ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଜାରି ରହିଛି ଏଫଆଇଏଚ ପ୍ରୋ ଲିଗ । ତୃତୀୟ ମ୍ୟାଚରେ ଭାରତୀୟ ମହିଳା ଟିମର ହାଟ୍ରିକ ପରାଜୟ । ଭାରତକୁ 3-0 ଗୋଲରେ ହରାଇଲା ଅଷ୍ଟ୍ରେଲିଆ। ମ୍ୟାଚ ଆରମ୍ଭରୁ ଅଷ୍ଟ୍ରେଲିଆ ଆକ୍ରମକ ଖେଳ ପଦର୍ଶନ କରି ପ୍ରଥମାର୍ଦ୍ଧରେ 2-0 ଗୋଲରେ ଆଗୁଆ ରହିଥିଲା। ଶେଷ କ୍ଵାଟରରେ ଆଉ ଏକ ଗୋଲ କରିବା ସହ ଅଷ୍ଟ୍ରେଲିଆ ମ୍ୟାଚକୁ 3-0 ଗୋଲରେ ଜିତି ନେଇଥିଲା । ଲଗାତର ଭାରତୀୟ ଦଳର ଏହି ପ୍ରଦର୍ଶନ କୋଚଙ୍କଠାରୁ ଆରମ୍ଭ କରି କ୍ରୀଡା ପ୍ରେମୀଙ୍କୁ ନିରାଶ କରିଛି । ପରବର୍ତ୍ତୀ ମ୍ୟାଚରେ ଫେବୃଆରୀ 9 ତାରିଖରେ ଆମେରିକାକୁ ଭେଟିବ ଭାରତ।
ହକି ପ୍ରୋ ଲିଗରେ ଭାରତୀୟ ମହିଳା ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । କଳିଙ୍ଗ ଷ୍ଟାଡିୟମରେ ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା 3ଟି ମ୍ୟାଚରୁ କୌଣସି ଗୋଟିଏରେ ବି ବିଜୟୀ ହୋଇନି ଭାରତୀୟ ମହିଳା ଟିମ । ପ୍ରଥମ ମ୍ୟାଚରେ ଚୀନଠାରୁ ପରାଜିତ ହେବା ପରେ ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ସଠାରୁ ପରାଜିତ ହୋଇଥିଲା । ବୁଧବାର ଅଷ୍ଟ୍ରେଲିଆ ସହ ତୃତୀୟ ମ୍ୟାଚ ଖେଳିଥିଲା ଭାରତ । କିନ୍ତୁ ପୂର୍ବ ପରି ମଧ୍ୟ ଏହି ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜିତ ହେବାକୁ ପଡିଥିଲା । ବର୍ତ୍ତମାନ ସୁଦ୍ଧା ପେଣ୍ଟ ଟେବୁଲରେ ଖାତା ଖୋଲି ପାରିନି ଓ୍ବିମେନ ଇନ ବ୍ଲୁ ଟିମ ।
ଏହା ମଧ୍ୟ ପଢନ୍ତୁ-FIH ହକି ପ୍ରୋ-ଲିଗ: 2-1 ଗୋଲରେ ଭାରତକୁ ହରାଇଲା ଚୀନ
ଫେବୃଆରୀ 3 ତାରିଖରେ ଚୀନ ଓ ଭାରତ ମଧ୍ୟରେ ମୁକାବିଲା ହୋଇଥିଲା । 2-1 ଗୋଲରେ ଭାରତକୁ ହରାଇ ବିଜୟ ହୋଇଥିଲା ଚୀନ । ପ୍ରଥମ କ୍ୱାଟରରୁ ଭାରତ ଆକ୍ରମଣାତ୍କମକ ଖେଳ ପ୍ରଦର୍ଶନ କରି ବନ୍ଦନା କାତାରିୟା ପ୍ରଥମ ଗୋଟିଏ ଗୋଲ ଦେଇଥିଲେ । ପରେ ତୃତୀୟ କ୍ୱାଟରରେ ଚୀନ ଦଳ ଗୋଟିଏ ଗୋଲ ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା । ସେହି କ୍ୱାଟରରେ ଭାରତୀୟ ଦଳକୁ ପେନାଲ୍ଟି ସୁଯୋଗ ମିଳିଥିଲେ ମଧ୍ୟ ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା ଦଳ । କିନ୍ତୁ ଚୀନ ପେନାଲ୍ଟିରେ ଭାରତକୁ ଗୋଟିଏ ଗୋଲ ଦେଇ 2-1ରେ ଆଗୁଆ ରହି ବିଜୟୀ ହୋଇଥିଲା । ପର ଦିନ ଅର୍ଥାତ ଫେବୃଆରୀ 4 ତାରିଖରେ ଦ୍ବିତୀୟ ମ୍ୟାଚରେ ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଭାରତୀୟ ଟିମକୁ 3-1 ଗୋଲରେ ପରାସ୍ତ କରିଥିଲା ବିପକ୍ଷ ଦଳ ।
ଇଟିଭି ଭାରତ, ଭୁବନେଶ୍ୱର