ଭୁବନେଶ୍ବର: ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ମଧ୍ୟରେ ସଶକ୍ତ ହେଉଛି କଂଗ୍ରେସ । ଉଭୟ ଦଳରୁ ବିମୁଖ ହୋଇ କଂଗ୍ରେସ ମୁହାଁ ହେଉଛନ୍ତି କର୍ମୀ । ଓଡ଼ିଶାର ଖଣି, ପାଣିକୁ ଲୁଟ୍ କରିବା ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଅସାଧୁ ମେଣ୍ଟ ବୋଲି କହିଛି କଂଗ୍ରେସ । ତେବେ କଂଗ୍ରେସର ମିଶ୍ରଣ ପର୍ବରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଅନେକ ଯୁବନେତା ଦଳରେ ସାମିଲ ହୋଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।
ସାରା ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ଜୋର ଧରିଥିବାବେଳେ କଂଗ୍ରେସ ମିଶ୍ରଣ ପର୍ବ ମାଧ୍ୟମରେ ସଶକ୍ତ ହେଉଛି । ଏହିକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ଇଂ. ଦିଲ୍ଲୀପ କୁମାର ଦୁରିଆ, ରେଙ୍ଗାଲି ପରିଷଦର ସଭାପତି ପୁରିଆ, ସମୀର ପ୍ରଧାନ, ସମ୍ବଲପୁର ଜିଲ୍ଲା ବିଜେଡି ସମ୍ପାଦକ ବିଶାଲ କୁମାର ପ୍ରଧାନଙ୍କ ସମେତ ଶତାଧକ ସମର୍ଥକ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ ବିଜେଡି ଓ ବିଜେପି ମଧ୍ୟରେ ହେଉଥିବା ଅସାଧୁ ମେଣ୍ଟ ସଂପର୍କରେ ମତ ଦେଇ କହିଥିଲେ, "ଏହି ମେଣ୍ଟ ରାଜ୍ୟର ସ୍ବାର୍ଥ ବିରୋଧି, ବିଜେଡି ଓ ବିଜେପି ନିଜର ରାଜନୈତିକ ଲାଭ ଉଦ୍ଦେଶ୍ୟରେ ଏ ମେଣ୍ଟ ତିଆରି କରିବା ପାଇଁ ଯୋଜନା କରୁଛନ୍ତି । ରାଜ୍ୟର ଜନସାଧାରଣଙ୍କୁ ଧୋକା ଦେଇ ଉଭୟ ଦଳ ମେଣ୍ଟ ମାଧ୍ୟମରେ ଯେଉଁ ଲାଭ ପାଇବା ପାଇଁ ଉଦ୍ୟମ କରୁଛନ୍ତି ତାହା ଓଡ଼ିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ । ଏ ମେଣ୍ଟ ଓଡ଼ିଶାର ଖଣି, ପାଣି, ଜଙ୍ଗଲ, ଜମିକୁ ଲୁଟ କରିବା ଓ ଓଡ଼ିଶାକୁ ଅଣଓଡ଼ିଆଙ୍କ ହାତରେ ଟେକି ଦେବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ।"
ଏହା ମଧ୍ୟ ପଢନ୍ତୁ: କଂଗ୍ରେସର ମହାମିଶ୍ରଣ ପର୍ବ, ହାତ ଧରିଲେ ଜୟରାମ ପାଙ୍ଗି ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ
ତେବେ କଂଗ୍ରେସର ମିଶ୍ରଣ ପର୍ବରେ ଏଆଇସିସି ସମ୍ପାଦକ ଶରତ ରାଉତ, ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡଃ ବିଶ୍ଵରଞ୍ଜନ ମହାନ୍ତି, ରେଙ୍ଗାଲିର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗଡ଼ତିଆ, ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ସୁବାଷ ଚନ୍ଦ୍ର ବିଶ୍ବାଳ, ସମ୍ପାଦକ ସରୋଜ ପୁଜାରୀ, ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପାର୍ଥୀ ବାଳକୃଷ୍ଣ ରୋହିଦାସ, ରେଙ୍ଗାଲି ବ୍ଲକ ସଭାପତି ଚତୁର୍ଭୁଜ ଝଙ୍କାର, ଚୁମୁକି ମହାନନ୍ଦ, ବିଳାସୀନି କୁମ୍ଭାରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର