ଭୁବନେଶ୍ବର: ଦେଶରେ ଜାରି ରହିଛି ଲୋକସଭା ନିର୍ବାଚନ 2024 । ଦିନକ ପରେ ମେ 25 ତାରିଖ ଶନିବାର ଦେଶରେ 6ଷ୍ଠ ପର୍ଯ୍ୟାୟ ଓ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ 6 ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଗୁରୁବାର ସରିଛି ପ୍ରଚାର । ରାଜ୍ୟର 3 ପ୍ରମୁଖ ଦଳର ହେଭିୱେଟ ପ୍ରଚାର ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ଓ ଅନ୍ୟପଟେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ମାରାଥନ ପ୍ରଚାର ପରେ ଏବେ ଶାନ୍ତ ପଡ଼ିଛି ପ୍ରଚାର ମୈଦାନ । ଦିନେ ପରେ 64 ସାଂସଦ ପ୍ରାର୍ଥୀ ଓ 383 ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା ।
![ODISHA THIRD PHASE POLLING 2024](https://etvbharatimages.akamaized.net/etvbharat/prod-images/23-05-2024/21542479_one.jpg)
ତୃତୀୟ ପର୍ଯ୍ୟାୟ ମତଦାନକୁ ଯାଉଥିବା ନିର୍ବାଚନମଣ୍ଡଳୀ |
ଲୋକସଭା ନିର୍ବାଚନ ମଣ୍ଡଳୀ | ଅଧିନରେ ଆସୁଥିବା ବିଧାନସଭା ଆସନ |
ଭୁବନେଶ୍ବର | ଜୟଦେବ(ଏସସି), ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର-ଭୁବନେଶ୍ବର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା |
କଟକ | ବଡମ୍ବା, ବାଙ୍କି, ଆଠଗଡ଼, ବାରବାଟୀ-କଟକ, ଚୌଦ୍ବାର-କଟକ, କଟକ ସଦର(ଏସସି), ଖଣ୍ଡପଡ଼ା |
ଢେଙ୍କାନାଳ | ଢେଙ୍କାନାଳ, ହନ୍ଦୋଳ(ଏସସି), କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୋଳ |
କେନ୍ଦୁଝର | ତେଲକୋଇ, ଘସିପୁରା, ଆନନ୍ଦପୁର(ଏସସି), ପାଟଣା(ଏସଟି), କେନ୍ଦୁଝର(ଏସଟି), ଚମ୍ପୁଆ, କରଞ୍ଜିଆ(ଏସଟି) |
ପୁରୀ | ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ |
ସମ୍ବଲପୁର | କୁଚିଣ୍ଡା, ରେଙ୍ଗାଲି(ଏସସି), ସମ୍ବଲପୁର, ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା(ଏସସି), ଆଠମଲ୍ଲିକ |
6 ଲୋକସଭା ଓ 42 ବିଧାନସଭା ଆସନରେ ଭୋଟିଂ:- ରାଜ୍ୟର 6 ଲୋକସଭା ଆସନ ଭୁବନେଶ୍ବର, କଟକ, ଢେଙ୍କାନାଳ, କେନ୍ଦୁଝର, ପୁରୀ ଓ ସମ୍ବଲପୁର ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ । ଏହି 6 ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା 42ଟି ବିଧାନସଭା ଆସନରେ ପଡ଼ିବ ଭୋଟ ।
![Puri Lok Sabha Key Candidates](https://etvbharatimages.akamaized.net/etvbharat/prod-images/23-05-2024/21542479_3.jpg)
64 ସାଂସଦ ଓ 383 ବିଧାୟକ ପ୍ରାର୍ଥୀ:- ତୃତୀୟ ପର୍ଯ୍ୟାୟ ମତଦାନକୁ ଯାଉଥିବା 6 ଲୋକସଭା ଆସନରେ ନିଜର ଭାଗ୍ୟ ପରୀକ୍ଷା କରିବେ 64 ସାଂସଦ ପ୍ରାର୍ଥୀ । ସେହିପରି 42ଟି ବିଧାନସଭା ଆସନରେ ରହିଛନ୍ତି 383 ବିଧାୟକ ପ୍ରାର୍ଥୀ । ସମ୍ବଲପୁର ଲୋକସଭା ଆସନରୁ ସର୍ବାଧିକ 14 ଜଣ ସାଂସଦ ପ୍ରାର୍ଥୀ ଥିବା ବେଳେ ପୁରୀରେ ସର୍ବନିମ୍ନ 7 ଜଣ ସାଂସଦ ପ୍ରାର୍ଥୀ ଅଛନ୍ତି । ସେହିପରି ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ 15 ପ୍ରାର୍ଥୀ ଥିବା ବେଳେ ଆଠମଲ୍ଲିକ, ଛେଣ୍ଡିପଦା, କଟକ ସଦର ଓ କୁଚିଣ୍ଡାର ସର୍ବନିମ୍ନ 4ଜଣ ଲେଖାଏଁ ବିଧାୟକ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି ।
ରଣାଙ୍ଗନରେ ରଣାଙ୍ଗନା:- ଏହି ପର୍ଯ୍ୟାୟ ମତଦାନରେ ମୋଟ 64 ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ 55ଜଣ ପୁରୁଷ ଓ 9 ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେହିପରି 383 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ 339 ଜଣ ପୁରୁଷ ଥିବା ବେଳେ 44ଜଣ ରହିଛନ୍ତି ମହିଳା ପ୍ରାର୍ଥୀ ।
![Bhubaneswar Lok Sabha Key Candidates](https://etvbharatimages.akamaized.net/etvbharat/prod-images/23-05-2024/21542479_1.jpg)
ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା:- ତୃତୀୟ ପର୍ଯ୍ୟାୟରେ ମୋଟ 383 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ 2ଜଣ ନିରକ୍ଷର, 11ଜଣ ପଞ୍ଚମ ପାସ୍, 32ଜଣ ଅଷ୍ଟମ ପାସ୍, 49ଜଣ ଦଶମ ପାସ୍, 63ଜଣ ଯୁକ୍ତ ଦୁଇ ପାସ୍, 86ଜଣ ସ୍ନାତକ, 60ଜଣ ବୃତ୍ତିଗତ ସ୍ନାତକ, 58ଜଣ ସ୍ନାତକୋତ୍ତର, 6ଜଣ ଡକ୍ଟରେଟ ଓ 12ଜଣ ଡିପ୍ଲୋମା ଡିଗ୍ରୀଧାରୀ ରହିଛନ୍ତି । ସେହିପରି 64 ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ସାକ୍ଷର ଜଣେ, ଅଷ୍ଟମ ପାସ୍ ଜଣେ, ଦଶମ ପାସ୍ 9ଜଣ, ଦଶମ ପାସ୍ 9ଜଣ, ଦ୍ବାଦଶ ପାସ୍ 9ଜଣ, ସ୍ନାତକ 14ଜଣ, ବୃତ୍ତିଗତ ସ୍ନାତକ 10ଜଣ, ସ୍ନାତକୋତ୍ତର 16ଜଣ, ଡିପ୍ଲୋମା ଜଣେ ଓ 3ଜଣ ପିଏଚଡି ଡିଗ୍ରୀଧାରୀ ରହିଛନ୍ତି ।
![Sambalpur Lok Sabha Key Candidates](https://etvbharatimages.akamaized.net/etvbharat/prod-images/23-05-2024/21542479_ppp.jpg)
ଚର୍ଚ୍ଚିତ ଚେହେରା:- ଏହି ପର୍ଯ୍ୟାୟରେ ସମ୍ବଲପୁରରୁ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ, କଟକ ବିଜେଡି ସାଂସଦ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର, ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ମୋହନ ପଟ୍ଟନାୟକ, ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ବରରୁ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ କୁମାର ରାଉତରାୟ ଓ ଭୁବନେଶ୍ବର କଂଗ୍ରେସ ସାଂସଦ ପ୍ରାର୍ଥୀ ସୟଦ ୟାସିର ନୱାଜ ଚର୍ଚ୍ଚିତ ଚେହେରା ମଧ୍ୟରେ ରହିଛନ୍ତି । ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଖିଲେ ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି ଚମ୍ପୁଆ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ, ନୟାଗଡ଼ ବିଜେପି ପ୍ରାର୍ଥିନୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ, କଟକ-ବାରବାଟୀ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଚମ୍ପୁଆ କଂଗ୍ରେସ ପ୍ରାର୍ଥୀ ଯଶୱନ୍ତ ନାରାୟଣ ସିଂହ ଲାଗୁରି, ବ୍ରହ୍ମଗିରି ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର, ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ ସୁସ୍ମିତା ସିଂହଦେଓ, ରେଢାଖୋଲ ବିଜେଡି ପ୍ରସନ୍ନ ଆଚାର୍ଯ୍ୟ, ଆନନ୍ଦପୁର କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନା, ଆଠଗଡ଼ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଘସିପୁରା ବଦ୍ରି ନାରାୟଣ ପାତ୍ର, ଅନୁଗୋଳ ବିଜେଡି ପ୍ରାର୍ଥିନୀ ସଂଯୁକ୍ତା ସିଂହ ଓ ବେଗୁନିଆ କଂଗ୍ରେସ ପ୍ରାର୍ଥୀ ପୃଥ୍ବୀବଲ୍ଲଭ ପଟ୍ଟନାୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ