ହାଇଦ୍ରାବାଦ: ଆଡିଲେଡରେ ଖେଳାଯାଇଥିବା ପିଙ୍କ ବଲ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ହୋଇଛି । 10 ଓ୍ବିକେଟରେ କଙ୍ଗାରୁ ଦଳ ଠାରୁ ହାରିଛି ଭାରତ । ତେବେ 5 ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଜିତିଥିବା ବେଳେ କାହିଁକି ଦ୍ବିତୀୟ ମ୍ୟାଚରେ ହାରିଲା ? କେଉଁଠି ରହିଲା ତ୍ରୁଟି ? ଏହାର କାରଣ କହିଛନ୍ତି ଅଧିନାୟକ ରୋହିତ ଶର୍ମା ।
ପରାଜୟର କାରଣ କହିଲେ ରୋହିତ:
ମ୍ୟାଚ୍ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ନେତୃତ୍ୱ ଏବଂ ବୋଲିଂରେ ପରିବର୍ତ୍ତନ ଉପରେ ପ୍ରଶ୍ନ ଉଠିଥିଲା। ରୋହିତ ନିଜେ ସ୍ୱୀକାର କରିଛନ୍ତି ଯେ ଭାରତ ଅନେକ ସୁଯୋଗ ହାତଛଡ଼ା କରିଛି, ଯାହା ପରାଜୟର କାରଣ ପାଲଟିଛି। ପର୍ଥ ଟେଷ୍ଟ ତୁଳନାରେ ଆଡିଲେଡ ଟେଷ୍ଟରେ ଭାରତର ଫିଲ୍ଡିଂ ଏବଂ ବ୍ୟାଟିଂ ଭଲ ନଥିଲା। ରୋହିତ କହିଛନ୍ତି, ଏହି ସପ୍ତାହ ଆମ ପାଇଁ ନିରାଶାଜନକ ଥିଲା। ବିଜୟୀ ହେବା ପାଇଁ ଆମେ ଶତପ୍ରତିଶତ ଖେଳିପାରିନଥିଲୁ । ଅଷ୍ଟ୍ରେଲିଆ ଆମ ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲା। ଖେଳ ସମୟରେ ଏପରି ଅନେକ ସୁଯୋଗ ଥିଲା ଯାହାକୁ ଆମେ ହାତଛଡା କରିଦେଲୁ । ଆଉ ଏହା ହାରିବାର କାରଣ ହୋଇଗଲା।
ସେ ଆହୁରି ମଧ୍ୟ କହିଛନ୍ତି, "ପର୍ଥରେ ଆମର ପ୍ରଦର୍ଶନ ବେଶ ଭଲ ଥିଲା। ତାହା ଆମେ ଦ୍ବିତୀୟ ଟେଷ୍ଟରେ ମଧ୍ୟ କରିବାକୁ ଚାହିଁଥିଲୁ । କିନ୍ତୁ ପ୍ରତ୍ୟେକ ଟେଷ୍ଟ ମ୍ୟାଚରେ ଭିନ୍ନ ଚ୍ୟାଲେଞ୍ଜ ଥାଏ। ପିଙ୍କ ବଲ ସହିତ ଏହି ମ୍ୟାଚ୍ ଆମ ପାଇଁ ଭଲ ହେବ ନାହିଁ ବୋଲି ଆମେ ଜାଣିଥିଲୁ । ଅଷ୍ଟ୍ରେଲିଆ ଭଲ ଖେଳିଛି ।''
ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ କ’ଣ କହିଛନ୍ତି?
ମ୍ୟାଚର ତୃତୀୟ ଦିନରେ ଦଳର ଅଧିନାୟକ ପାଟ କମିନ୍ସ ଘାତକ ବୋଲିଂ କରି 5ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଯାହା ଦଳକୁ ବିଜୟ ପଥକୁ ନେଇଯାଇଥିଲା । ଏନେଇ କମିନ୍ସ କହିଛନ୍ତି, '' ଆମ ପାଇଁ ଏହି ସପ୍ତାହ ଭଲ ଥିଲା । ପର୍ଥ ଟେଷ୍ଟ ପରେ ଆମେ ଜାଣିଥିଲୁ ଆମେ ଭଲ କରିବୁ। ଏହି ମ୍ୟାଚରେ ଆମେ ଆମର ଜିତ୍ ଫେରି ପାଇଛୁ। ଏହି ବିଜୟ ଅତ୍ୟନ୍ତ ସନ୍ତୋଷଜନକ ଅଟେ ।''
Australia win the second Test and level the series.#TeamIndia aim to bounce back in the third Test.
— BCCI (@BCCI) December 8, 2024
Scoreboard ▶️ https://t.co/upjirQCmiV#AUSvIND pic.twitter.com/Tc8IYLwpan
ମିଚେଲ ଷ୍ଟାର୍କଙ୍କୁ ପ୍ରଶଂସା କଲେ କମିନ୍ସ:
କଙ୍ଗାରୁ ଦଳର ଅଧିନାୟକ ଆହୁରି ମଧ୍ୟ କହିଛନ୍ତି, ''ଆମର ବିଜୟରେ ମିଚେଲ ଷ୍ଟାର୍କଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଥିଲା । ପ୍ରଥମ ଦିନରେ ସେ 6 ଓ୍ବିକେଟ ନେଇ ବିଜୟର ମୂଳଦୂଆ ପକାଇଥିଲେ । ତାଙ୍କୁ ଆମ ଦଳରେ ପାଇ ଆମେ ଭାଗ୍ୟବାନ । ସ୍କଟ ବୋଲାଣ୍ଡ ମଧ୍ୟ ଚମତ୍କାର ବୋଲିଂ କରିଥିଲେ। ପରବର୍ତ୍ତୀ ମ୍ୟାଚରେ ଜୋଶ ହାଜଲେଉଡ୍ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା ରହିଛି । ''
ତୃତୀୟ ଟେଷ୍ଟ ମ୍ୟାଚ୍ କେବେ ?
ଅଷ୍ଟ୍ରେଲିଆର ଜବରଦସ୍ତ କମବ୍ୟାକ ସହିତ ଏହି ସିରିଜ୍ 1-1ରେ ବରାବର ହୋଇଛି । ଏହି ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ 295 ରନ୍ ଜିତିଥିଲା ଭାରତ। 5 ମ୍ୟାଚ ବିଶିଷ୍ଟ ଏହି ସିରିଜର ତୃତୀୟ ମ୍ୟାଚ୍ 14 ଡିସେମ୍ବରରେ ବ୍ରିସବେନ ଗବା ଠାରେ ଖେଳାଯିବ ।