ଭୁବନେଶ୍ବର: ବିଜେଡିରେ ଯୋଗ ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାର ବଣାଁଇ କିଶାନ ସମାଜର ସଭାପତି ଓ ସମ୍ପାଦକଙ୍କ ସମେତ ୨ ହଜାରରୁ ଊର୍ଦ୍ଧ୍ବ କର୍ମୀ । ଶଙ୍ଖ ଭବନରେ ଆଜି ମନ୍ତ୍ରୀ ତଥା ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇଙ୍କ ଉପସ୍ଥିତରେ ହୋଇଛି ମିଶ୍ରଣ କାର୍ଯ୍ୟକ୍ରମ । ସୁନ୍ଦରଗଡ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଦେବାଶିଷ ମଲ୍ଲିକ ଓ ବଣାଁଇ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଷ୍ଟାଲିନ ପରିଜାଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ସମସ୍ତ କିଶାନ ସମାଜ କର୍ମୀଙ୍କୁ ବିଜେଡି ନେତା ଉପଢୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି । କିଶାନ ସମାଜର ଯୋଗଦାନ ଫଳରେ ବିଶେଷ କରି ସୁନ୍ଦରଗଡ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସେମାନେ କହିଛନ୍ତି ।
ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି, "କିଶାନ ସମାଜର ସମସ୍ତ ନେତୃବୃନ୍ଦ ଆଜି ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବେ । ବିଜେଡିରେ ସାମିଲ ହୋଇଥିବା ବଣାଁଇ କିଶାନ ସମାଜ ସଭାପତି ରତ୍ନାକର କିଶାନ କହିଛନ୍ତି, "ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ । ଦଳ ଆଗକୁ ଯାହା ଦାୟିତ୍ବ ଦେବ, ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।"
ତେବେ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବଣାଁଇ କିଶାନ ସମାଜ ସଭାପତି ରତ୍ନାକର କିଶାନ ଓ ସମ୍ପାଦକ ଉତ୍ତମ କିଶାନଙ୍କ ସମେତ ଗୋଲବଦନ କିଶାନ, ହରିହର କିଶାନ, ମିଶ୍ର କିଶାନ, ବନେଶ୍ବର କିଶାନ, ଚରଣ ପ୍ରଧାନ, ପ୍ରାଣକୃଷ୍ଣ କିଶାନ, ମୁନା କିଶାନ, ବାସୁଦେବ କିଶାନ, ରାଧା କିଶାନ, ରଣଜିତ କିଶାନ, ଲକ୍ଷ୍ମୀ କିଶାନ, ମଞ୍ଜୁଲତା କିଶାନ, ଚମ୍ପାବତୀ କିଶାନ, ମାଳତୀ କିଶାନ, ନିରୂପମା କିଶାନଙ୍କ ସହ ଦୁଇ ହଜାରରୁ ଊର୍ଦ୍ଧ୍ବ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର