ହାଇଦ୍ରାବାଦ: ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ହାସଲ କରିଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ ଦ୍ବିତୀୟ ତଥା ବିରୋଧୀ ଆସନରେ ଥିବା ବିଜେପି ରାଜ୍ୟରେ କ୍ଷମତା ହାତେଇବା ସହ ସଂସଦୀୟ ଆସନରେ ମଧ୍ୟ ଏକପାଖିଆ ବିଜୟ ପାଇଛି । 78 ବିଧାନସଭା ଆସନ ସହ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ବିଜେପି 21 ଲୋକସଭା ଆସନରୁ 20ରେ ବିଜୟ ଲାଭ କରିଛି । ଗତଥର 8 ଆସନରେ ଥିବା ବିଜେପି ଏଥର କେବଳ କୋରାପୁଟକୁ ଛାଡି ଦେଲେ ଅନ୍ୟ ସମସ୍ତ ଲୋକସଭା ଆସନକୁ ନିଜ ଖାତାକୁ ନେଇଛି । ସେହିପରି ପ୍ରତିଷ୍ଠା ପରଠାରୁ ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଏଥର ସଂସଦରେ କୌଣସି ଖାତା ଖୋଲିପାରିନି । ପ୍ରଥମ ଥର ବିଜେଡି ଦେଶର ସର୍ବୋଚ୍ଚ ବ୍ୟବସ୍ଥାପିକା ସଂସଦର ନିମ୍ନସଦନ 'ଲୋକସଭା'ରେ ପ୍ରତିନିଧିତ୍ବ ଶୂନ୍ୟ ହୋଇଛି । ତେବେ ରାଜ୍ୟର କେଉଁ ଆସନରେ କେତେ ବ୍ୟବଧାନରେ କିଏ ଜିତିଲେ ? ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ କେଉଁ ଦଳ ରହିଲେ, ଦେଖନ୍ତୁ,

1. ଆସିକା ଲୋକସଭା ଆସନ
1998 ମସିହାରୁ କ୍ରମାଗତ ବିଜେଡିର ଗଡ଼ ଭାବେ ରହିଆସିଥିବା ଗଞ୍ଜାମ ଜିଲ୍ଲାର ଏହି ଆସନରେ ଦିନେ ମୁଖ୍ୟମନ୍ତ୍ରୀ ନବୀନ ନିଜେ ଉପନିର୍ବାଚନ ଜରିଆରେ ରାଜନୀତିରେ ପ୍ରବେଶ କରିଥିଲେ । କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ଗତଥର ଏହି ଆସନ ବିଜେଡି ଖାତାକୁ ଯାଇଥିବାବେଳେ ଏଥର ବିଜେପି ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀ ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁଙ୍କୁ ପ୍ରାୟ 1 ଲକ୍ଷ (99,974) ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ଅନୀତା ଶୁଭଦର୍ଶିନୀଙ୍କୁ ମୋଟ 4 ଲକ୍ଷ 94 ହଜାର 226 ଖଣ୍ଡ ଭୋଟ ମିଳିଛି । ବିଜେଡି ପ୍ରାର୍ଥୀ ରଞ୍ଜିତା ସାହୁ 3,94,252 ଖଣ୍ଡ ଭୋଟ ସହ ଦ୍ବିତୀୟ ସ୍ଥାନ ଓ କଂଗ୍ରେସର ଦେବକାନ୍ତ ଶର୍ମା 75255 ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

2. ବାଲେଶ୍ବର:-
ଉତ୍ତର ଓଡିଶାର ପ୍ରମୁଖ ଆସନ ବାଲେଶ୍ବର ମଧ୍ୟ ପୂର୍ବ ପରି ବିଜେପି ଖାତାକୁ ଯାଇଛି । ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ 1,47,156 ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଠାରୁ ବିଜୟ ଲାଭ କରିଛନ୍ତି । ପ୍ରତାପ ମୋଟ 5,63,865 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର 4,16,709 ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହି ଆସନରେ ତୃତୀୟ ସ୍ଥାନରେ ରହିଛନ୍ତି ।

3. ବରଗଡ:-
ଗତ 2019 ନିର୍ବାଚନରେ ଏହି ଆସନରୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାଜିତ କରି ନିର୍ବାଚିତ ହୋଇଥିଲେ । ହେଲେ ଏଥର ବିଜେପି ପ୍ରଦୀପ ପୁରୋହିତ 2,51,667 ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ପରିଣିତା ମିଶ୍ରଙ୍କୁ ପରାସ୍ତ କରିଛନ୍ତି । ପ୍ରଦୀପ 7,16,359 ଭୋଟ ଓ ଦ୍ବିତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥୀ ପ୍ରଣିତା ମିଶ୍ର ମୋଟ 4,64,692 ଖଣ୍ଡ ଭୋଟ ପାଇଛନ୍ତି ।

4. ବ୍ରହ୍ମପୁର:-
ବହୁଚର୍ଚ୍ଚିତ ବ୍ରହ୍ମପୁର ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ 1,65,476 ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । ପ୍ରଦୀପ ମୋଟ 5,13,102 ଖଣ୍ଡ ଭୋଟ ପାଇଛନ୍ତି । ଭୃଗୁ ବକ୍ସିପାତ୍ର 3,47,626 ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ରଶ୍ମୀ ରଞ୍ଜନ ପଟ୍ଟନାୟକ 1,29,744 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

5. ଭଦ୍ରକ:-
ଭଦ୍ରକରେ ପୂର୍ବଥରର ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ହରାଇ ସାଂସଦ ହୋଇଛନ୍ତି ବିଜେପିର ଯୁବନେତା ଅଭିମନ୍ୟୁ ସେଠୀ । ଅଭିମନ୍ୟୁ ମୋଟ 5,73,319 ଭୋଟ ପାଇଥିବାବେଳେ ମଞ୍ଜୁଲତାଙ୍କ ସହ ତାଙ୍କର ଭୋଟ ବ୍ୟବଧାନ ରହିଛି 91,544 । ପରାଜିତ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ 4,81,775 ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଅନନ୍ତ ସେଠୀ 2,21,874 ଖଣ୍ଡ ପାଇଛନ୍ତି । ବିଜୟୀ ପ୍ରାର୍ଥୀ ଅଭିମନ୍ୟୁ ହେଉଛନ୍ତି ଅର୍ଜୁନ ସେଠୀଙ୍କ ପୁଅ ।

6. ଭୁବନେଶ୍ବର:-
ରାଜଧାନୀ ଭୁବନେଶ୍ବର ପୁଣି ଗତଥର ପରି ବିଜେପି ଖାତାକୁ ଯାଇଛି । ସାଂସଦ ତଥା ଚଳିତଥର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ମୋଟ 5,12,519 ଭୋଟ ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ 35,152 ଖଣ୍ଡ ଭୋଟ ବ୍ୟବଧାନର ପରାସ୍ତ କରିଛନ୍ତି । ମନ୍ମଥ ରାଉତରାୟଙ୍କୁ ମୋଟ 4,77,367 ଖଣ୍ଡ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ ମାତ୍ର 66,362 ଭୋଟ ପାଇଛନ୍ତି ।

7. ବଲାଙ୍ଗୀର:-
ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସଂସଦୀୟ କ୍ଷେତ୍ର ବଲାଙ୍ଗୀରରେ ମଧ୍ୟ ବିଜେପି ଖାତାରେ ବଜାୟ ରହିଛି । ଦଳର ପ୍ରାର୍ଥୀ ତଥା ସାଂସଦ ସଙ୍ଗୀତା ସିଂହଦେଓ 6,17,744 ଭୋଟ ପାଇ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ 1,32,664 ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ଶାସକ ଦଳ ପ୍ରାର୍ଥୀ ସୁରେନ୍ଦ୍ରଙ୍କୁ 4,85,080 ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ତଥା ଜଣାଶୁଣା ଅଭିନେତା ମନୋଜ ମିଶ୍ର ମୋଟ 2,30,874 ଖଣ୍ଡ ଭୋଟ ହାସଲ କରିବାରେ ସଫଳ ହୋଇଛନ୍ତି ।
8. କଟକ:-

ରାଜ୍ୟର ପୁରୁଣା ରାଜଧାନୀ ସିଲିଭର ସିଟି କଟକରେ ଏଥର ରାଜନୀତି ପାଣିପାଗ ଗତ ନିର୍ବାଚନ ତୂଳନାରେ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ବିଜେଡି ଟିକେଟରେ 6 ଥର ସାଂସଦ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେଇ ବିଜେପି ଟିକଟରେ ଲଢି ବିଜୟୀ ହୋଇଛନ୍ତି । ଭର୍ତ୍ତୃହରି ମହତାବଙ୍କୁ ମୋଟ 5,31,601 ଖଣ୍ଡ ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ 4,74,524 ଖଣ୍ଡ ଭୋଟ ମିଳିଛି । ଭର୍ତ୍ତୃହରି ସଂତୃପ୍ତଙ୍କ ମଧ୍ୟରେ ବିଜୟ ବ୍ୟବଧାନ ରହିଛି 57,077 ଭୋଟ । କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ର ମୋଟ 83,815 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।
9. ଢେଙ୍କାନାଳ:-

ଗତଥର ଏହି ଆସନରେ ବିଜେଡି ବିଜୟୀ ହୋଇଥିଲା । ଏଥର ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ମୋଟ 5,98,721 ଭୋଟ ପାଇ ବିଜୟୀ ହୋଇଛନ୍ତି । ସାଂସଦ ମହେଶ ସାହୁଙ୍କୁ ବିଜେଡି ଟିକଟ ନଦେଇ ତାଙ୍କ ସ୍ଥାନରେ ଯୁବ ଚେହେରା ଡାକ୍ତର ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ବିଜେପି ପୁଣିଥରେ ଅନୁଭବୀ ରୁଦ୍ର ନାରାୟଣ ପାଣିଙ୍କୁ ମୈଦାନକୁ ଓହ୍ଲାଇ ସଫଳତା ପାଇଛି । 76,567 ଭୋଟ ବ୍ୟବଧାନରେ ଅବିନାଶଙ୍କୁ ପରାଜିତ କରିଛନ୍ତି ରୁଦ୍ର । କଂଗ୍ରେସ ପ୍ରାର୍ଥୀ ସସ୍ମିତା ବେହେରା ମାତ୍ର 34,730 ହଜାର ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।
10. ଜଗତସିଂହପୁର:-

ଉପକୂଳର ଅନ୍ୟତମ ଆସନ ଜଗତସିଂହପୁରରେ ସାଂସଦ ଥିବା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଏଥର ପରାଜୟର ସାମ୍ନା କରିବାକୁ ପଡିଛି । ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ମୋଟ 5,89,093 ଭୋଟ ପାଇଁ ପ୍ରାୟ 40,696 ଖଣ୍ଡ ଭୋଟ ବ୍ୟବଧାନରେ ସାଂସଦ ରାଜଶ୍ରୀଙ୍କୁ ପରାଜିତ କରିଛନ୍ତି । କଂଗ୍ରେସର ରବିନ୍ଦ୍ର ସେଠୀ 1,23,570 ଖଣ୍ଡ ଭୋଟ ପାଇଛନ୍ତି ।
11. ଯାଜପୁର:-

ପୂର୍ବ-ଓଡିଶାର ଅନ୍ୟତମ ରାଜନୈତିକ ଚର୍ଚ୍ଚିତ ଆସନ ଯାଜପୁରକୁ ମଧ୍ୟ ବିଜେପି ଦଖଲ କରିଛି । ଏହାପରେ 1999ରୁ 2019 ପର୍ଯ୍ୟନ୍ତ ବିଜେଡି ଏହି ଆସନରେ ବିଜୟ ନିଶ୍ଚିତ କରିଆସିଥିଲା । ହେଲେ ପ୍ରତି ନିର୍ବାଚନରେ ପ୍ରାର୍ଥୀ ପରିବର୍ତ୍ତନ କରିଥିବା ବିଜେଡି ଏଥର ବର୍ତ୍ତମାନର ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ପୁଣି ପ୍ରାର୍ଥୀ କରିଥିଲା । ହେଲେ ବିଜେପି ପ୍ରାର୍ଥୀ ରବିନ୍ଦ୍ର ନାରାୟଣ ବେହେରା ମୋଟ 5,34,239 ଭୋଟ ପାଇ କେବଳ 1,587 ବ୍ୟବଧାନରେ ଶର୍ମିଷ୍ଠା ସେଠୀଙ୍କୁ ପରାଜିତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଞ୍ଚଳ ଦାସ ମୋଟ 53,145 ଖଣ୍ଡ ଭୋଟ ପାଇଛନ୍ତି ।
12. କଳାହାଣ୍ଡି:-

ଦକ୍ଷିଣ ଓଡିଶାର ଅନ୍ୟତମ ଚର୍ଚ୍ଚିତ ଆସନ କଳାହାଣ୍ଡିରେ ବିଜୟୀ ହୋଇଥିଲା ବିଜେପି । ଏଥର ମଧ୍ୟ ଦଳ ବିଜୟ ହାସଲ କରିଛି । ଦଳୀୟ ପ୍ରାର୍ଥୀ ମାଳବିକା ଦେବୀ 5,44,303 ଖଣ୍ଡ ଭୋଟ ପାଇ 1,33,813 ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ପରାସ୍ତ କରିଛନ୍ତି । କଂଗ୍ରେସ ପ୍ରାର୍ଥିନୀ ଦ୍ରୌପଦୀ ମାଝୀଙ୍କୁ 3,03,199 ଖଣ୍ଡ ଭୋଟ ମିଳିଛି ।
13. କନ୍ଧମାଳ:-

1998 ମସିହାରୁ ଏହି ଆସନ ବିଜୁ ଜନତା ଦଳ ନିୟନ୍ତ୍ରଣରେ ରହିଆସିଥିଲା । ଗତ ନିର୍ବାଚନ 2019ରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ବିଜୟୀ ହୋଇଥିଲେ । ହେଲେ ଏଥର ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ 4,16,415 ଖଣ୍ଡ ଭୋଟ ପାଇ 21371 ଖଣ୍ଡ ବ୍ୟବଧାନରେ ଅଚ୍ୟୁତ ସାମନ୍ତଙ୍କୁ ପରାସ୍ତ କରିଛନ୍ତି । ଅଚ୍ୟୁତଙ୍କୁ ମୋଟ 3,95,044 ଖଣ୍ଡ ଭୋଟ ମିଳିଛି । କଂଗ୍ରେସର ଅମିର ଚାନ୍ଦ ନାୟକ 1,44,322 ଭୋଟ ପାଇଛନ୍ତି ।
14. କେନ୍ଦ୍ରାପଡା:-

ଉପକୂଳର ସର୍ବାଧିକ ଚର୍ଚ୍ଚିତ ଆସନ କେନ୍ଦ୍ରାପଡା ବିଜେଡି ତଥା ଅଣ-କଂଗ୍ରେସ ଗଡ ଭାବେ ରାଜ୍ୟ ରାଜନୀତିରେ ନିଜର ପରିଚୟ ରଖି ଆସିଥିଲା । ତୀବ୍ର ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ବୈଜୟନ୍ତ ପଣ୍ଡା ମୋଟ 6,15,705 ଖଣ୍ଡ ଭୋଟ ପାଇ 66,536 ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ପରାଜିତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପ ଦାସଙ୍କୁ 94,832 ଭୋଟ ମିଳିଛି ।
15. କେନ୍ଦୁଝର:-

1998ରୁ 2004 ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଦଖଲରେ ଥିଲା କେନ୍ଦୁଝର ସଂସଦୀୟ ଆସନ । 2004ରେ ଏହାକୁ ଦଖଲକୁ ନେବାରେ ସଫଳ ହେଲା ବିଜେଡି । 2009, 2014 ଓ 2019 ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଏଠାରେ ହ୍ୟାଟ୍ରିକ ବିଜୟ ହାସଲ କରିଥିଲା । ହେଲେ ଏଥର ଗଡ଼ ବଜାୟ ରଖିବାରେ ସଫଳ ହୋଇନି ବିଜେଡି । ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ମୋଟ 5,73,923 ଭୋଟ ମିଳିଛି । 97,042 ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦୁଙ୍କୁ ପରାସ୍ତ କରିଛନ୍ତି । ଧନୁର୍ଜୟଙ୍କୁ 4,76,881 ଖଣ୍ଡ ଭୋଟ ମିଳିଛି ।
16. କୋରାପୁଟ:-

2019ରେ ରାଜ୍ୟରେ ନିଜ ସତ୍ତା ରଖିବାରେ ଅସମର୍ଥ ହୋଇଥିବା କଂଗ୍ରେସ ଏକମାତ୍ର ଲୋକସଭା କ୍ଷେତ୍ର ଭାବେ କୋରାପୁଟ ଜିତିବାରେ ସଫଳ ହୋଇଥିଲା । ସପ୍ତଗିରି ଉଲ୍ଲାକା ଏକମାତ୍ର କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ମାତ୍ର 3 ହଜାର ଭୋଟରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲା ହିକକାଙ୍କୁ ପରାସ୍ତ କରିଥିଲେ । ଏଥର ମଧ୍ୟ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିଲା କଂଗ୍ରେସ । ଏଥର ରାଜ୍ୟସାରା ବିଜେପି ହାୱା, ଏପରିକି 25 ବର୍ଷର ଶାସକ ବିଜେଡି ଏକମାତ୍ର ଲୋକସଭା ଆସନ ଜିତିବାରେ ସକ୍ଷମ ହୋଇନଥିବାବେଳେ କଂଗ୍ରେସ କିନ୍ତୁ ଏହି ଆସନକୁ ନିଜ କବ୍ଜାରେ ରଖି ପାରିଛି । ଏପରିକି ଏଠାରେ ସପ୍ତଗିରିଙ୍କ ବିଜୟ ବ୍ୟବଧାନ ମଧ୍ୟ ଢେର ବଢ଼ିଛି । ଚଳିତ ନିର୍ବାଚନରେ ଉଲାକାଙ୍କୁ 4,71,393 ଭୋଟ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକ୍କକାଙ୍କୁ 3,23,649 ଭୋଟ ମିଳିଛି । ଉଲାକାଙ୍କ ବିଜୟ ବ୍ୟବଧାନ 3 ହଜାରରୁ ବଢ଼ି ଏଥର 1,47,744 ହୋଇଛି ।

17. ମୟୂରଭଞ୍ଜ:- ଆଦିବାସୀବହୁଳ ମୟୂରଭଞ୍ଜର ଜନାଦେଶ ଗତଥର ଭାରତୀୟ ଜନତା ପାର୍ଟି ସପକ୍ଷରେ ଯାଇଥିଲା । ବିଜେପି ସାଂସଦ ଭାବେ ଜିତି ମୋଦି ସରକାର କ୍ୟାବିନେଟରେ ସ୍ଥାନ ପାଇଥିବା ବିଶ୍ବେଶ୍ବର ଟୁଡୁଙ୍କୁ ବିଜେପି ଏଥର ଟିକଟ ଦେଇନଥିଲା । ତାଙ୍କ ସ୍ଥାନରେ ଟିକଟ ପାଇଥିଲେ ନବ ଚରଣ ମାଝୀ । ଅନ୍ୟପଟେ ବିଜେଡିରୁ ମନ୍ତ୍ରୀ ସୁଦାମ ମାରାଣ୍ଡି ସାଂସଦ ପ୍ରାର୍ଥୀ ହୋଇଥିଲେ । ତେବେ ବିଜେପିର ନବ ଚରଣ ମାଝୀ ଏଠାରେ 5,85,971 ଭୋଟ ପାଇ ବିଜୟୀ ହୋଇଛନ୍ତି । 3,66,637 ଭୋଟ ପାଇଥିବା ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି 2,19,334 ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ଅନ୍ୟପଟେ କଂଗ୍ରେସ ଏହି ଆସନରେ ପ୍ରାର୍ଥୀ ଘୋଷଣା ନକରି 'ଇଣ୍ଡିଆ' ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଥିଲା । ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ ସୋରେନ ମୟୂରଭଞ୍ଜ ଲୋକସଭା ଆସନରେ ପ୍ରାର୍ଥୀ ହୋଇ କେବଳ 1,35,399 ଖଣ୍ଡ ଭୋଟ ପାଇଛନ୍ତି ।

18. ନବରଙ୍ଗପୁର:-
ଦକ୍ଷିଣ ଓଡିଶାର ନବରଙ୍ଗପୁର ଆସନ 2019 ସାଧାରଣ ନିର୍ବାଚନରେ ବିଜେଡି ଦଖଲରେ ଥିଲା । ଗତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ପ୍ରାୟ 40 ହଜାର ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ପରାସ୍ତ କରିଥିଲେ । ଚଳିତଥର ଦକ୍ଷିଣ ଓଡିଶାରେ କଂଗ୍ରେସର ବଡ଼ ଚେହେରା କୁହାଯାଉଥିବା ଯୁବନେତା ତଥା ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ବିଜେଡି ଟିକଟରୁ ନିର୍ବାଚନ ଲଢ଼ିଥିଲେ । ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ଏଥର ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବଳଭଦ୍ର ବିଜୟୀ ହୋଇଛନ୍ତି । 4,81,396 ଭୋଟ ପାଇ ବଳଭଦ୍ର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀଙ୍କୁ 87,536 ଭୋଟରେ ପରାସ୍ତ କରିଛନ୍ତି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀ 3,03,392 ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

19. ପୁରୀ:- ରାଜ୍ୟର ଆଧ୍ୟାତ୍ମିକ ରାଜଧାନୀ ପୁରୀରେ ଏଥର ଫୁଟିଛି ପଦ୍ମ । ଗତ 20 ବର୍ଷ ଏହି ଆସନ ବିଜେଡି ଦଖଲରେ ରହିଥିବାବେଳେ ଦଳ ଏଥର ଏଠାରେ ପରାଜୟର ମୁହଁ ଦେଖିଛି । ଏଥର ପିନାକୀ ମିଶ୍ରଙ୍କ ସ୍ଥାନରେ ଏଠାରେ ଗତଥର ଭୁବନେଶ୍ବରର ଆସନରୁ ପରାଜିତ ହୋଇଥିବା ପୂର୍ବ ଆଇପିଏସ୍ ଅଧିକାରୀ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ବିଜେପି କିନ୍ତୁ ପ୍ରାର୍ଥୀ ଅପରିବର୍ତ୍ତିତ ରଖିଥିଲା । ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୂର୍ବଥର ହାରିଥିଲେ ହେଁ ଏଥର ବିଜୟୀ ହୋଇଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ମୋଦି ପୁରୀରେ ରୋଡ ସୋ’ କରିବା ସହ ସମ୍ବିତଙ୍କ ପାଇଁ ଭୋଟ ମାଗିଥିଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା, ଚାରିଦ୍ବାର ବନ୍ଦ ପରି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବିଜେଡିକୁ କ୍ରମାଗତ ଟାର୍ଗେଟ କରିଥିଲା ବିଜେପି । ଯାହା ଦଳକୁ ଫାଇଦା ଦେଇଛି । ଫଳରେ ସମ୍ବିତ ପାତ୍ର 6,29,330 ଭୋଟ ପାଇ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ବନ୍ଦ୍ବୀ ଅରୂପ ପଟ୍ଟନାୟକଙ୍କୁ 1,04,709 ଭୋଟ ବ୍ୟବଧାନରେ ହରାଇଛନ୍ତି ସମ୍ବିତ । ଅରୂପଙ୍କୁ 5,24,621 ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଜୟନାରାୟଣ ପଟ୍ଟନାୟକ କେବଳ 24,342 ଭୋଟ ପାଇଥିଲେ ।

20. ସମ୍ବଲପୁର:-
ପଶ୍ଚିମ ଓଡିଶାର ମୁଖ୍ୟ ସହର ସମ୍ବଲପୁର ସଂସଦୀୟ କ୍ଷେତ୍ର ଚଳିତ ନିର୍ବାଚନରେ ସର୍ବାଧିକ ଚର୍ଚ୍ଚାରେ ରହିଥିଲା । କାରଣ ଗତଥର ବିଜେପି ଦଖଲରେ ଥିବା ଏହି ଆସନରେ ଦଳର ରାଜ୍ୟର ବଡ଼ ଚେହେରା କୁହାଯାଉଥିବା ତଥା କେନ୍ଦ୍ରରେ ମୋଦି କ୍ୟାବିନେଟରେ ଏକାଧିକ ମନ୍ତ୍ରଣାଳୟ ସମ୍ଭାଳିଥିବା ଧର୍ମେନ୍ଦ୍ର ପ୍ରଧାନ ଏଠାରୁ ନିର୍ବାଚନ ଲଢିଥିଲେ । ପ୍ରାୟ ଦଶନ୍ଧି ପରେ ଲୋକସଭା ଲଢେଇକୁ ଓହ୍ଲାଇଥିବା ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେଡି ମଧ୍ୟ ଟାଣୁଆ ପ୍ରାର୍ଥୀ ଲଢେଇବାର କୌଣସି ଅବସର ଛାଡିନଥିଲା । ଦଳର ପାୱାରଫୁଲ ନେତା କୁହାଯାଉଥିବା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଧର୍ମେନ୍ଦ୍ରଙ୍କୁ ମୁକାବିଲା କରିଥିଲେ । ହେଲେ ଉପକୂଳର ନେତା ବବି ପଶ୍ଚିମରେ ଧରେନ୍ଦ୍ରଙ୍କୁ ମାତ ଦେବାରେ ସଫଳ ହୋଇପାରିଲେ ନାହିଁ । 5,92,162 ଭୋଟ ପାଇ ଧର୍ମେନ୍ଦ୍ର ଏହି ଆସନରୁ ବିଜୟୀ ହୋଇଛନ୍ତି । ପ୍ରଣବ ପ୍ରକାଶ ଦାସ 4,72,326 ଭୋଟ ପାଇଥିଲେ ହେଁ ଧର୍ମେନ୍ଦ୍ରଙ୍କଠାରୁ 1,19,836 ଭୋଟରେ ପଛରେ ଅଟକିଯାଇଛନ୍ତି । ଅନ୍ୟପଟେ ପୂର୍ବତନ ସାଂସଦ ତଥା କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ କେବଳ 89,113 ଖଣ୍ଡ ଭୋଟ ପାଇଛନ୍ତି ।

21. ସୁନ୍ଦରଗଡ଼:-
1999 ଏବଂ 2004ରେ ସୁନ୍ଦରଗଡ଼ ଆସନରେ ଜିତିଥିଲେ ଜୁଏଲ ଓରାମ । ହେଲେ 2009ରେ ଏହି ଆସନ କଂଗ୍ରେସ ଖାତାକୁ ଯାଇଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ସେଥର ନିର୍ବାଚିତ ହୋଇଥିଲେ । ହେଲେ 2014ରେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କୁ ପରାସ୍ତ କରି ପୁଣିଥରେ ଏହି ଆସନକୁ ଦଖଲକୁ ନେଇଥିଲେ ଜୁଏଲ । 2019ରେ ମଧ୍ୟ ଜୁଏଲଙ୍କ ବିଜୟ ଧାରା ଅପରିବର୍ତ୍ତିତ ରହିଥିଲା । ଏଥର ସୁନ୍ଦରଗଡ଼ରେ ହ୍ୟାଟ୍ରିକ୍ ମାରିଛନ୍ତି ଜୁଏଲ । ଏଥର ନିର୍ବାଚନରେ ବିଜେପିରୁ ଜୁଏଲ, ବିଜେଡିରୁ ହକି ଆଇକନ ଦିଲ୍ଲୀପ ତିର୍କୀ ଓ କଂଗ୍ରେସରୁ ଜନାର୍ଦ୍ଦନ ଦେହୁରୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ହେଲେ ଜୁଏଲଙ୍କ ବିଜୟକୁ ରୋକିବା ବିଜେଡି ପାଇଁ ସହଜ ହୋଇନାହିଁ । 4,94,282 ଭୋଟ ପାଇ ସୁନ୍ଦରଗଡ଼ରୁ ଜୁଏଲ ଓରାମ ଏଠାରୁ କ୍ରମାଗତ ତୃତୀୟ ବିଜୟ ପାଇଛନ୍ତି । ଦିଲ୍ଲୀପ ତିର୍କୀଙ୍କୁ 3,55,474 ଭୋଟ ମିଳିଛି । ତେବେ ଜୁଏଲ୍ ଓ ଦିଲ୍ଲୀପଙ୍କ ମଧ୍ୟରେ ବ୍ୟବଧାନ ରହିଛି 1,38,808 । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ 2,61,986 ଭୋଟ ପାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ