ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଭିଜ୍ଞ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ଗୁଜବ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ କରିବା ଓ ଚହଲ ଧନଶ୍ରୀଙ୍କ ସହ ସମସ୍ତ ଫଟୋ ଡିଲିଟ କରିବା ପରେ ଏପରି ଗୁଜବ ଆରମ୍ଭ ହୋଇଯାଇଛି । ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ ନଥିବା କୁହାଯାଉଥିବା ବେଳେ ନୀରବତା ଭଙ୍ଗ କରି ମୁହଁ ଖୋଲିଛନ୍ତି ଧନଶ୍ରୀ ବର୍ମା ।
ଛାଡ଼ପତ୍ର ଗୁଜବ ନେଇ ନୀରବତା ଭାଙ୍ଗିଲେ ଧନଶ୍ରୀ:
ଧନଶ୍ରୀ ଇନଷ୍ଟାଗ୍ରାମରେ ଆଜି ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ସୋସିଆଲ ମିଡିଆରେ ଛାଇ ଯାଇଛି । ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି ଗତ କିଛି ଦିନ ଧରି ତାଙ୍କ ବିଷୟରେ ଆସୁଥିବା ଖବରକୁ ନେଇ ସେ ମାନସିକ ଯନ୍ତ୍ରଣାରେ ଗତି କରୁଛନ୍ତି । ଇନଷ୍ଟାଗ୍ରାମ ଷ୍ଟୋରୀରେ ସେ ଲେଖିଛନ୍ତି, '' ଗତ କିଛି ଦିନ ମୋ ପାଇଁ ଏବଂ ମୋ ପରିବାର ପାଇଁ ବହୁତ କଷ୍ଟକର ଥିଲା । ସେମାନେ ସତ୍ୟ ନ ଜାଣି ମିଛ ଲେଖୁଛନ୍ତି । ମୋତେ ଟ୍ରୋଲ୍ କରୁଛନ୍ତି । ଭିତ୍ତିହୀନ କଥା ଉପସ୍ଥାପନ କରି ମୋ ଚରିତ୍ର ଉପରେ ପ୍ରଶ୍ନ ଉଠାଯାଉଛି । ନିରନ୍ତର ଘୃଣା ପ୍ରସାର କରିବା ପାଇଁ ପ୍ରୟାସ କରାଯାଉଛି। ''
ମୁଁ ସତ ସହିତ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି:
ସେ ଆହୁରି ମଧ୍ୟ ଲେଖିଛନ୍ତି, '' ମୁଁ ବର୍ତ୍ତମାନ ଯେଉଁ ସ୍ଥାନରେ ଅଛି ତାହା ହାସଲ କରିବା ପାଇଁ ବର୍ଷ ବର୍ଷ ହେବ କଠିନ ପରିଶ୍ରମ କରିଛି । ମୋର ନୀରବତା, ଦୁର୍ବଳତା ନୁହେଁ ବରଂ ମୋର ଶକ୍ତି । ସୋସିଆଲ ମିଡିଆରେ ନକାରାତ୍ମକ ଖବର ପ୍ରସାର କରିବା କୌଣସି ବଡ଼ କଥା ନୁହେଁ । କିନ୍ତୁ ଅନ୍ୟ କାହା ସହିତ ଆଗକୁ ବଢ଼ିବା ପାଇଁ ସାହସ ଆବଶ୍ୟକ । ମୁଁ ସତ ସହିତ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି । ସତ୍ୟର ସର୍ବଦା ଜୟ ହେବ ଏବଂ ପ୍ରମାଣର ଆବଶ୍ୟକତା ନାହିଁ। ''
ଚହଲ ଏବଂ ଧନଶ୍ରୀ ବର୍ମା ଡିସେମ୍ବର 2020ରେ ବିବାହ କରିଥିଲେ । 2023 ମସିହାରୁ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଥିଲା । ଧନଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଚହଲ ନାମକୁ ହଟାଇ ଦେଇଥିଲେ । ସେହି ସମୟରେ ଚହଲ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ ଯେ ଏକ ନୂତନ ଜୀବନ ଆରମ୍ଭ ହେଉଛି, ଯାହା ତାଙ୍କ ସମ୍ପର୍କରେ ଭଲ ନଥିବା କଳ୍ପନା ଜଳ୍ପନାର କାରଣ ହୋଇଥିଲା ।