ବିଶାଖାପାଟଣା: ଶେଷ ହୋଇଛି ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ ମ୍ୟାଚ । ବିଶାଖାପାଟଣାରେ ଭାରତର ବୃହତ ବିଜୟ । ଭ୍ରମଣକାରୀ ଇଂଲଣ୍ଡକୁ 106 ରନରେ ପରାସ୍ତ କଲା ଟିମ ଇଣ୍ଡିଆ । 399 ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଇଂଲଣ୍ଡ କେବଳ 292 ରନରେ ଅଲ୍ଆଉଟ୍ ହୋଇଛି । ଚତୁର୍ଥ ଦିନରେ ଶେଷ ହୋଇଛି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ । ଏହାସହ ଚଳିତ ଟେଷ୍ଟ ସିରିଜ 1-1ରେ ବରାବର ରହିଛି । ମ୍ୟାଚ୍ରେ 9 ୱିକେଟ୍ ହାସଲ କରିଥିବା ଭାରତୀୟ ସ୍ପିଡ୍ଷ୍ଟାର ଯଶପ୍ରୀତ ବୁମ୍ରା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଇଂଲଣ୍ଡ ପ୍ରଥମ ମ୍ୟାଚ ଜିତିଥିବା ବେଳେ, ଦ୍ୱିତୀୟ ମ୍ୟାଚ ଜିତିଛି ଘରୋଇ ଟିମ ଇଣ୍ଡିଆ । 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଆଉ ୩ଟି ମ୍ୟାଚ୍ ବାକି ରହିଛି ।
ଭାରତ ପ୍ରଥମ ପାଳି: ପ୍ରଥମ ଦିନରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଯଦିଓ ଦଳକୁ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ ଦେଇଥିଲେ, ହେଲେ ରୋହିତ କେବଳ 14 ରନ କରି ଆଉଟ୍ ହୋଇଥିଲେ । ତେବେ ପ୍ରଥମ ପାଳିରେ କୌଣସି ଭାରତୀୟ ବ୍ୟାଟର ଅର୍ଦ୍ଧଶତକ ମଧ୍ୟ ହାସଲ କରିବାରେ ସକ୍ଷମ ହୋଇନଥିଲେ । ଏକାକୀ ଯୁବ ଓପନର ଜୟସ୍ବାଲ ଦ୍ବିଶତକ କରି ଇଂଲଣ୍ଡ ବିପକ୍ଷରେ ଭାରତକୁ ଦୃଢ଼ ସ୍ଥିତିକୁ ନେଇଥିଲେ । ସେ 290 ବଲରୁ 19 ଚୌକା ଓ 7 ଛକା ବଳରେ 209 ରନ ସଂଗ୍ରହ କରିଥିଲେ । ଜୟସ୍ବାଲଙ୍କ ସହ ଅନ୍ୟାନ୍ୟ ଛୋଟ ଛୋଟ ଭାଗିଦାରୀ ବଳରେ ଭାରତ ପ୍ରଥମ ପାଳିରେ 396 ରନ କରିବାରେ ସକ୍ଷମ ହୋଇଥିଲା ।
ଇଂଲଣ୍ଡ ପ୍ରଥମ ପାଳି: ଶନିବାର ଖେଳାଯାଇଥିବା ଦ୍ବିତୀୟ ଦିନରେ ଭାରତ ଅଲ୍ଆଉଟ୍ ହେବାପରେ ପ୍ରଥମ ପାଳି ବେଶ ଆକ୍ରାମକ ଭାବେ ଆରମ୍ଭ କରିଥିଲା ଭ୍ରମଣକାରୀ ଦଳ । ଏକାକୀ ଓପନର ଜ୍ୟାକ୍ କ୍ରାଓଲି ସର୍ବାଧିକ 76 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ଅଧିନାୟକ ବେନ୍ ଷ୍ଟୋକ୍ସ 47 ରନ କରିବାରେ ସକ୍ଷମ ହୋଇଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟର 30 ରନ ମଧ୍ୟ କରିପାରିନଥିଲେ । ଫଳରେ 253ରେ ସମସ୍ତ ୱିକେଟ୍ ହରାଇଥିଲା ଇଂଲଣ୍ଡ । ଭାରତୀୟ ସ୍ପିଡ୍ଷ୍ଟାର ଯଶପ୍ରୀତ ବୁମ୍ରା ଏକାକୀ 6 ୱିକେଟ୍ ଅକ୍ତିଆର କରି ଭ୍ରମଣକାରୀ ଦଳର ବ୍ୟାଟିଂ ଲାଇନ୍ ଅପ୍ ଭାଙ୍ଗି ଦେଇଥିଲେ । ଫଳରେ ପ୍ରଥମ ପାଳିରେ ଭାରତ ଠାରୁ 143 ରନ ପଛରେ ରହିଯାଇଥିଲା ଇଂଲଣ୍ଡ ।
ଏହା ମଧ୍ୟ ପଢ଼ନ୍ତୁ...ମ୍ୟାନେଜମେଣ୍ଟ ଦେଇଥିଲା ଚେତାବନୀ, ଚମତ୍କାର କମବ୍ୟାକ୍ କଲେ ଗିଲ୍
ଭାରତ ଦ୍ବିତୀୟ ପାଳି: ଶନିବାର ଦ୍ୱିିତୀୟ ଦିନରେ ହିଁ ଇଂଲଣ୍ଡ ଅଲ୍ ଆଉଟ୍ ହେବା ପରେ ଭାରତ ଦ୍ୱିିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ରୋହିତ ଶର୍ମା ଓ ଯଶସ୍ୱୀ ଜୟସ୍ବାଲ ଉଭୟ 3ଟି ଲେଖାଏଁ ଚୌକା ସହ ଯଥାକ୍ରମେ 13 ଓ 15 ରନ ସଂଗ୍ରହ କରି ପିଚ୍ରେ ମହଜୁଦ ରହିଥିଲେ । ହେଲେ ସେମାନଙ୍କ ବ୍ୟାଟ୍ ୩ୟ ଦିନରେ ଚାଲିନଥିଲା । ଉଭୟ କ୍ରମାଗତ ଭାବେ 3ୟ ଦିନ ଖେଳ ଆରମ୍ଭରୁ ଆଉଟ୍ ହୋଇଯିବା ପରେ ଗିଲ୍ଙ୍କ ସହ ମିଶି ଶ୍ରେୟସ ଆୟର କିଛି ସମୟ ସ୍କୋରବୋର୍ଡକୁ ଗତି ଦେଇଥିଲେ । ହେଲେ ସେ 29 ରନ କରି ଆଉଟ୍ ହୋଇଥିଲେ । କେବଳ ଅକ୍ଷର ପଟେଲ ଦଳ ପାଇଁ 45 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ବିନ (29)ଙ୍କ ବ୍ୟତୀତ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିପାରିନଥିଲେ । ଫଳରେ 255 ରନରେ ସମସ୍ତ ୱିକେଟ୍ ହରାଇଥିଲା ଭାରତ । ଏହା ସହିତ ବିପକ୍ଷ ଦଳ ଆଗରେ 399 ରନ ଟାର୍ଗେଟ୍ ରଖିଥିଲା ।
ଇଂଲଣ୍ଡ ପକ୍ଷରୁ ଏହି ପାଳିରେ ବେଶ ଶୃଙ୍ଖଳିତ ବୋଲିଂ ଆଟାକ୍ ଦେଖିବାକୁ ମିଳିଥିଲା । ପୂର୍ବ ଟେଷ୍ଟରେ ଦଳ ପାଇଁ ହିରୋ ସାଜିଥିବା ଟମ୍ ହାର୍ଟଲେ ସର୍ବାଧିକ 4 ୱିକେଟ୍ ଅକ୍ତିଆର କରିଥିବାବେଳେ ରେହାନ ଅହମ୍ମଦ 3ଟି ୱିକେଟ୍ ହାସଲ କରିଥିଲେ । ଅଭିଜ୍ଞ ପେସର ଜେମ୍ସ ଆଣ୍ଟରସନ୍ 2ଟି ଓ ଶୋଏବ ବଶିର ଗୋଟିଏ ୱିକେଟ୍ ନେଇ ଭାରତୀୟ ବ୍ୟାଟିଂ କ୍ରମକୁ ଭାଙ୍ଗି ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ଷ୍ଟୋକ୍ସ ବାହିନୀକୁ ଧରାଶାୟୀ କଲେ ବୁମ୍ରା, ଭାଙ୍ଗିଲେ ଏକାଧିକ ରେକର୍ଡ
ଇଂଲଣ୍ଡ ଦ୍ବିତୀୟ ପାଳି: 399 ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଇଂଲଣ୍ଡ ପାଇଁ ସର୍ବାଧିକ ସ୍କୋର ଦଳର ଓପନର ଜ୍ୟାକ୍ କ୍ରାଓଲେ ହିଁ କରିଥିଲେ । ସେ 132 ବଲରୁ 73 ରନର ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱିକେଟ୍ କିପର ବେନ୍ ଫୋକ୍ସ ଓ ଟମ୍ ହାର୍ଟଲେ 36 ରନ ଲେଖାଏଁ ସ୍କୋର କରି ଆଉଟ୍ ହୋଇଥିବାବେଳେ ଅନ୍ୟ କୌଣସି ବ୍ୟାଟର 30 ରନ ଛୁଇଁବାକୁ ସକ୍ଷମ ହୋଇନଥିଲେ । ଫଳରେ 292ରେ ସମସ୍ତ ୱିକେଟ୍ ହରାଇଛି ଦଳ ।
ଭାରତ ପାଇ ଦ୍ବିତୀୟ ପାଳିରେ ପୁଣି ହିରୋ ସାଜିଥିଲେ ପ୍ରଥମ ଇନିଂସ୍ର ହିରୋ ଯଶପ୍ରୀତ ବୁମ୍ରା । ସେ ପ୍ରଥମ ପାଳିରେ 6 ୱିକେଟ୍ ନେଇଥିବାବେଳେ ଦ୍ବିତୀୟ ପାଳିରେ 3ଟି ୱିକେଟ୍ ଅକ୍ତିଆର କରିଥିଲେ । ତେବେ ପ୍ରଥମ ପାଳିରେ ୱିକେଟ୍ ଶୂନ୍ୟ ରହିଥିବା ଅଭିଜ୍ଞ ସ୍ପିନର ରବି ଅଶ୍ବିନ ଏଥର 3ଟି ୱିକେଟ୍ ହାସଲ କରିବାରେ ସକ୍ଷମ ହୋଇଥିଲେ । ସେହିଭଳି ମୁକେଶ କୁମାର, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ହାତେଇଥିଲେ ।
ଭାରତ-ଇଂଲଣ୍ଡ ପରବର୍ତ୍ତୀ ୩ ଟେଷ୍ଟ: ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ର ପ୍ରଥମ ଦୁଇଟି ଟେଷ୍ଟ ସରିଛି । ବର୍ତ୍ତମାନ ସୁଦ୍ଧା ଉଭୟ ଦଳର ସ୍ଥିତି 1-1ରେ ବରାବର ରହିଛି । ଫେବୃଆରୀ 15ରୁ 19 ତାରିଖ ପର୍ଯ୍ୟନ୍ତ ରାଜକୋଟ(ଗୁଜରାଟ)ରେ ତୃତୀୟ ଟେଷ୍ଟ ଖେଳାଯିବ । ସେହିଭଳି ଫେବୃଆରୀ ୨୩ରୁ ରାଞ୍ଚି(ଝାଡ଼ଖଣ୍ଡ)ରେ ଚତୁର୍ଥ ଟେଷ୍ଟ ଏବଂ ମାର୍ଚ୍ଚ ୭ରୁ ଧର୍ମଶାଳା(ହିମାଚଳପ୍ରେରଦେଶ)ରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ