କେନ୍ଦ୍ରାପଡା: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁକ୍ତ ଅବାଧ ତଥା ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ପ୍ରଶାସନିକ କ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ରହିଛି । ଆଜି(ମଙ୍ଗଳବାର) ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଓ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ କେନ୍ଦ୍ରାପଡ଼ା ଗସ୍ତ କରି ନିର୍ବାଚନୀ ସମ୍ବନ୍ଧରେ ବୈଠକ କରିବା ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ନିର୍ବାଚନ ପରିଚାଳନାକୁ ନେଇ ସମୀକ୍ଷା କରିବା ସହ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ନେଇ ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତ୍ରିପାଠୀ ଏବଂ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ହିମାଳିନି କାଶ୍ୟପ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି । କେନ୍ଦ୍ରାପଡା ଗସ୍ତର ଆସି ସାଧାରଣ ନିର୍ବାଚନ-୨୦୨୪ର ସୁପରିଚାଳନା ଉପରେ ଆଲୋଚନା କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନାକୁ ଗୁରୁତ୍ୱାରୋପ କରିଥିଲେ ।
ଏହି ସମୀକ୍ଷା ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ମତଦାନ କେନ୍ଦ୍ରରେ ପାନୀୟ ଜଳ, ଟଏଲେଟ୍, ଲାଇଟ୍, ଫ୍ୟାନ୍, ଆଦି ସର୍ବନିମ୍ନ ସୁବିଧା, ଦିବ୍ୟାଙ୍ଗମାନଙ୍କ ପାଇଁ ର୍ୟାମ୍ପର ସୁବିଧା କରିବା ନେଇ ଆଲୋଚନା କରିଥିଲେ । ଏଥିସହ ଦିବ୍ୟାଙ୍ଗମାନଙ୍କୁ କିଭଳି ସକ୍ଷମ ଯାନରେ ଘରୁ ବୁଥ୍କୁ ନିଆଯିବ ଓ ବୁଥ୍ରୁ ଘରକୁ ଆଣି ଛାଡ଼ିବା ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଆଉମଧ୍ୟ ପୋଷ୍ଟାଲ୍ ବାଲାଟ୍, ହୋମ୍ ଭୋଟିଙ୍ଗ୍, ଏମ୍ସିଏମ୍ସି ରିପୋର୍ଟ, ସି-ଭିଜିଲ୍ ରିପୋର୍ଟ, ବିଭିନ୍ନ ପ୍ରଶିକ୍ଷଣ, ଭେହିକିଲ ମ୍ୟାନେଜ୍ମେଂଟ୍, ମ୍ୟାନ୍ ପାୱାର୍ ମ୍ୟାନେଜମେଣ୍ଟ, ବୁଥ ମ୍ୟାନେଜମେଣ୍ଟ ଆଦି ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପଚାରି ବୁଝିଥିଲେ । ସମ୍ବେଦନଶୀଳ ବୁଥ୍ରେ ପୋଲିସ୍ ପ୍ରଶାସନ ପକ୍ଷରୁ ଯେଉଁସବୁ ପଦକ୍ଷେପ ନିଆଯିବ ତାହା ଉପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ତଥ୍ୟ ଉପସ୍ଥାପନ କରିଥିଲେ ।
ସୂଚନାଯୋଗ୍ୟ, କେନ୍ଦ୍ରାପଡାରେ ଜୁନ ୧ରେ ମତଦାନ ହେବାକୁ ଯାଉଛି । ଜିଲ୍ଲାର ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର ଓ ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ ୧ରେ ଭୋଟ ପଡିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ରହିଛି ।
ଇଟିଭି ଭାରତ,କେନ୍ଦ୍ରାପଡା