପାଟଣାରେ ଖେଳାଯାଉଛି ୨ୟ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୩୩୬ ରନ କରିଛି । ତେବେ ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଏକାକୀ ୧୭୯ ରନର ପାଳି ଖେଳିଛନ୍ତି । କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରିପାରିନଥିଲେ ମଧ୍ୟ ଜୟସ୍ବାଲଙ୍କ ସହ ମିଶି ଛୋଟ ଛୋଟ ଭାଗିଦାରୀ ବଳରେ ପ୍ରଥମ ଦିନରେ ୩୩୬ ରନ କରି ଭଲ ସ୍ଥିତିରେ ରହିଛି ଭାରତ ।
ବିଶାଖାପାଟଣାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଗୋଟିଏ ପଟେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଆକ୍ରାମକ ଆରମ୍ଭ କରିଥିବାବେଳେ ଅନ୍ୟପଟେ କେବଳ ୧୪ ରନ କରି ଆଉଟ୍ ହୋଇଥିଲେ ରୋହିତ । ଏହାପରେ ଖରାପ ଫର୍ମ ଦେଇ ଗତି କରୁଥିବା ଶୁଭମନ ଗିଲ୍ ୩୪ ରନ କରି ଆଉଟ୍ ହୋଇଥିଲେ । ଶ୍ରେୟସ ଆୟର ୨୭ ରନ କରିଥିବାବେଳେ ଆଜି ଟିମ୍ ଇଣ୍ଡିଆ ପାଇଁ ଟେଷ୍ଟ ଡେବ୍ୟୁ କରିଥିବା ରଜତ ପଟିଦାର ୩୨ ରନ କରି ଆଉଟ୍ ହୋଇଥିଲେ । ଅକ୍ଷର ପଟେଲ ୨୭ ଓ ଶ୍ରୀକର ଭରତ ୧୭ ରନ କରି ନିଜ ନିଜର ୱିକେଟ୍ ହରାଇଥିଲେ । ଅନ୍ୟପଟେ ଯଶସ୍ବୀ ଜୟସ୍ବାଲ କିନ୍ତୁ ନିଜ ଜଲୱା ଦେଖାଇ ଚାଲିଥିଲେ । ସେ ଆଜି ନିଜର ୧୫୧ତମ ବଲରେ ଛକା ମାରି ଶତକ ପୂରଣ କରିଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨ୟ ଶତକ । ତେବେ ଆଜିର ଖେଳ ଶେଷ ସୁଦ୍ଧା ଜୟସ୍ବାଲ ୧୭୯ ଓ ରବିଚନ୍ଦ୍ରନ ଅଶ୍ବୀନ ୫ ରନ କରି ପିଚ୍ରେ ମହଜୁଦ ଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଚମକିଲେ ଜୟସ୍ୱାଲ: ଯଶସ୍ୱୀଙ୍କ ଶତକୀୟ ପାଳିରେ ସଚିନ ଶତମୁଖ
ଅନ୍ୟପଟେ ଇଂଲଣ୍ଡ ପକ୍ଷରୁ ଯୁବ ସ୍ପିନର ଶୋଏବ ବଶିର ଓ ରେହାନ ଅହମ୍ମଦ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ଗତ ମ୍ୟାଚ୍ରେ ଇଂଲଣ୍ଡ ପାଇଁ ହିରୋ ସାଜିଥିବା ଟମ୍ ହାର୍ଟଲେ ଓ ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି । ଫଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୩୩୬ ରନ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ