ଭୁବନେଶ୍ବର: ମେଣ୍ଟ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ମେଣ୍ଟ ହେବନି ବୋଲି ସ୍ପଷ୍ଟ କଲେ ରାଜ୍ୟ ବିଜେପି ସଭାପତି । X ହ୍ୟାଣ୍ଡଲରେ ପୋଷ୍ଟ କରି ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେପଟେ ମନମୋହନଙ୍କ ଟ୍ବିଟକୁ ରିପୋଷ୍ଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ ଲେଖିଛନ୍ତି, "ଗତ ୧୦ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି । ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ । ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି, ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟ ସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଛୁ ।"
![BJD BJP Alliance](https://etvbharatimages.akamaized.net/etvbharat/prod-images/22-03-2024/21048087_1.jpg)
"କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ । ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି । ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନାହୁଁ " ବୋଲି କହିଛନ୍ତି ମନମୋହନ ।
ଏହା ମଧ୍ୟ ପଢନ୍ତୁ...ବିଜେଡି-ବିଜେପି ମେଣ୍ଟ ! ନିଷ୍ପତ୍ତି ହେଲେ ଘୋଷଣା କରାଯିବ: ମନମୋହନ ସାମଲ - BJD BJP Alliance
"ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ" ବୋଲି ଉଲ୍ଲେଖ କରିବା ସହ ମେଣ୍ଟ ହେବନି ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିଜର ମତ ବଦଳାଇଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ସେ କେନ୍ଦ୍ରୀୟ ନେତୃତ୍ବ ମେଣ୍ଟ ନିଷ୍ପତ୍ତି ନେବେ ବୋଲି କହିଥିଲେ । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ମେଣ୍ଟ ନିଷ୍ପତ୍ତି ନେବା କଥା କହିଥିଲେ । ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ବିଜେଡି ସହ ମେଣ୍ଟ ହେବନି ବୋଲି ମନା କରିବା ପରେ ପ୍ରାକ୍ ନିର୍ବାଚନୀ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛି ।
ଇଟିଭି ଭାରତ, ଭୁବନେଶ୍ବର