ଭୁବନେଶ୍ବର: ବିଜେପିକୁ କଟାକ୍ଷ କଲା ବିଜେଡି । ୧୪୭ ବିଧାନସଭାରେ ବିଜେପି ଲଢ଼ିବାକୁ ଯାଉଛି, ହେଲେ ୪୭ ପ୍ରାର୍ଥୀ ଏଯାବତ ପାଇପାରୁନାହିଁ କହି ତାତ୍ସଲ୍ୟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଜଣେ ବି ବିଧାୟକଙ୍କ ନାଁ ଏଯାଏଁ ଘୋଷଣା ହୋଇପାରିନି କହି ସେ କଡ଼ା ସମାଲୋଚନା କରିଛନ୍ତି । "ବିଜେପି ୨୧ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ । ହେଲେ ଗୋଟିଏ ବି ବିଧାୟକ ପ୍ରାର୍ଥୀ ନାଁ ଘୋଷଣା କରି ପାରିନାହାନ୍ତି । ଏହି ସମୟରେ ଅନେକ ନେତା ମିଶୁଥିବାବେଳେ ଜନବିରୋଧୀ କାର୍ଯ୍ୟ, ଅପରାଧୀମାନଙ୍କୁ ପ୍ରାର୍ଥୀ କରୁଛି ବିଜେପି । ଆଉ ପ୍ରାର୍ଥୀ ତାଲିକା ଘୋଷଣାର ଏହି ବିଳମ୍ବ ପ୍ରକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ ଯେ ରାଜ୍ୟରେ ବିଜେପିର ସ୍ଥିତି, ଭାବନା, ଅସହାୟତାକୁ ଓଡିଶାବାସୀ ଜାଣି ସାରିଛନ୍ତି ।"
ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ବର୍ତ୍ତମାନ ଦଳ ଡିଆଁ ପର୍ବ ଜୋରସୋରରେ ଚାଲିଛି । ଏହି ସମୟରେ ବିଜେଡି ବିଧାନସଭାର ୭୨ ଓ ଲୋକସଭାର ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି । ହେଲେ ଏଯାବତ ବିଜେପି ତା'ର ପ୍ରାର୍ଥୀଙ୍କର ନାଁ ଘୋଷଣା କରିନଥିବା ବେଳେ ବିଜେପିକୁ ସମାଲୋଚନା କରିଛନ୍ତି ସାଂସଦ ସସ୍ମିତ ପାତ୍ର । ସେ ବିଜେପିକୁ ତାତ୍ସଲ୍ୟ କରି କହିଛନ୍ତି, "୧୪୭ ବିଧାନସଭା ଆସନରେ ଲଢ଼ିବେ, ହେଲେ ସେମାନେ ୪୭ ପ୍ରାର୍ଥୀ ଏଯାବତ ପାଇପାରୁନାହାନ୍ତି।"
ପ୍ରଥମ ପର୍ଯ୍ୟାୟରେ ବିଜେଡି ପକ୍ଷରୁ 72ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଯାଇଛି । ପ୍ରାର୍ଥୀମାନଙ୍କ ନାଁ ଘୋଷଣା କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର ପାରମ୍ପରିକ ହିଞ୍ଜିଳିକାଟୁ ବିଧାନସଭା ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବଙ୍କ ବିପକ୍ଷରେ ବିଜେପିରୁ ଲଢିବାକୁ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ଭର୍ତ୍ତୃହରି ମହତାବ ବିଜେପିରେ ଯୋଗ ଦେଇଥିବାବେଳେ ସେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ନବାଗତ ନେତା ସଂତୃପ୍ତ ମିଶ୍ର । ତେବେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର