ଭୁବନେଶ୍ବର: FIH ହକି ପ୍ରୋ ଲିଗର ଦ୍ୱିତୀୟ ମ୍ୟାଚରେ ଭାରତକୁ ହରାଇଲା ଚୀନ । 2-1 ଗୋଲରେ ଭାରତକୁ ହରାଇ ବିଜୟ ହୋଇଛି ଚୀନ । ସେପଟେ ଆମେରିକାକୁ ମଧ୍ୟ ହରାଇଛି ନେଦରଲାଣ୍ଡ । 7-0 ଗୋଲରେ ନେଦରଲଣ୍ଡ ଠାରୁ ପରାଜୟ ବରଣ କରିଛି ଆମେରିକା । ତେବେ ଗତକାଲି(ଶନିବାର) କଳିଙ୍ଗ ଷ୍ଟାଡ଼ିୟମରେ ମହିଳା ବର୍ଗର ପ୍ରୋ ଲିଗର ପ୍ରଥମ ମ୍ୟାଚ ଶେଷ ହୋଇଛି ।
ଓଡ଼ିଶାକୁ ଫେରିଛି ଅନ୍ତର୍ଜାତୀୟ ହକି । ହକି ପ୍ରୋ ଲିଗର ପ୍ରଥମ ମ୍ୟାଚ ଶେଷ ହୋଇଛି । ଗତକାଲି ଅପରାହ୍ଣ ୫ଟା ୩୦ରେ ପ୍ରଥମ ମ୍ୟାଚ ଆମେରିକା-ନେଦରଲଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆମେରିକାକୁ 7-0 ଗୋଲରେ ହରାଇଛି ନେଦରଲାଣ୍ଡ ଦଳ । ମ୍ୟାଚ ଆରମ୍ଭରୁ ହିଁ ନେଦରଲାଣ୍ଡ ଦଳ ଆକ୍ରମକ ଖେଳ ଆରମ୍ଭ କରିଥିଲା । ନେଦରଲାଣ୍ଡ ଦଳ ତରଫରୁ ପିଏନି ଡିକେ ସର୍ବାଧିକ 4ଟି ଗୋଲ ଦେଇଛନ୍ତି । ଭଲ ଖେଳର ପଦର୍ଶନ କରି ଆମେରିକାକୁ ଖାତା ଖୋଲିବାର ସୁଯୋଗ ମଧ୍ୟ ଦେଇନଥିଲା ନେଦରଲାଣ୍ଡ । ଫଳରେ ନେଦରଲାଣ୍ଡ ଆଗରେ 7-0 ଗୋଲରେ ପରାଜୟ ସ୍ବୀକାର କରିଛି ଆମେରିକା ।
ସେହିପରି FIH ହକି ପ୍ରୋ ଲିଗର ଦ୍ୱିତୀୟ ମ୍ୟାଚ ଭାରତ ଓ ଚୀନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଭାରତକୁ ହରାଇଛି ଚୀନ । 2-1 ଗୋଲରେ ଭାରତକୁ ହରାଇ ବିଜୟ ହାସଲ କରିଛି ଚୀନ । ପ୍ରଥମ କ୍ୱାଟରରୁ ହିଁ ଭାରତ ଆକ୍ରମକ ଖେଳ ପଦର୍ଶନ କରିଥିଲା । ଭାରତୀୟ ଟିମର ଖେଳାଳି ବନ୍ଦନା କାତାରିୟା ଦଳ ତରଫରୁ ପ୍ରଥମ ଗୋଲ ଦେଇଥିଲେ । ପରେ ପରେ ତୃତୀୟ କ୍ୱାଟରରେ ଚୀନ ଦଳ ତରଫରୁ ଗୋଟିଏ ଗୋଲ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲେ । ସେହି କ୍ୱାଟରରେ ଭାରତୀୟ ଦଳକୁ ପେନାଲ୍ଟି ସୁଯୋଗ ମିଳିଥିଲେ ମଧ୍ୟ ଏହାକୁ ଗୋଲରେ ପରିଣତ କରିବରେ ବିଫଳ ହୋଇଥିଲା ଦଳ । କିନ୍ତୁ ଚୀନ ପେନାଲ୍ଟିରେ ଭାରତକୁ ଗୋଟିଏ ଗୋଲ ଦେଇ 2-1ରେ ଆଗୁଆ ହୋଇଥିଲା । ଭାରତୀୟ ଦଳ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ହିଁ ପରାଜିତ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...10ରୁ ଓଡ଼ିଶାରେ ପ୍ରୋ ଲିଗ୍ ହକି: 24 ଜଣିଆ ପୁରୁଷ ଦଳରେ ଏକମାତ୍ର ଓଡ଼ିଆ ଅମିତ ରୋହିଦାସ
ସୂଚନାଯୋଗ୍ୟ, FIH ପ୍ରୋ-ଲିଗ୍ ହକି ୨୦୨୩-୨୪ ପୁରୁଷ ଓ ମହିଳା ବିଭାଗରେ ୨୦ଟି ଲେଖାଏଁ ମ୍ୟାଚ ଖେଳାଯିବ । ଏହି ସବୁ ମ୍ୟାଚ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ ।
ଇଟିଭି ଭାରତ, ଭୁବନେଶ୍ବର