ହାଇଦ୍ରାବାଦ : ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ହେଉଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ, ଯେଉଁଥିପାଇଁ ଭାରତୀୟ ଖେଳାଳିମାନେ ବିଶ୍ବର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ଅଛନ୍ତି । କ୍ରିକେଟରଙ୍କ ସମ୍ପତ୍ତି ଓ କ୍ରେଜ ଦେଖି ଆଜିକାଲିର ଯୁବବର୍ଗଙ୍କ ମଧ୍ୟରେ କ୍ରିକେଟର ହେବାର ଇଚ୍ଛାଶକ୍ତି ପ୍ରବଳ ରହିଛି । କିନ୍ତୁ ଯଦି ଆପଣ କ୍ରିକେଟର ହେବାରେ ବିଫଳ ହେଉଛନ୍ତି, ବା କୌଣସି ସରକାରୀ ଚାକିରି ପାଇବାରେ ବିଫଳ ହୋଇଯାଆନ୍ତି, ତେବେ ଆପଣ କ୍ରିକେଟ ଅମ୍ପାୟାର ହୋଇ କୋଟି କୋଟି ଟଙ୍କା ରୋଜଗାର କରିପାରିବେ । ଆମେ ଆପଣଙ୍କୁ ଏହା ମଧ୍ୟ କହି ରଖୁଛୁ ଯେ ଭାରତରେ ସରକାରୀ ଚାକିରି ପାଇବା ଅପେକ୍ଷା କ୍ରିକେଟ୍ ଅମ୍ପାୟାର ହେବା ବହୁତ ସହଜ ଅଟେ । ଏଥିରେ ଆପଣଙ୍କ ରୋଜଗାର କୌଣସି 'ଏ' ଗ୍ରେଡ୍ ସରକାରୀ ଅଧିକାରୀଙ୍କ ତୁଳନାରେ ବହୁତ ଅଧିକ ହେବ ।
କ୍ରିକେଟର ହୋଇନପାରିଲେ ଅମ୍ପାୟାର ହୋଇପାରିବେ :-
ଭାରତରେ କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ପ୍ରଶଂସକମାନେ ଏହି ଖେଳକୁ ଏକ ଧର୍ମ ଭଳି ବିବେଚନା କରନ୍ତି ଏବଂ ଏହାର କୌଣସି ଇଭେଣ୍ଟକୁ ଏକ ପର୍ବ ପରି ପାଳନ କରନ୍ତି । ଯଦିଓ ଏହି ଖେଳର ଜନ୍ମ ଇଂଲଣ୍ଡରୁ ହୋଇଛି, କିନ୍ତୁ ଭାରତ ଏହି ଖେଳରେ ଏକ ପ୍ରମୁଖ ଦଳ ହୋଇପାରିଛି । ଏହାର କାରଣ ଭାରତ କ୍ରିକେଟ୍ ପ୍ରତିଭାର ସର୍ବୋତ୍ତମ ଉତ୍ପାଦକ ଅଟେ ।
ଭାରତରେ କ୍ରିକେଟର ଲୋକପ୍ରିୟତା ଏବଂ ଏହି ଖେଳ ପ୍ରତି ଲୋକଙ୍କ ଭଲପାଇବା କେବଳ କ୍ରିକେଟରଙ୍କୁ ପ୍ରସିଦ୍ଧ କରେ ନାହିଁ, ବରଂ ତାଙ୍କୁ ଦୁନିଆର ସବୁଠାରୁ ଧନୀ ଖେଳାଳି ମଧ୍ୟ କରିଦିଏ । କାରଣ ବିସିସିଆଇ ହେଉଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ । କିନ୍ତୁ କ୍ରିକେଟର ହେବା ବ୍ୟତୀତ, ଏହି ଖେଳରେ ଅନେକ ବିକଳ୍ପ ଉପଲବ୍ଧ, ଯାହା ମାଧ୍ୟମରେ ଆପଣ ମଧ୍ୟ ବହୁତ ରୋଜଗାର କରିପାରିବେ । ଏହି ବିକଳ୍ପ ମଧ୍ୟରୁ ଗୋଟିଏ ହେଉଛି ଅମ୍ପାୟାରିଂ । ଯଦି ଆପଣଙ୍କର କ୍ରିକେଟ୍ ପ୍ରତି ଆଗ୍ରହ ଅଛି ଏବଂ ଆପଣ କ୍ରିକେଟର ଭାବରେ ନିଜ କ୍ୟାରିୟର୍ କରିବାରେ ସଫଳ ହୋଇନାହାଁନ୍ତି, ତେବେ ଆପଣ ଅମ୍ପାୟାର ହେବାକୁ ମଧ୍ୟ ଚିନ୍ତା କରିପାରିବେ ଏବଂ ଯଦି ଆପଣ ଏହି କ୍ଷେତ୍ରରେ ଆନ୍ତର୍ଜାତୀୟସ୍ତରରେ ସଫଳ ହୁଅନ୍ତି, ତେବେ ଆପଣ କୋଟି କୋଟି ଟଙ୍କା ରୋଜଗାର ମଧ୍ୟ କରିପାରିବେ ।
ICC ଅମ୍ପାୟାରଙ୍କ ଦରମା କେତେ ? :-
ଅନ୍ତର୍ଜାତୀୟ କ୍ରିକେଟ୍ ଅମ୍ପାୟାର, ଯେଉଁମାନେ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ଆଇସିସି) ଦ୍ବାରା ଅନୁମୋଦିତ ମ୍ୟାଚ୍ରେ ଅମ୍ପାୟାରିଂ କରନ୍ତି, ସେମାନେ ନିଜ ଦେଶରେ ଅମ୍ପାୟାରିଂ ତୁଳନାରେ ଅଧିକ ଟଙ୍କା ରୋଜଗାର କରନ୍ତି । କାରଣ ଶୀର୍ଷସ୍ତରର ଆଇସିସି ଅମ୍ପାୟାରମାନେ ବର୍ଷକୁ 66 ଲକ୍ଷରୁ 1 କୋଟି 67 ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏଥିରେ ମ୍ୟାଚ୍ ଫି', ରିଟେନର ଫି' ଏବଂ ଅନ୍ୟାନ୍ୟ ଭତ୍ତା ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଅମ୍ପାୟାରମାନେ ପ୍ରାୟୋଜକ ମାଧ୍ୟମରେ ମଧ୍ୟ ଟଙ୍କା ରୋଜଗାର କରିପାରିବେ ।
ଆଇସିସିର ଗୋଟିଏ ଟେଷ୍ଟ ମ୍ୟାଚରେ ଅମ୍ପାୟାରଙ୍କ ଦରମା 3 ଲକ୍ଷ 33 ହଜାର ଏବଂ ଏକ ଦିନିକିଆ ମ୍ୟାଚ୍ରେ ଏହା 2 ଲକ୍ଷ 26 ହଜାର ଟଙ୍କା । ସେହିଭଳି ଟି20 ଫର୍ମାଟରେ ଗୋଟିଏ ମ୍ୟାଚ୍ ପାଇଁ ଅମ୍ପାୟାରଙ୍କ ଦରମା ପ୍ରାୟ 1 ଲକ୍ଷ 25 ହଜାର ଟଙ୍କା । ଆପଣଙ୍କୁ କହି ରଖୁଛୁ ଯେ, ଏହି ଦରମା ଅମ୍ପାୟାରଙ୍କ ବ୍ୟକ୍ତିଗତ ଅଭିଜ୍ଞତା ଏବଂ ମ୍ୟାଚ୍ର ଗୁରୁତ୍ୱ ଉପରେ ନିର୍ଭର କରେ । ଆଇସିସି ବିଶ୍ବକପ ଇତିହାସରେ ପାକିସ୍ତାନର ଅଲିମ ଦାର ସବୁଠାରୁ ମହଙ୍ଗା ଅମ୍ପାୟାର ।
BCCI ଅମ୍ପାୟାରଙ୍କ ଦରମା କେତେ ? :-
ଅମ୍ପାୟାରଙ୍କ ପାଇଁ ବିସିସିଆଇ କୌଣସି ଦରମା ସ୍ଥିର କରିନାହିଁ, କିନ୍ତୁ ବିସିସିଆଇ ଅମ୍ପାୟାରମାନଙ୍କୁ ସେମାନଙ୍କ ବୟସ, ପ୍ରମାଣପତ୍ର ଏବଂ ଅଭିଜ୍ଞତା ଇତ୍ୟାଦି ଉପରେ ଆଧାର କରି ବିଭିନ୍ନ ଗ୍ରେଡରେ ବିଭକ୍ତ କରେ । ରିପୋର୍ଟ ଅନୁଯାୟୀ, A+ ଏବଂ A ବର୍ଗର ଅମ୍ପାୟାରମାନଙ୍କୁ ଘରୋଇ ମ୍ୟାଚ୍ ପାଇଁ ଦୈନିକ 40 ହଜାର ଟଙ୍କା ଏବଂ ଗ୍ରେଡ୍ B ଏବଂ C ଅମ୍ପାୟାରମାନଙ୍କୁ ଦୈନିକ 30 ହଜାର ଟଙ୍କା ପ୍ରଦାନ କରାଯାଏ । ଯଦି ଅମ୍ପାୟାର ଭାବରେ ଆପଣଙ୍କର ଟ୍ରାକ୍ ରେକର୍ଡ ଭଲ, ତେବେ ଆପଣ ଆଇସିସି ଅମ୍ପାୟାରଙ୍କ ଏଲିଟ ପ୍ୟାନେଲରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରିବେ । ଯାହାଙ୍କର ମ୍ୟାଚ୍ ଫି' ଆହୁରି ଅଧିକ ଅଟେ ।
କ୍ରିକେଟରେ ଅମ୍ପାୟାରଙ୍କ ଗୁରୁତ୍ବ :-
ଗୋଟିଏ ମ୍ୟାଚ୍କୁ ଦୁଇଜଣ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ କରାଯାଏ, ଯାହାକୁ କ୍ରିକେଟ୍ ଭାଷାରେ ଅମ୍ପାୟର କୁହାଯାଏ । ପଡ଼ିଆ ତଥା ପଡ଼ିଆ ବାହାରେ ମ୍ୟାଚ୍ ସମୟରେ ବିଭିନ୍ନ ନିଷ୍ପତ୍ତି ନେବା ଦାୟିତ୍ବ କ୍ରିକେଟ୍ ଅମ୍ପାୟାରଙ୍କୁ ଦିଆଯାଇଛି ଏବଂ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତି ଚୂଡାନ୍ତ ଅଟେ । ଜଣେ ଅମ୍ପାୟାର ଖେଳର ନିୟମ ଅନୁସରଣ କରି ପଡ଼ିଆରେ ନ୍ୟାୟପୂର୍ଣ୍ଣ ଖେଳକୁ ସୁନିଶ୍ଚିତ କରନ୍ତି ।
ଗୋଟିଏ ମ୍ୟାଚ୍ ପାଇଁ ଗ୍ରାଉଣ୍ଡ ଅମ୍ପାୟାରଙ୍କ ସହ ଅଫ୍ ଫିଲ୍ଡ- ତୃତୀୟ ବା ଥାର୍ଡ ଅମ୍ପାୟାର ରହିଥାନ୍ତି, ଯେଉଁମାନେ ଦଳ ଦ୍ବାରା ଚ୍ୟାଲେଞ୍ଜ ହୋଇଥିବା ନିଷ୍ପତ୍ତିର ସମୀକ୍ଷା କରନ୍ତି । ତୃତୀୟ ଅମ୍ପାୟାର ମଧ୍ୟ ଗ୍ରାଉଣ୍ଡ ଅମ୍ପାୟାରଙ୍କ ଦ୍ବାରା ଦିଆଯାଇଥିବା ନିଷ୍ପତ୍ତିର ବିଚାର କରନ୍ତି, ଯାହା ଗ୍ରାଉଣ୍ଡରେ ଯାଞ୍ଚ ହୋଇପାରିବ ନାହିଁ ।
କ୍ରିକେଟ ଅମ୍ପାୟାର ହେବା ପାଇଁ ଯୋଗ୍ୟତା :-
ଅମ୍ପାୟାର ହେବାକୁ ହେଲେ ପ୍ରଥମେ କ୍ରିକେଟ୍ ଖେଳିବା ଜରୁରୀ ନୁହେଁ, କିନ୍ତୁ ଆପଣଙ୍କୁ କ୍ରିକେଟ୍ ଏବଂ ଏହାର ନିୟମ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଥିବା ଆବଶ୍ୟକ । ଏହା ବ୍ୟତୀତ ସହଜରେ ନିଷ୍ପତ୍ତି ନେବା କ୍ଷମତା, ଉତ୍କୃଷ୍ଟ ଯୋଗାଯୋଗ ଦକ୍ଷତା ଏବଂ ଶାରୀରିକ ଭାବରେ ଫିଟ୍ ହେବା ଉଚିତ, କାରଣ ଅମ୍ପାୟାରଙ୍କୁ ସମଗ୍ର ମ୍ୟାଚ୍ ସମୟରେ ଛିଡା ହେବାକୁ ପଡିବ । ଏହା ବ୍ୟତୀତ ଆପଣଙ୍କ ଦୃଷ୍ଟି ଶକ୍ତି ମଧ୍ୟ ଭଲ ହେବା ଉଚିତ୍ ।
ଭାରତରେ ଅମ୍ପାୟାର କେମିତି ହୋଇପାରିବେ :-
- ପ୍ରଥମ ଷ୍ଟେପ : ଆପଣଙ୍କ ରାଜ୍ୟ କ୍ରିକେଟ ସଂଘର ସଦସ୍ୟ ହୁଅନ୍ତୁ ।
- ଦ୍ବିତୀୟ ଷ୍ଟେପ : ରାଜ୍ୟ ସଂଘର ପ୍ରାୟୋଜକ ଗ୍ରହଣ କରନ୍ତୁ ଏବଂ ଅମ୍ପାୟାର ସାର୍ଟିଫିକେସନ୍ ପ୍ରୋଗ୍ରାମ୍ ପାଇଁ ବିସିସିଆଇ ଅମ୍ପାୟାର ଏକାଡେମୀରେ ନାମ ଲେଖାନ୍ତୁ ।
- ତୃତୀୟ ଷ୍ଟେପ : ବିସିସିଆଇ ଅମ୍ପାୟାର ଏକାଡେମୀ ଦ୍ବାରା ପରିଚାଳିତ ଅମ୍ପାୟାର ସାର୍ଟିଫିକେଟ୍ ପରୀକ୍ଷାରେ ପାସ୍ କରନ୍ତୁ ।
- ଚତୁର୍ଥ ଷ୍ଟେପ : ଆପଣଙ୍କ ରାଜ୍ୟ କ୍ରିକେଟ ସଂଘ ଦ୍ବାରା ଆୟୋଜିତ ମ୍ୟାଚ୍ରେ ଭାଗ ନେଇ ଅମ୍ପାୟାର ପ୍ରମାଣପତ୍ର ହାସଲ କରନ୍ତୁ ।
- ପଞ୍ଚମ ଷ୍ଟେପ : ରାଜ୍ୟସ୍ତରରେ ଦୁଇରୁ ତିନି ବର୍ଷର ଅମ୍ପାୟାରିଂ ଅଭିଜ୍ଞତା ହାସଲ କରନ୍ତୁ ଏବଂ ପରେ ବିସିସିଆଇ ଲେବଲ 1 ପରୀକ୍ଷା ପାଇଁ ଆବେଦନ କରନ୍ତୁ ଏବଂ ପାସ କରନ୍ତୁ ।
- ଷଷ୍ଠ ଷ୍ଟେପ : ବିସିସିଆଇରେ ଅମ୍ପାୟାର ହେବା ପାଇଁ ଆପଣଙ୍କୁ ଲେବଲ 1 ପରୀକ୍ଷା ପାସ କରିବାକୁ ହେବ, ଯାହା ପ୍ରତିବର୍ଷ ବିସିସିଆଇ ଦ୍ବାରା ଆୟୋଜିତ ହେଉଛି । ଏହି ପରୀକ୍ଷା ପୂର୍ବରୁ ବିସିସିଆଇ 3 ଦିନିଆ କୋଚିଂ କ୍ଲାସ ମଧ୍ୟ ଆୟୋଜନ କରୁଛି । ପରୀକ୍ଷା ପରେ ମେରିଟ୍ ତାଲିକା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯାଏ ।
ମନୋନୀତ ପ୍ରାର୍ଥୀଙ୍କୁ ଏକ ଇଣ୍ଡକ୍ସନ୍ ପାଠ୍ୟକ୍ରମ ଦିଆଯାଏ, ଯେଉଁଥିରେ ସେମାନଙ୍କୁ ଅମ୍ପାୟାରିଂ ବିଷୟରେ ଶିକ୍ଷା ଦିଆଯାଏ । ତା’ପରେ ଏକ ସାକ୍ଷାତକାର କରାଯାଏ । ଯେଉଁମାନେ ଏହାକୁ ପାସ୍ କରନ୍ତି ସେମାନଙ୍କୁ ଲେବଲ 2 ପରୀକ୍ଷାରେ ପାସ କରିବାକୁ ହେବ । ତା’ପରେ ପ୍ରାର୍ଥୀଙ୍କ ଡାକ୍ତରୀ ପରୀକ୍ଷା ପରେ ସେମାନେ ବିସିସିଆଇରେ ଅମ୍ପାୟାର ହୁଅନ୍ତି । - ସପ୍ତମ ଷ୍ଟେପ : ଯଦି ଆପଣ ଅମ୍ପାୟାରିଂରେ କ୍ୟାରିୟର କରିବାକୁ ଚାହୁଁଛନ୍ତି, ତେବେ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ ପାଇଁ ଆଇସିସିରୁ ଅମ୍ପାୟାର ସାର୍ଟିଫିକେଟ୍ ପାଇଁ ବିସିସିଆଇରୁ ଏକ ସୁପାରିଶ ଆବେଦନ କରନ୍ତୁ ।
ICCରେ ଭାରତୀୟ ଅମ୍ପାୟାର :-
ନୀତୀନ ମେନନ, କେଏନ୍ ଅନନ୍ତ ପଦ୍ମନାଭନ, ଜୟରମଣ ମଦନଗୋପାଳ, ରୋହନ ପଣ୍ଡିତ ଓ ବୀରେନ୍ଦ୍ର ଶର୍ମା
ଏହା ମଧ୍ୟ ପଢ଼ନ୍ତୁ :-
- ପାଠରେ 'ଜିରୋ', କ୍ରିକେଟରେ 'ହିରୋ'; ଜାଣନ୍ତୁ କେତେ ପାଠ ପଢ଼ିଛନ୍ତି ଭାରତୀୟ ଦଳର ଷ୍ଟାର କ୍ରକେଟର - Indian Cricketers Education
- କାନପୁରରେ 'ବିରାଟ' ରେକର୍ଡ; ସଚିନଙ୍କୁ ପଛରେ ପକାଇଲେ କୋହଲି - Virat Kohli Record
- ବିଶ୍ବ କ୍ରିକେଟର 6 ଦିଗ୍ଗଜ : ହାସଲ କରିଛନ୍ତି 150ରୁ ଅଧିକ ଶତକ; ବହୁ ପଛରେ ସଚିନ-କୋହଲି - Cricketer with 150 Centuries
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ