ଭୁବନେଶ୍ୱର: ଦାଦନ ସମସ୍ୟା ଓ ମିଶନ ଶକ୍ତି ମହିଳାଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ସରଗରମ ଗୃହ । କାମ ଓ ରୋଜଗାର ପାଇଁ ପଡୋଶୀ ରାଜ୍ୟକୁ ଯାଉଛନ୍ତି ରାଜ୍ୟରୁ ହଜାର ହଜାର ଲୋକ । ଦାଦନଙ୍କ ଦୁଃଖ ଓ ସମସ୍ୟା ପ୍ରସଙ୍ଗ ଉଠାଇ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିବୃତ୍ତି ରଖିଛନ୍ତି ।
ଶ୍ରମମନ୍ତ୍ରୀଙ୍କ ବିବୃତ୍ତି: ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିବୃତ୍ତିରେ କହିଛନ୍ତି," ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି ବିଜେପି ସରକାର । ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ବଢ଼ାଯାଇଛି । ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇଛି । ୮ ଟି ବିଭାଗର ମନ୍ତ୍ରୀ ଏଥିରେ ସଦସ୍ୟ ଅଛନ୍ତି । ଓଡ଼ିଶାରୁ ମୁଖ୍ୟତଃ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, କୋରାପୁଟ ଏବଂ ଗଞ୍ଜାମ, ଗଜପତି ଓ ଖୋର୍ଦ୍ଧା ଜିଲ୍ଲାଗୁଡ଼ିକରୁ ନିକଟସ୍ଥ ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, କେରଳ, ନୂଆଦିଲ୍ଲୀ ଓ ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟଗୁଡ଼ିକୁ ଶ୍ରମିକମାନେ ଯାଇଥାନ୍ତି । ସେହିପରି ଅନ୍ୟ ରାଜ୍ୟ ଯଥା ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଏବଂ ଛତିଶଗଡ଼ ଆଦିରୁ ଶ୍ରମିକମାନେ ମଧ୍ଯ ଆମ ରାଜ୍ୟକୁ କାର୍ଯ୍ୟ କରିବାକୁ ଆସିଥାନ୍ତି ।"
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି," ୨୦୨୨ ମସିହାରେ ବାହାର ରାଜ୍ୟରେ ୯୪ହଜାର ୪୮୨ଜଣ ପ୍ରବାସୀ ଶ୍ରମିକଙ୍କୁ ନିୟୋଜନ ପାଇଁ ଏବଂ ୨୦୨୩ ମସିହାରେ ୮୧ହଜାର ୨୩୨ ଜଣ ପ୍ରବାସୀ ଶ୍ରମିକଙ୍କୁ ବାହାର ରାଜ୍ୟରେ ନିୟୋଜନ ପାଇଁ ଲାଇସେନ୍ସ ଦିଆଯାଇଥିଲା । ୨୦୨୪ ମସିହାରେ ଏବେ ସୁଦ୍ଧା ୬୦ହଜାର ୬୮୩ ଜଣ ପ୍ରବାସୀ ଶ୍ରମିକଙ୍କୁ ବାହାର ରାଜ୍ୟରେ ନିୟୋଜନ ପାଇଁ ଲାଇସେନ୍ସ ଦିଆଯାଇଛି । ଓଡ଼ିଶାର ୧୪ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧାକୁ ଚିହ୍ନଟ କରାଯାଇଛି ।"
'ଆସିଛି ୧୧୨ ପ୍ରବାସୀ ଶ୍ରମିକଙ୍କ ମରଶରୀର'
"୨୦୨୪ ଜାନୁଆରୀ ମାସ ଠାରୁ ଏବେ ଯାଏଁ ବା ନଭେମ୍ବର ୨୦୨୪ ମଧ୍ୟରେ ବାହାର ରାଜ୍ୟରୁ ୧୧୨ ଜଣ ପ୍ରବାସୀ ଶ୍ରମିକଙ୍କ ମରଶରୀର ସରକାରଙ୍କ ତତ୍ବାବଧାନରେ ଅଣାଯାଇଛି । ଏ ସଂକ୍ରାନ୍ତରେ ତ୍ବରିତ ପଦକ୍ଷେପ ନିମନ୍ତେ ୧୪ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ଗୁଡିକୁ ୧୫ଲକ୍ଷ ଟଙ୍କାର ସହାୟତା ରାଶି ସେପ୍ଟେମ୍ବର ୨୦୨୪ ରେ ଯୋଗାଇ ଦିଆଯାଇଛି । ଓଡ଼ିଶାରେ ମନରେଗା ଯୋଜନାରେ କାର୍ଯ୍ୟ ଦିବସକୁ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୨୦ଟି ବ୍ଲକର ୪୭୭ଟି ପଞ୍ଚାୟତରେ ୩୦୦ ଦିନକୁ ବୃଦ୍ଧି କରାଯାଇଛି । ଏହା ଅନ୍ତର୍ଗତ ଦିଆଯାଉଥିବା ମଜୁରୀକୁ ଓଡ଼ିଶାରେ ଦିଆଯାଉଥିବା ସର୍ବନିମ୍ନ ମଜୁରୀ ସହ ସମାନ କରାଯାଉଛି । ଯାହାକି ମନରେଗା ମଜୁରୀଠାରୁ ପ୍ରାୟ ୧୦୦ ଟଙ୍କା ଅଧିକ ଓ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହାକୁ ବହନ କରୁଛନ୍ତି ।"
ଅଧିକ ପଢନ୍ତୁ:70 ଲକ୍ଷ ମିଶନଶକ୍ତି ମହିଳାଙ୍କ ଦରମା ବନ୍ଦ ଷଡଯନ୍ତ୍ର କରିଛି ବିଜେପି ସରକାର: ନବୀନ
'ଟାସ୍କ ଫୋର୍ସ କରୁଛି କଣ'
ଅନ୍ୟପଟେ ମୁଲତବୀ ଆଲୋଚନାରେ ଭାଗ ନେଇ ବିଜେଡ଼ି ବିଧାୟକ କଳିକେଶ ସିଂହଦେଓ କହିଛନ୍ତି, " ରାଜ୍ୟରେ ୬୦ ହଜାର ପଞ୍ଜୀକୃତ ଶ୍ରମିକ ଥିଲେ ବି ଏହାଠୁ ୧୦ ଗୁଣା ଅଧିକ। ଏହା ଏବେକାର ସମସ୍ୟା ନ ହେଲେ ବି ସରକାର ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ପ୍ରାୟ ୨୦ ଲକ୍ଷ ଲୋକ ଦାଦନ ଯାଉଛନ୍ତି । କୋଭିଡ ସମୟରେ ଏହି ତଥ୍ଯ ସାମ୍ନାକୁ ଆସିଲା । କିନ୍ତୁ ମନ୍ତ୍ରୀ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ କଲେନି ଦାଦନ ରୋକିବାକୁ କ'ଣ ପଦକ୍ଷେପ ନେଉଛନ୍ତି । ସରକାର କହୁଛନ୍ତି ଦାଦନ ରୋକିବାକୁ ଟାସ୍କ ଫୋର୍ସ କରାଯାଇଛି । କିନ୍ତୁ ଟାସ୍କ ଫୋର୍ସ ଏବେ ସୁଦ୍ଧା କଣ କରିଛି । ସରକାର ଯାହା ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀ କହୁଛନ୍ତି ତାହା ପୂର୍ବ ସରକାର କରିଥିଲେ । ବିଜେପି ସରକାର ଆସିବା ପରେ ମନରେଗାରୁ ୪୦ ଲକ୍ଷ ଶ୍ରମିକଙ୍କ ନାଁ କଟିଛି ।"
'ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କ ଭବିଷ୍ୟତ ସହ ଖେଳ':
କଳିକେଶ ସିଂହଦେଓ ଆଉ ମଧ୍ୟ କହିଛନ୍ତି, " ସରକାର ବର୍ତ୍ତମାନ ସୁଦ୍ଧା WODC କୁ ଟଙ୍କାଟିଏ ଦେଲେ ନାହିଁ। ଯେଉଁଠି ଅଧିକ ଦାଦନ ସେଠାରେ ୫୦୦ କୋଟି ଟଙ୍କା ବନ୍ଦ । ବିଜେପି ସରକାର କହୁଛନ୍ତି ବଡ ଶିଳ୍ପ ଆଣିବେ । କିନ୍ତୁ ସ୍ପଷ୍ଟ କରିବା ଆବଶ୍ୟକ କେତେ ଓଡ଼ିଆ ଲୋକ ନିଯୁକ୍ତି ପାଇବେ । ପୂର୍ବ ସରକାର Farmer base industry, agro base Industry ଭଳି ଶିଳ୍ପ ପ୍ରତିଷ୍ଠା କରି ନିଯୁକ୍ତି ଉପରେ ପ୍ରାଥମିକତା ଦେଉଥିଲେ । କିନ୍ତୁ ବିଜେପି ସରକାର ରାଜନୀତିକ ଉଦ୍ଦେଶ୍ୟ ରଖି ଲୋକଙ୍କ ଭବିଷ୍ୟତ ସହ ଖେଳ ନ ଖେଳନ୍ତୁ । ଆନ୍ଧ୍ରପ୍ରଦେଶରେ ୧୬ ଜଣ ଦାଦନ ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଛି । ସେମାନେ ତାଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣାଉଛନ୍ତି । ସରକାରଙ୍କ ପାଖରେ ତଥ୍ୟ ଥିଲେ ବି କିଛି ପଦକ୍ଷେପ ନେଉ ନାହାନ୍ତି।"
ବର୍ଷିଲେ କଂଗ୍ରେସ ବିଧାୟକ ଅଶୋକ ଦାଶ ଓ ସୋଫିଆ:
ମୁଲତବୀ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଅଶୋକ ଦାଶ ଓ ସୋଫିଆ ଫିର୍ଦ୍ଦୋସ ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ବିଧାୟକ କହିଛନ୍ତି, " ଦାଦନଙ୍କ ଦୁଃଖ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ । ଯେଉଁଥିପାଇଁ ସ୍ଥାୟୀ ସମସ୍ୟା ଦିଗରେ ଗୁରୁତ୍ବ ଦେଇନାହାନ୍ତି ସରକାର। ଦାଦନ ମୁକ୍ତ ଓଡ଼ିଶା ଗଠନ ପାଇଁ କହିଥିଲେ କିନ୍ତୁ କଣ କଲେ । ନିର୍ବାଚନ ଇସ୍ତାହାରରେ କହିଥିଲେ କି ପ୍ରତିବର୍ଷ ଦୁଇ ଲକ୍ଷ ନିଯୁକ୍ତି ଦେବେ କିନ୍ତୁ ୬ ମାସ ମଧ୍ୟରେ କେତେ ନିଯୁକ୍ତି ଦେଇଛନ୍ତି ? ଆମ ରାଜ୍ୟରେ ଖଣି ପାଣି ଥିବା ସତ୍ତ୍ବେ କାହିଁକି ବାହାର ରାଜ୍ୟକୁ ଖଟିବାକୁ ଯିବେ ଆମ ଲୋକେ? ଡବଲ ଇଞ୍ଜିନ ସରକାର ଡବଲ ଇଞ୍ଜିନ ଦମରେ ଦାଦନ ରୋକିବା ଦିଗରେ କାର୍ଯ୍ୟ କରିବା କଥା । ଖାଲି ଦୋଷ ଦେବାରେ ଦମ୍ ଦେଖାଇଲେ ହେବ ନାହିଁ କାମରେ ବି ଦମ୍ ଦେଖାଅ । ସିଷ୍ଟମକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । କାହିଁକି ନା ଶ୍ରମିକ ଆଜି ଶ୍ରମିକ କାର୍ଡ ଖୋଜୁଛି । କିନ୍ତୁ ଅଯୋଗ୍ୟଙ୍କ ହାତରେ ମାଳ ମାଳ ଶ୍ରମିକ କାର୍ଡ । ମାଗଣା ଚାଉଳ ଦେଇ ଦେଲେ ଗରିବି କି ଦାଦନ ବନ୍ଦ ହେବ ନାହିଁ । ଆପଣ ଯେଉଁ ମାନସିକତା ଏ ଦିଗରେ ରଖିଛନ୍ତି ତାହାକୁ କାର୍ଯ୍ୟ କଲେ ହେବ । ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଛନ୍ତି ଆଉ ଆମ ଓଡ଼ିଆ ଅସ୍ମିତାକୁ ଗୋତି ଶ୍ରମିକ ନ କରନ୍ତୁ ।" ସେପଟେ ହଜାର ହଜାର ମିଶନ ଶକ୍ତି ମହିଳା ସ୍ଥାୟୀ ନିଯୁକ୍ତି ଦାବିରେ ରାଜରାସ୍ତାରେ ବସିବା ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସୋଫିଆ ଫିର୍ଦ୍ଦୋସ।
ଇଟିଭି ଭାରତ, ଭୁବନେଶ୍ୱର