ଭୁବନେଶ୍ବର: ଓଡିଶାରେ ଘୋଷଣା ହେବେ କି ବିଜେପିଶାସିତ ରାଜ୍ୟ ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ପରି ସରପ୍ରାଇଜ ମୁଖ୍ୟମନ୍ତ୍ରୀ ? ସବୁ ଚର୍ଚ୍ଚା ଓ ଆକଳନକୁ ପଛରେ ପକାଇ ଆଶ୍ଚର୍ଯ୍ୟଜନକ ଘୋଷଣା କରିବ କି ବିଜେପି ? ରାଜ୍ୟର ବର୍ତ୍ତମାନ ସ୍ଥିତି କିଛି ସେହିପରି ଦିଗକୁ ସଙ୍କେତ କରୁଛି । ଗତକାଲି ସଂଧ୍ୟାରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ତୃତୀୟ ଥର ସରକାର ଗଠନ କରିବା ପରେ ଏବେ ଓଡିଶାରେ ଗଠନ ହେବାକୁ ଥିବା ଭାରତୀୟ ଜନତା ପାର୍ଟି ସରକାରର ମୁଖ୍ୟମନ୍ତ୍ରୀ ଉପରେ ସମଗ୍ର ଦେଶର ନଜର ରହିଛ । ରାଜ୍ୟରେ ବିଜେପି ପ୍ରଥମ ଥର ଏକକ ବହୁମତରେ ସରକାର ଗଠନ କରିବାକୁ ଯାଉଛି ଦଳ । ମାତ୍ର ୪ ତାରିଖରୁ ନିର୍ବାଚନ ଫଳାଫଳ ଆସି ସାରିଥିବା ବେଳେ ଏବେ ସୁଦ୍ଧା ମୁଖ୍ୟମନ୍ତ୍ରୀ ନେଇ କୌଣସି ନିଷ୍ପତ୍ତି ହୋଇପାରିନି । ଦୁଇ ବରିଷ୍ଠ କେନ୍ଦ୍ରୀୟ ମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ ଦଳ ଓଡିଶା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ଉଭୟ ଆଜି ସଂଧ୍ୟାରେ ଭୁବନେଶ୍ବରେ ପହଞ୍ଚି ପାରନ୍ତି । ଆସନ୍ତାକାଲି ହେବାକୁ ଥିବା ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଉଭୟ ଅଂଶଗ୍ରହଣ କରିବେ । ଏହି ବୈଠକରେ ହିଁ ମୁଖ୍ୟମନ୍ତ୍ରୀ ନେଇ ଚୂଡାନ୍ତ ମୋହର ବାଜିବ । ଯାହା ଉପରେ ସମଗ୍ର ଦେଶର ନଜର ରହିଛି ।
ଦିଲ୍ଲୀରୁ ଫେରି ଏମିତି କହିଲେ ସୁରେଶ ପୁଜାରୀ:-
ବିଳମ୍ବ ଯେତିକି ହେଉଛି, ଚର୍ଚ୍ଚା ମଧ୍ୟ ସେହିକ୍ରମରେ ଭିନ୍ନମୋଡ ନେବାରେ ଲାଗିଛି । ନିର୍ବାଚନୀ ପ୍ରଚାର ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ୧୦ ତାରିଖରେ ଶପଥ ଗ୍ରହଣ ହେବା ନେଇ ଘୋଷଣା କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ବିଳମ୍ବ ହେବାରୁ ଏହାକୁ ୧୨ ତାରିଖକୁ ପରିବର୍ତ୍ତନ କରିଛି ବିଜେପି । ଅନ୍ୟପଟେ ଦଳର ଅନ୍ୟତମ ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ଗତକାଲି ଦିଲ୍ଲୀ ଡାକିଥିଲା ଦଳ । ସେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ଆଜି ଭୁବନେଶ୍ବର ଫେରିଛନ୍ତି । ସେ ହିଁ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବୋଲି ଚର୍ଚ୍ଚା ଲାଗିରହିଛି । ହେଲେ ଏହି ନିଷ୍ପତ୍ତି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ହେବ ବୋଲି ପ୍ରତିକ୍ରିୟାରେ ସୁରେଶ କହିଛନ୍ତି । ବିମାନ ବନ୍ଦରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସୁରେଶ କହିଛନ୍ତି, କେନ୍ଦ୍ରୀୟ ନେତା ରାଜନାଥ ସିଂହ ଓ ଭୁପେନ୍ଦ୍ର ଯାଦବ ଓଡିଶା ଆସୁଛନ୍ତି । ବିଧାୟକ ଦଳ ବୈଠକରେ ଏନେଇ ବିଧିବଦ୍ଧ ଆଲୋଚନା ହେବ । ଘୋଷଣାକୁ ଅପେକ୍ଷା କରନ୍ତୁ । ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ସହ କଣ ଆଲୋଚନା ହେଲା, ସେନେଇ କିଛି ନକହି ନାମ ଘୋଷଣାକୁ ଅପେକ୍ଷା କରିବା ମନ୍ତବ୍ୟ ମଧ୍ୟ ଚର୍ଚ୍ଚା ବଢାଇଛି ।
![ମୁଖ୍ୟମନ୍ତ୍ରୀ ବାଛିବେ ରାଜନାଥ ଓ ଭୂପେନ୍ଦ୍ର](https://etvbharatimages.akamaized.net/etvbharat/prod-images/10-06-2024/od-bbsr_10062024000417_1006f_1717958057_705.jpg)
ମନମୋହନ ନା ସୁରେଶ !:-
ଗତକାଲି ସୁରେଶ ଦିଲ୍ଲୀ ଯାଇ ଫେରିଥିବା ବେଳେ ଏହା ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ କେନ୍ଦ୍ରୀୟ ନେତାଙ୍କ ଡାକରାରେ ଦିଲ୍ଲୀ ଗସ୍ତ କରିସାରିଛନ୍ତି । ପ୍ରଥମେ ମନମୋହନ ଓ ପରେ ସୁରେଶଙ୍କୁ କେନ୍ଦ୍ରୀୟ ନେତା କାହିଁକି ଆଲୋଚନା ପାଏଇଁ ଦିଲ୍ଲୀ ଡାକିଲେ, ତାହା ହିଁ ଆଲୋଚନା ଓ ଚର୍ଚ୍ଚାର କାରଣ ସାଜିଛି । ଶପଥ ଗ୍ରହଣ ସମାରୋହ ଆଉ ଦୁଇ ଦିନ ବାକି ଥିବା ବେଳେ ମୁଖ୍ୟମନ୍ତ୍ରୀ ନେଇ ବିଭିନ୍ନ ଦିଗରୁ ଚର୍ଚ୍ଚା ହେଉଛି ।
ସରପ୍ରାଇଜ କାର୍ଡ ଖେଳିବ ବିଜେପି !
ସର୍ବଦା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ବେଳେ ବିଭିନ୍ନ କାର୍ଡ ଖେଳି ସରପ୍ରାଇଜ ଦେଉଥିବା ବିଜେପି, ଓଡିଶାରେ ଯଦି ପଶ୍ଚିମ-ଓଡିଶା କାର୍ଡ ଖେଳେ, ତେବେ ମୁଖ୍ୟମନ୍ତ୍ରୀ ପଦ ସୁରେଶଙ୍କୁ ଯାଇପାରେ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି । ଏହି ଆକଳନ ଓ ଚର୍ଚ୍ଚା ମଧ୍ୟରେ ବ୍ୟକ୍ତିଗତ ଭାବେ ସୁରେଶଙ୍କୁ ଦିଲ୍ଲୀ ଡାକରା ଏହି ସମ୍ଭାବନାକୁ ଆହୁରି ବଢାଇଛି । ତଥାପି ସୁରେଶ ଏକମାତ୍ର ନେତା ଭାବେ ଏହି ଚର୍ଚ୍ଚାରେ ନାହାନ୍ତି । ଦଳ ପଶ୍ଚିମ ଓଡିଶା, ମହିଳା କିମ୍ବା ଆଦିବାସୀ କାର୍ଡ ମଧ୍ୟ ଖେଳିପାରେ । କିମ୍ବା ସଂଘ ଲିଙ୍କ ସହ ଦୃଢ ସାଂଗଠନିକ ଦକ୍ଷତା ଥିବା ନେତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କରାଯାଇପାରେ । ଯାହା ଅନ୍ୟ କିଛି ବିଜେପିଶାସିତ ରାଜ୍ୟରେ ମଧ୍ୟ ନିକଟ ଅତୀତରେ ଦେଖିବାକୁ ମିଳିଛି ।
କେନ୍ଦ୍ର କ୍ୟାବିନେଟ ବର୍ଥ ସହ ଧର୍ମେନ୍ଦ୍ରଙ୍କ ନାମ ବାଦ:-
ଗତକାଲି ଓଡିଶାର ଦୁଇ ନିର୍ବାଚିତ ଲୋକସଭା ସାଂସଦଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିଛି । ଗତ ଦୁଇପାଳିରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ବର୍ଥ ବଜାୟ ରଖିଛନ୍ତି । ସେହିପରି ପୂର୍ବରୁ ବାଜପେୟୀ ଓ ମୋଦି ସରକାରରେ ଦୁଇଥର କ୍ୟାବିନେଟ ମନ୍ତ୍ରୀ ହେବାର ଅନୁଭବ ରଖିଥିବା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ମଧ୍ୟ ତୃତୀୟ ଥର କେନ୍ଦ୍ର କ୍ୟାବିନେଟକୁ ଫେରିଛନ୍ତି । ଏହି ଧାରାରେ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ଥିବା ଧର୍ମେନ୍ଦ୍ରଙ୍କ ନାମକୁ ନେଇ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ଏବେ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଦୁଇ ସାଂସଦ ବୈଜୟନ୍ତ ଓ ଅପରାଜିତାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏସବୁ ମଧ୍ୟରେ ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିପାରେ । ଏହା ପରେ ହିଁ ଓଡିଶାର ମୁଖ୍ୟମନ୍ତ୍ରୀ ଚୌକି ବିଜେପି କାହାକୁ ଦେଉଛି, ତାହା ସ୍ପଷ୍ଟ ହେବ ।
ଇଟିଭି ଭାରତ, ଭୁବନେଶ୍ବର