କଟକ: ଫୁଲବାଣୀ ପୌରପାଳିକା ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି । ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ପାଇଁ କନ୍ଧମାଳ ଜିଲ୍ଲାପାଳ ଜାରି କରିଥିବା ନୋଟିସକୁ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । ୧୫ ଏପ୍ରିଲ ୨୦୨୪ରେ କନ୍ଧମାଳ ଜିଲ୍ଲାପାଳ ନୋଟିସ ଜାରି କରିଥିଲେ । ତେବେ ପୌରପାଳିକା ଅଧ୍ୟକ୍ଷା ଏହି ନୋଟିସକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଫୁଲବାଣୀ ପୌରପାଳିକାର ୧୩ ଜଣଙ୍କ ମଧ୍ୟରୁ ୧୧ଜଣ କାଉନସିଲର, ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ପାଇଁ ଗତ ଏପ୍ରିଲ ୨୩ ତାରିଖ ସକାଳ ୧୦ଟାରେ ପୌର ପରିଷଦ ବୈଠକ ବସିବ ବୋଲି ଅବଗତ କରିଥିଲେ ଜିଲ୍ଲାପାଳ । ଏନେଇ ୧୫ ଏପ୍ରିଲ ୨୦୨୪ ରେ ସମସ୍ତ କାଉନସିଲରଙ୍କୁ ନୋଟିସ୍ ଜାରି କରିଥିଲେ । ଅନାସ୍ଥା ପ୍ରସ୍ତାବ ଓ ଭୋଟ ଗ୍ରହଣ ପାଇଁ ସମସ୍ତ କାଉନସିଲର ମାନଙ୍କୁ ନୋଟିସ ପ୍ରଦାନ କରାଯାଇଥିବା ବେଳେ ପୌରପାଳିକା ଅଧକ୍ଷାଙ୍କୁ ନୋଟିସ ପ୍ରଦାନ କରାଯାଇନଥିଲା ।
ଏହା ମଧ୍ୟ ପଢନ୍ତୁ... ଫୁଲବାଣୀ ପୌର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ କାଉନସିଲର - Phulbani Municipality
ଏହା ପୌରପାଳିକା ନିୟମକୁ ଉଲ୍ଲଂଘନ ବୋଲି ଦର୍ଶାଇ ସ୍ମିତାରାଣୀ ଏହି ନୋଟିସକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ, ଯାହା ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି ତାଙ୍କୁ ଏ ସଂପର୍କିତ ନୋଟିସ୍ ପାଇବାରୁ ବଞ୍ଚିତ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ । ଅନାସ୍ଥା ସଂପର୍କିତ ନୋଟିସ୍ ପାଇବାର ଅଧିକାର ପୌର ଅଧ୍ୟକ୍ଷାଙ୍କ ରହିଛି । ପୌର ଅଧ୍ୟକ୍ଷାଙ୍କୁ ନୋଟିସ୍ ନ ଦେଇ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ପାଇଁ ବୈଠକ ଡାକିବା ଲାଗି ଜିଲ୍ଲାପାଳ ଜାରି କରିଥିବା ଏପ୍ରିଲ ୧୫ର ନୋଟିସ୍ ରଦ୍ଦ କରାଯାଉ ବୋଲି ସ୍ମିତାରାଣୀଙ୍କ ଆବେଦନରେ ଉଲ୍ଲେଖ କରିଥିଲେ । ହାଇକୋର୍ଟ ଗତ ଏପ୍ରିଲ ୨୨ରେ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଜବାବ ତଲବ କରିବା ସହିତ ଅନାସ୍ଥା ପ୍ରସ୍ତାବ ସଂପର୍କିତ ବୈଠକ ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ ।
ମାମଲାର ଶୁଣାଣି କରି ହାଇକୋର୍ଟ ସ୍ମିତାରାଣୀଙ୍କ ଆବେଦନକୁ ଗ୍ରହଣ କରି ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ଏପ୍ରିଲ ୧୫ର ନୋଟିସକୁ ରଦ୍ଦ କରିଛନ୍ତି । କେବଳ ସେତିକି ନୁହେଁ ଅଧ୍ୟକ୍ଷାଙ୍କୁ ନୋଟିସ୍ ଦେବା ସହିତ ଆଇନ ଅନୁସାରେ ଏପରି ପ୍ରସ୍ତାବ ପାଇଁ ପୌର ପରିଷଦର ସାନି ବୈଠକ ପାଇଁ ତାରିଖ କର୍ତ୍ତୃପକ୍ଷ ଧାର୍ଯ୍ୟ କରି ପାରିବେ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।
ଇଟିଭି ଭାରତ, କଟକ