ଭୁବନେଶ୍ବର: ଦଳ ବଦଳ ରାଜନୀତିରେ କାହାକୁ ମିଳିବ ଫାଇଦା । କଂଗ୍ରେସ, ବିଜେପି ନା ବିଜେଡି । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ନେତାମାନେ ଦଳବଦଳ ରାଜନୀତିରେ ସକ୍ରିୟ ଅଛନ୍ତି । ହେବିୱେଟ ନେତାମାନେ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେବା ପରେ ଟିକେଟ ମଧ୍ୟ ପାଉଛନ୍ତି । ତେବେ ଏ ନେଇ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ କହିବା କଥା ଏହି ଦଳବଦଳ ରାଜନୀତି ବିଜେଡିକୁ ଫାଇଦା ଦେବ । ସେପଟେ ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି ଯେ ଦଳବଦଳ ରାଜନୀତି ନେତାଙ୍କ ଲାଗି ଆତ୍ମଘାତୀ ନହେଉ ।
ସମ୍ପ୍ରତି ରାଜ୍ୟ ରାଜନୀତିକୁ ଦେଖିଲେ, ନିକଟରେ ବିଜେଡିର କିଛି ବରିଷ୍ଠ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ଟିକେଟ ମଧ୍ୟ ପାଇଲେ । ସେହିପରି ବିଜେପିର କିଛି ତୁଙ୍ଗ ନେତା ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ସେମାନେ ଟିକେଟ ମଧ୍ୟ ପାଇଲେ । କଂଗ୍ରେସର କିଛି ବରିଷ୍ଠ ନେତା କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଟିକେଟ ଆଶାରେ । କିଛି ଟିକେଟ ମଧ୍ୟ ପାଇସାରିଛନ୍ତି । ପ୍ରଶ୍ନ ଉଠୁଛି ଯେଉଁ ନେତାମାନେ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଇଛନ୍ତି ଏଥିରେ କାହାକୁ ଲାଭ ମିଳିବ ବା କେଉଁ କେଉଁ ଦଳ ରାଜନେତାଙ୍କ ଦଳବଦଳ ରାଜନୀତିରେ ଲାଭବାନ ହେବେ ।
ପ୍ରଥମେ ନଜର ପକାନ୍ତୁ ଏପରି କିଛି ନେତାଙ୍କ ଉପରେ ଯେଉଁମାନେ ଦଳ ଛାଡି ଅନ୍ୟ ଦଳରେ ସାମିଲ ହୋଇଛନ୍ତି ଏବଂ ସଙ୍ଗେ ସଙ୍ଗେ କିଛି ଟିକେଟ ମଧ୍ୟ ପାଇଛନ୍ତି ।
- ଭର୍ତ୍ତୃହରି ମହତାବ:- 6ଥରର ସାଂସଦ । ନିକଟରେ ବିଜେଡି ଛାଡି ବିଜେପି ଶିବିରରେ ସାମିଲ ହେଲେ ଏବଂ କଟକ ଲୋକସଭା ଆସନ ପାଇଁ ଟିକେଟ ମଧ୍ୟ ପାଇଲେ ।
- ଆକାଶ ଦାସ ନାୟକ:- ବିଜେଡି ଛାଡି ବିଜେପିରେ ସାମିଲ ହେଲେ । କୋରେଇ ଆସନ ପାଇଁ ଟିକେଟ ମଧ୍ୟ ପାଇଲେ ।
- ଅଂଶୁମାନ ମହାନ୍ତି:- କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ । କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହିତ ତାଙ୍କର ସିଧା ଲଢେଇ ହେବ ।
- ସେହିପରି ଗଣେଶ୍ବର ବେହେରା ମଧ୍ୟ ଟିକେଟ ଆଶାରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।
- ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଟିକେଟ ଆଶାରେ ।
ଏସବୁ ନେତାଙ୍କ ଦଳ ବଦଳରେ କେଉଁ ଦଳ କେତେ ଫାଇଦାରେ ରହିବ । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ଦଳବଦଳ ରାଜନୀତିରେ ସବୁଠୁ ଅଧିକ ଫାଇଦା ପାଇବ ବିଜେଡି । ଆଗରେ ଅଛି ବିଜେଡି । ବିଜେଡି ବର୍ତ୍ତମାନ ଅନ୍ୟଦଳରୁ ନେତାଙ୍କୁ ଆଣି ଟିକେଟ ଦେଉଛି । ଦଳର ଶକ୍ତି ହ୍ରାସ ପାଇଛି ବୋଲି ଏଥିରୁ ଅନୁମାନ କରାଯାଇପାରେ । ବିଜେପି ମଧ୍ୟ ନିଜକୁ ସମୃଦ୍ଧ କରିବାକୁ ଚାହୁଁଛି । ସେଥିପାଇଁ ବିଜେପିରେ ମଧ୍ୟ ଅନେକ ନେତା ସାମିଲ ହୋଇ ଟିକେଟ ପାଇଛନ୍ତି । ଲୋକଙ୍କ ପାଖରେ ନିଜକୁ ଦୁର୍ବଳ ସାବ୍ୟସ୍ତ କରୁଛି । କିନ୍ତୁ କଂଗ୍ରେସରେ କିଛି ପୂର୍ବତନ ପ୍ରଶାସକ ଯୋଗ ଦେଇଛନ୍ତି । ଚାକିରି ଛାଡି ଦଳରେ ଯୋଗ ଦେଇଛନ୍ତି । ଏତେଟା ଦଳ ବଦଳ ହୋଇନାହିଁ । କିନ୍ତୁ ଲୋକେ ନିଷ୍ପତ୍ତି ନେବେ କିଏ ଲାଭବାନ ହେବ । ଦଳବଦଳକାରୀଙ୍କୁ ଉଚିତ ଶିକ୍ଷା ଦେବେ ଲୋକେ । ସେମାନଙ୍କୁ ହୁଏତ ପ୍ରତ୍ୟାଖାନ ମଧ୍ୟ କରିପାରନ୍ତି । ଅଗ୍ରାଧିକାର ନଦେଇ ପାରନ୍ତି । ଯେଉଁମାନଙ୍କର ଲୋକ ସମ୍ପର୍କ ଅଛି, ଅଧିକ ସମୟ ଦେଇପାରିବେ ଏବଂ ନିଷ୍ଠାର ସହ କାମ କରିପାରିବେ ସେହିପରି ପ୍ରାର୍ଥୀଙ୍କୁ ଯଦି କଂଗ୍ରେସ ଟିକେଟ ଦିଏ ତେବେ କଂଗ୍ରେସ ମଧ୍ୟ ଲାଭବାନ ହୋଇପାରିବ ।"
ଏହା ବି ପଢନ୍ତୁ- ଶକ୍ତିହୀନ ହେଉଛି କି ବିଜେଡି ? ପଦ୍ମକ୍ୟାମ୍ପରେ ରମେଶ ସାଏ-ଆରତୀ ଦେବୀଙ୍କ ସହ କଂଗ୍ରେସ ନେତା
ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ସେହିଦଳକୁ ଫାଇଦା ମିଳେ ଯେଉଁ ଦଳର ଜନାଧାର ଥାଏ । ଅନ୍ୟ ଦଳରୁ ନେତା ଆଣିଲେ ଦଳ ଭିତରେ ଥିବା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବ । ବିଜେଡି ଓ ବିଜେପି କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । କଂଗ୍ରେସ ପାଖରେ ସମ୍ଭଳର ଅଭାବ ଥିବାରୁ ନେତାମାନେ ଦଳ ଛାଡି ବିଜେଡି ବିଜେପିରେ ଯୋଗ ଦେଉଛନ୍ତି । ବେଳେ ବେଳେ ଦଳବଦଳ ରାଜନୀତି ଆତ୍ମଘାତି ହୋଇପାରେ । ବିଜେଡିରେ ଦମଦାର ଲୋକ ଥିବା ସତ୍ତ୍ବେ ଅନ୍ୟଦଳରୁ ଲୋକ ଆଣି ପ୍ରାର୍ଥୀ କରିବା ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ । ବିଜେପି କ୍ଷେତ୍ରରେ ମଧ୍ୟ ସମାନ କଥା ଦେଖିବାକୁ ମିଳେ । କୋରେଇରେ ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିବା ଫଳରେ କୋରେଇ ବିଜେପିରେ ଅସନ୍ତୋଷ ଦେଖାଦେଇଛି । ଦଳରେ ରାଜନୈତିକ ସଂଗଠନ ସଜାଜିବା ଲୋକଙ୍କ ଅଭାବ ରହିଛି । କଂଗ୍ରେସ ପାଖରେ ପ୍ରସଙ୍ଗ ଅଛି । କିନ୍ତୁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ପହଂଚାଇବା ପାଇଁ ନେତା ନାହାନ୍ତି ।"
ଯେଉଁ ଦଳ ପାଖରେ ବିଜୟର ଆଶା ଦେଖୁଛନ୍ତି ପ୍ରାର୍ଥୀ ସେଠି କରୁଛନ୍ତି ଦଳବଦଳ । ବିଜେଡି ଛାଡି ବିଜେପିରେ ମିଶୁଛନ୍ତି । ବିଜେପି ଛାଡି ବିଜେଡିରେ ମିଶୁଛନ୍ତି ଏବଂ କଂଗ୍ରେସ ଛାଡି ବିଜେଡିରେ ମିଶୁଛନ୍ତି । ଏପରି ଦଳବଦଳ ନିର୍ବାଚନର ବହୁ ପୂର୍ବରୁ ହେଲେ ଦଳ ଓ ନେତା ଉଭୟଙ୍କ ପାଇଁ ଫାଇଦା । କିନ୍ତୁ ନିର୍ବାଚନକୁ ଦିନ କେଇଟା ଥିବା ବେଳେ ଏପରି ଦଳବଦଳ କରିବା ଆତ୍ମଘାତୀ ହେବାର ସମ୍ଭାବନାକୁ ବଢାଇ ଦେଉଛି ବୋଲି ରାଜନୀତି ସମୀକ୍ଷକ ମତ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର