ରାଉରକେଲା: ରାଉରକେଲାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ନିର୍ବାଚନକୁ ନେଇ ରାଜ୍ୟରେ ପ୍ରାର୍ଥୀ ନାମାଙ୍କନ ଭରୁଛନ୍ତି । ପ୍ରମୁଖ ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି । ଏହି କ୍ରମରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରାଉରକେଲା ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ ଏବଂ ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ଗୋପାଳ ଦାସ । ବିଶାଳ ଶୋଭାଯାତ୍ରା କରି ନିଜ ସମର୍ଥକଙ୍କ ସହିତ ଆସି ଦୁଇ ପ୍ରାର୍ଥୀ ନାମାଙ୍କନ ଭରି ଥିବା ଦେଖିବାକୁ ମିଳିଛି ।
ରାଉରକେଲା ସହରର ବିଶ୍ରା ଛକ ଏବଂ ଉଦିତନଗର ସିଂହସିନୀ ମନ୍ଦିରରୁ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା । ଯେଉଁଥିରେ କଂଗ୍ରେସ ଦଳର ବହୁ ସଂଖ୍ୟକ ସମର୍ଥକ ଯୋଗ ଦେଇଥିଲେ । ଏହି ରାଲିରେ 5 ହଜାର ଲୋକ ଯୋଡ଼ି ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରାର୍ଥୀ ପତ୍ର ଦାଖଲ କରି ଗୋପାଳ ଦାସ କହିଛନ୍ତି, "ବର୍ତ୍ତମାନ ଅସଲି ଲଢେଇ ଆରମ୍ଭ ହେବ ଏବଂ ରାଜ୍ୟ ସରକାରଙ୍କ ବିପକ୍ଷରେ ଏବଂ ରାଜ୍ୟ ସରକାର ଦ୍ବାରା ଦିଆଯାଇଥିବା ପ୍ରତିଶ୍ରୁତି କେବଳ ପାଣିର ଗାର ଭଳି ମନେହେଉଛି । ଏଥର ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ଵାରା ହୋଇଥିବ ବିଫଳତାକୁ ନେଇ ରଣନୀତି ପ୍ରସ୍ତୁତ କରି ଲୋକଙ୍କ ପାଖକୁ ଯାଉଛୁ ଏବଂ ଆଗକୁ ମଧ୍ୟ ଯିବୁ । କଂଗ୍ରେସର ବିଜୟରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ମୁଖ୍ୟ ରୋଲ ନେବ ।" ଏଥର ରଘୁନାଥପାଲ୍ଲୀରେ କଂଗ୍ରେସ ବିଜେପି ଏବଂ ବିଜେଡିକୁ ପଛରେ ପକାଇବ ବୋଲି ଗୋପାଳ କହିଛନ୍ତି ।
ରାଉରକେଲା ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ କହିଛନ୍ତି, "ବ୍ୟାପକ ସଂଖ୍ୟାରେ ଆଜି କଂଗ୍ରେସ ଦଳ ନିଜର ଶକ୍ତି ପ୍ରଦର୍ଶନ କରିଛି । କଂଗ୍ରେସ ନିର୍ବାଚନ ମୈଦାନରେ ଲଢେଇ ପୂର୍ବରୁ ଆରମ୍ଭ କରିଦେଇଛି । ରାଉରକେଲାରେ କଂଗ୍ରେସ ଜିତିବା ପାଇଁ ତାର ସମସ୍ତ ପ୍ରସ୍ତୁତି କରି ସାରିଛି । କଂଗ୍ରେସ ଆସିଲେ ସମସ୍ତ ଗ୍ୟାରେଣ୍ଟି ପୂରଣ କରିବ ଏବଂ ଲୋକେ ମଧ୍ୟ କଂଗ୍ରେସ ଗ୍ୟାରେଣ୍ଟିରେ ଭରସା କରୁଛନ୍ତି ।" କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ଅପାରଗତା ଏବଂ ଅବହେଳାକୁ ଟାର୍ଗେଟ କରି ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ସବୁଠି ଫେଲ ଥିବା କହି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଉରକେଲା କଂଗ୍ରେସ ବିଧାୟକ ପ୍ରାର୍ଥୀ । ତେବେ ଯେଉଁ ଯେଉଁ ରାଜ୍ୟରେ କଂଗ୍ରେୟ ଜିତିଛି ସେଠାରେ ସେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛି ।
ଇଟିଭି ଭାରତ, ରାଉରକେଲା