ଭୋପାଲ: ମଧ୍ୟ ପ୍ରଦେଶରେ ନିର୍ବାଚନ ପ୍ରଚାର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ମୋଦି ନର୍ମଦାପୁରମ ଜିଲ୍ଲାର ପିପରିଆରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ଏହି ସଭାରେ ପ୍ରଧାନମନ୍ତ୍ରୀ ବିରୋଧୀ କଂଗ୍ରେସ ଉପରେ ଖାସ୍ କରି କଂଗ୍ରେସର ଘୋଷଣା ପତ୍ର ଓ ଇଣ୍ଡିଆ ମେଣ୍ଟକୁ ସିଧାସଳଖ ନିଶାନା କରିଥିଲେ । ସେ ଏହି ସଭାରେ ଆଦିବାସୀ ଓ ଦଳିତମାନଙ୍କୁ ଫୋକସ୍ କରିଥିଲେ । ରାହୁଲ ଗାନ୍ଧୀଙ୍କୁ 'ରୟାଲ ଯାଦୁଗର' କହିବା ସହ କଂଗ୍ରେସ ଆମ୍ବେଦକରଙ୍କୁ ସମ୍ମାନ ଦିଏ ନାହିଁ ବୋଲି କହିଥିଲେ । ଏହାସହିତ ସେ ଯଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ବିରୋଧୀଙ୍କ ଦେହରେ ନିଆଁ ଲାଗିଯିବ ବୋଲି ମଧ୍ୟ କହିଛନ୍ତି ।
ସେ କହିଥିଲେ ଯେ, " କଂଗ୍ରେସ କେବେ ବି ବାବା ସାହେବଙ୍କୁ ସମ୍ମାନ ଦେଇନାହିଁ । କଂଗ୍ରେସ ବାବା ସାହେବଙ୍କୁ ଅପମାନିତ କରିବା ଭଳି କାମ କରିଛି । ବାବା ସାହେବ ଯେଉଁ ସମ୍ବିଧାନ ନିର୍ମାଣ କରିଥିଲେ ସେଥିପାଇଁ ଆଜି ଜଣେ ଆଦିବାସୀ ଝିଅ ଦେଶର ରାଷ୍ଟ୍ରପତି ହୋଇ ପାରିଛନ୍ତି । ବାବା ସାହେବ ଆଧୁନିକ ଭାରତକୁ ନୂଆ ପରିଚୟ ଦେଇଛନ୍ତି । ପିଏମ୍ ମୋଦି କହିଥିଲେ ଯେ, ଆଜି ଦେଶର ଡିଜିଟାଲ ପେମେଣ୍ଟ ୟୁପିଆଇ ବ୍ୟବସ୍ଥାର ନାଁକୁ ଆମେ ଭୀମ ଆପ୍ ରଖିଛୁ । ଦେଶର ସ୍ବାଧୀନତା ସଂଗ୍ରାମରେ ଆଦିବାସୀମାନେ ବିଶେଷ ଯୋଗଦାନ କରିଛନ୍ତି କହିବା ସହ ସେ ସଂଗ୍ରାମୀ ଭଭୂତ ସିଂଙ୍କୁ ନମନ କରିଥିଲେ ପ୍ରଧାନମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ....ବିଜେପି ସଂକଳ୍ପପତ୍ର: ମହିଳା-ଯୁବକ-ଗରିବଙ୍କ ପାଇଁ ମୋଦିଙ୍କ ପ୍ରତିଶୃତି ବର୍ଷା, ଏସବୁ ବର୍ଗକୁ ଫୋକସ୍ - BJP Manifesto
ପିଏମ ମୋଦି କହିଥିଲେ ଯେ, କଂଗ୍ରେସ କେବେ ବି ଆଦିବାସୀ ସମାଜକୁ ସ୍ବୀକାର କରିନାହିଁ । ଆମେ ଆଦିବାସୀ ଜନନାୟକ ବିର୍ସା ମୁଣ୍ଡାଙ୍କର ସମ୍ମାନ କରିଛୁ । ଦେଶର ସ୍ବାଧୀନତା ପରେ କଂଗ୍ରେସର କେବଳ ଗୋଟିଏ ପରିବାର ରିମୋଟ ଦ୍ବାରା ସରକାର ଚଳାଉଥିଲେ । ସେମାନେ ଏମର୍ଜେନସି ଲଗାଇ ଦେଶରେ ଲୋକତନ୍ତ୍ରକୁ ଧ୍ବଂସ କରିବାର ପ୍ରୟାସ କରିଥିଲେ । କିନ୍ତୁ ଗରିବ ଘରର ପୁଅଟିଏ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲା ସେତେବେଳେ ଦେଶର ସମ୍ବିଧାନ ବିପଦରେ ଅଛି ବୋଲି ଅପପ୍ରଚାର କରାଗଲା । କିନ୍ତୁ ବାବା ସାହେବଙ୍କ ସମ୍ବିଧାନ କାରଣରୁ ମୋଦି ଆଜି ଏଇଠି ଅଛି । ତୃତୀୟ ଥର ମୋଦି ପ୍ରଧାନମନ୍ତ୍ରୀ ହେଲେ ବିରୋଧୀଙ୍କୁ ନିଆଁ ଲାଗିଯିବ ।
ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସର ସଂକଳ୍ପ ପତ୍ରକୁ ଟାର୍ଗେଟ କରି କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟରେ ସେମାନଙ୍କ କାର୍ଯ୍ୟପନ୍ଥା ସ୍ଥିର ହୋଇପାରିନାହିଁ । ଏପରି ସ୍ଥିତିରେ ସମସ୍ତ ସହଯୋଗୀ ଦଳ ଜଣକୁ ବଳି ଜଣେ ଘୋଷଣାପତ୍ର ବାହାର କରୁଛନ୍ତି । ପରମାଣୁ ଅସ୍ତ୍ରକୁ ନଷ୍ଟ କରିବା, ଗରିବୀ ହଟାଇବା ଭଳି ଅଦ୍ଭୁତ ଓ ହାସ୍ୟାସ୍ପଦ କଥା ଏଥିରେ ରହିଛି । ଏ ଶାହୀ ଯାଦୁଗର ଏତେ ବର୍ଷ ଧରି କେଉଁଠି ଥିଲେ ବୋଲି ଲୋକ ପ୍ରଶ୍ନ କରୁଛନ୍ତି ବୋଲି ମୋଦି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଗାମୀ ଦିନରେ ଆମେ ୩ କୋଟି ଘର ବନାଇବା ସହ ୫ ବର୍ଷ ମଧ୍ୟରେ ପିଏମ କିଶାନ ନିଧି ଜାରି ରହିବ । ଗରିବ ମାନଙ୍କୁ ୫ ବର୍ଷ ଯାଏଁ ମାଗଣାରେ ଚାଉଳ ମିଳିବ । ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ଯୋଗାଇଦିଆଯିବ ବୋଲି ମୋଦି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ