ନୂଆଦିଲ୍ଲୀ: ନିର୍ବାଚନ ଲଢିବା ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଲେ ଭାରତୀୟ ଟିମର ପୂର୍ବତନ କ୍ରିକେଟର ଯୁବରାଜ ସିଂହ । ଆସନ୍ତା ଲୋକସଭା ନିର୍ବାଚନ ସେ ଲଢିବେ ନାହିଁ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି । ବିଜେପି ଟିକେଟରେ ସେ ଗୁରୁଦାସପୁରରୁ ଲୋକସଭା ନିର୍ବାଚନ ଲଢିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ସମସ୍ତ ଚର୍ଚ୍ଚାକୁ ଯୁବରାଜ ସିଂହ ଖଣ୍ଡନ କରିଛନ୍ତି ।
ଯୁବରାଜ ସିଂହ ଟ୍ବିଟ କରି କହିଛନ୍ତି, "ମୁଁ ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରୁଛି, ଗୁରୁଦାସପୁର ଆସନରୁ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ । ମୋର ଇଚ୍ଛା ଲୋକଙ୍କୁ ସମର୍ଥନ ଏବଂ ସାହାଯ୍ୟ କରିବା । ମୁଁ ମୋର ଫାଉଣ୍ଡେସନ୍ @YOUWECAN ମାଧ୍ୟମରେ ଏହା ଜାରି ରଖିବି ।"
ଏହା ମଧ୍ୟ ପଢନ୍ତୁ- ଲୋକସଭା ନିର୍ବାଚନ, କୌଣସି ମୁହୂର୍ତ୍ତରେ ପ୍ରାର୍ଥୀ ଘୋଷଣା କରିପାରେ BJP
ଗୁରୁବାର(ଫେବୃଆରୀ ୨୯) ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଲୋକସଭା ନିର୍ବାଚନ ନେଇ ଆଲୋଚନା ହୋଇଥିଲା । କେଉଁ ଆସନରେ ଦଳ କାହାକୁ ଟିକେଟ ଦେବ ତାହା ଉପରେ ଚର୍ଚ୍ଚା ହୋଇଥିଲା । ବୈଠକରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ କିମ୍ବା ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ବିଜେପି ଗୁରୁଦାସପୁରରୁ ଲୋକସଭା ନିର୍ବାଚନ ଲଢିବା ନେଇ ଟିକେଟ ଦେଇପାରେ ବୋଲି ଆଲୋଚନା ହୋଇଥିବା ଖବର ଆସିଥିଲା । କିନ୍ତୁ ନିର୍ବାଚନ ଲଢିବେ ନାହିଁ ବୋଲି ଏକ୍ସରେ ଟ୍ବିଟ କରି ସଫା ସଫା ମନା କରିଦେଇଛନ୍ତି ଯୁବରାଜ । ବୈଠକ ପରେ ଖୁବଶିଘ୍ର ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିପାରେ ବୋଲି କଳ୍ପନାଜଳ୍ପନା ଲାଗି ରହିଛି । କୈଣସି ମୁହୂର୍ତ୍ତରେ ଜାରି ହୋଇପାରେ ପ୍ରାର୍ଥୀ ତାଲିକା । କାହାକୁ ମିଳିବ ଟିକେଟ ଓ କାହାର କଟିବ ତା ଉପରେ ସମସ୍ତଙ୍କ ନଜର ।
ଏହା ମଧ୍ୟ ପଢନ୍ତୁ- ଲୋକସଭା ନିର୍ବାଚନ; ୟୁପିରେ ୭୪ ଆସନରୁ ଲଢିପାରେ ବିଜେପି
ଯୁବରାଜଙ୍କ କ୍ରିକେଟ ଜୀବନ:
10 ଜୁନ୍ 2019ରେ ନିଜର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଯୁବରାଜ ସିଂହ । ତାଙ୍କ କ୍ୟାରିୟରରେ ସେ ମୋଟ 402ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେଥିମଧ୍ୟରେ 40 ଟି ଟେଷ୍ଟ, 304ଟି ଦିନିକିଆ ଓ 58ଟି ଟି20 ମ୍ୟାଚ୍ ସାମିଲ ରହିଛି । ମୋଟ 411ଟି ଇନିଂସରୁ ସେ 11778 ରନ୍ ହାସଲ କରିଛନ୍ତି । ଖାଲି ବ୍ୟାଟିଂ ନୁହେଁ ବରଂ ଯୁବରାଜ ଜଣେ ଭଲ ବୋଲର ମଧ୍ୟ ଥିଲେ ଭାରତୀୟ କ୍ରିକେଟ ଟିମରେ ।