ଭୁବନେଶ୍ବର: ରାଜ୍ୟର ହକି ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନ ଜଣାଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ନଗଦ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରତିନିଧିତ୍ବ କରି ଓଡ଼ିଶାର କ୍ରୀଡ଼ା ଐତିହ୍ୟକୁ ପରିଚୟ ସ୍ବରୂପ ଏହି ପୁରସ୍କାର ପ୍ରଦାନ କରାଯିବ । ଏହି ଘୋଷଣା ପରେ ରାଜ୍ୟରେ ହକି ଖେଳ ପ୍ରତି ଯୁବବର୍ଗଙ୍କର ଆଗ୍ରହ ସୃଷ୍ଟି ହେବ ବୋଲି କୁହାଯାଉଛି ।
ତେବେ ଚେନ୍ନାଇରେ ଅନୁଷ୍ଠିତ ୨୦୨୩ ପୁରୁଷ ଏସିଆନ ଚମ୍ପିଆନସିପ୍ ଟ୍ରଫି ଏବଂ ଝାଡ଼ଖଣ୍ଡରେ ଆୟୋଜିତ ୨୦୨୩ ମହିଳା ଏସିଆନ୍ ଚମ୍ପିଆନ୍ସିପ୍ ଟ୍ରଫିରେ ଭାରତର ପ୍ରତିନିଧିତ୍ବ କରିଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ଦୀପଗ୍ରେସ ଏକ୍କାଙ୍କୁ ଯଥାକ୍ରମେ ୩ ଲକ୍ଷ ୭୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ । ଏସିଆନ୍ ଚମ୍ପିଆନସିପ୍ ଟ୍ରଫି ହେଉଛି ପ୍ରତି ଦୁଇ ବର୍ଷରେ ଆୟୋଜିତ ହେଉଥିବା ଏକ ମହାଦେଶୀୟ ପ୍ରତିଯୋଗିତା । ସେହିଭଳି ଓମାନର ମାସ୍କଟ ଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ହକି 5S ମହିଳା ବିଶ୍ବକପ ୨୦୨୪ର ପ୍ରଥମ ସଂସ୍କରଣରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇଥିବା ମାରିଆନା କୁଜୁର, ଜ୍ୟୋତି ଛେତ୍ରୀ ଓ ଅଜମିନା କୁଜୁରଙ୍କୁ ୧୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏଫ୍ଆଇଏଚ୍ ହକି ବିଶ୍ବକପ୍ ପ୍ରତି 4 ବର୍ଷରେ ଥରେ ଆୟୋଜନ କରାଯାଏ ।
ଏହା ମଧ୍ୟ ପଢ଼ନ୍ତୁ...ବିଦ୍ୟାଳୟ ପାଚିକାଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି
ତେବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଭଣ୍ଡାର ମେଲା କରିଛନ୍ତି ରାଜ୍ୟ ସରକାର । କ୍ରମାଗତ ଭାବେ ଗତ 10-15 ଦିନ ଭିତରେ ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ଯୋଜନାରେ ଘୋଷଣା ହେଉଛି ଅର୍ଥରାଶି । କାହାର ଭତ୍ତା ତ କାହାର ପାରିଶ୍ରମିକ ହୋଇଛି ବୃଦ୍ଧି । ବିଭିନ୍ନ କଲେଜରେ ନୂଆ-ଓ କାର୍ଯ୍ୟକ୍ରମରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ବିଜେଡି ସରକାର ଯୁବବର୍ଗଙ୍କ ଭୋଟ ହାତେଇବାକୁ ଏଭଳି ଅଯଥା ଟଙ୍କା ଖର୍ଚ୍ଚ କରୁଥିବା ବିରୋଧି ଅଭିଯୋଗ କରୁଛନ୍ତି । ଏଭଳି ସ୍ଥିତିରେ ପୁଣିଥରେ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣାକୁ ନେଇ ମଧ୍ୟ ରାଜନୀତି ତେଜିଛି ।
ଏହା ମଧ୍ୟ ପଢ଼ନ୍ତୁ...କୃଷକ ସାଥିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ସହାୟତା ରାଶି ପରିମାଣ ୧୮ ହଜାରକୁ ବୃଦ୍ଧି
ଇଟିଭି ଭାରତ, ଭୁବନେଶ୍ବର